ଲିଙ୍ଗରାଜ ମହାନ୍ତିଙ୍କ ଅନୁବାଦ ପୁସ୍ତକ ‘ଲୁହ ଓ ଅନ୍ୟାନ୍ୟ ଗଳ୍ପ’ ଲୋକାର୍ପିତ

ଭୁବନେଶ୍ବର: ‘ସାହିତ୍ୟାୟନ’ ପକ୍ଷରୁ ଆଜି ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷଠାରେ ଲିଙ୍ଗରାଜ ମହାନ୍ତିଙ୍କ ‘ଲୁହ ଓ ଅନ୍ୟାନ୍ୟ ଗଳ୍ପ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ଲେଖକ ସୂର୍ଯ୍ୟମଣି ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ୍ କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଅନୁବାଦ ଏକ କଠିନ ବ୍ୟାପାର। ଅନୁବାଦରେ ମୂଳ ଭାବାର୍ଥ ଅକ୍ଷୁଣ୍ଣ ରହେ। ଗୋଟିଏ ଇଂରାଜୀ ଶବ୍ଦର ଓଡ଼ିଆରେ ବିଭିନ୍ନ ଅର୍ଥ ଥାଏ। ତେଣୁ କେଉଁଠାରେ କେଉଁ ଶବ୍ଦ ପ୍ରୟୋଗ କରାଯିବ, ତାହା ଲେଖକ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଶ୍ରୀ ମହାନ୍ତିଙ୍କ ଏହି ଗଳ୍ପ ସଂକଳନକୁ ଥରେ ପଢ଼ିଲେ, ଆଉ ଥରେ ପଢ଼ିବା ପାଇଁ ଆଗ୍ରହ ଜାଗ୍ରତ ହେବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ପଦ୍ମଶ୍ରୀ ପ୍ରଫେସର୍‌ ଦେବୀପ୍ରସନ୍ନ ପଟ୍ଟନାୟକ କହିଲେ, ଅନୁବାଦ ଦୁଇଟି ଭାଷା ମଧ୍ୟରେ ସଂପର୍କ ଯୋଡ଼ିଥାଏ।

ଏହାସହ ସାହିତ୍ୟ ଓ ସଂସ୍କୃତିର ସୀମା ସରହଦ ପ୍ରସାରିତ ହୋଇଥାଏ। ପୌରୁଷର ସମ୍ପାଦକ ଅସିତ୍‌ ମହାନ୍ତି ପୁସ୍ତକର ସମୀକ୍ଷା କରି କହିଲେ, ପୁସ୍ତକରେ ଥିବା ୧୮ଟିଯାକ ଗଳ୍ପ ଦୈନନ୍ଦିନ ଜୀବନର ଘଟଣାବଳୀକୁ ନେଇ ରଚିତ। ଆମ ସମସ୍ତଙ୍କ ଅନୁଭବ ଏଥିରେ ଲିପିବଦ୍ଧ ହୋଇଛି। ଅନ୍ୟତମ ଅତିଥି ପ୍ରାଧ୍ୟାପକ ଡ. ପ୍ରମୋଦ କୁମାର ପରିଡ଼ା କହିଲେ, ଅନୁବାଦ ସର୍ବଦା ଅଭିନନ୍ଦନୀୟ। ଏହି ଅବସରରେ ସାହିତ୍ୟାୟନର ସଂପାଦକ ସଂଜୟ ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ଡ. ଦେବାଶିଷ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଧଶ୍ୟାମ ପାତ୍ର, ପ୍ରଫୁଲ୍ଲ ଚନ୍ଦ୍ର, ବଂଶୀଧର ସେଠୀ, ବସନ୍ତ ମାଝୀ, ପ୍ରସନ୍ନ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର