ଲିଙ୍ଗରାଜ ମହୋତ୍ସବର ଚତୁର୍ଥ ସନ୍ଧ୍ୟା, ମନ ମୋହିଲା ଶିବ ତାଣ୍ଡବ ନୃତ୍ୟ

ପୁରୁଣା ଭୁବନେଶ୍ୱର: ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ଲିଙ୍ଗରାଜ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆନ୍ ଚାମ୍ବର ଅଫ୍ ଆର୍ଟ ଆଣ୍ଡ୍ କଲଚର ପକ୍ଷରୁ କ୍ରିଏଟିଭ ନୃତ୍ୟ ପରିବେଷଣ କରାଯାଇଥିଲା। ବିଭିନ୍ନ ହିନ୍ଦୀ ଭଜନରେ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ପ୍ରଥମେ ଉଡ୍ର ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟରେ ନାରୀ ଓ ଦୁର୍ଗା ପରିବେଷିତ ହୋଇଥିଲା। ପରେ କୋଲକାତାର ନିତ୍ୟଭାଷ ନୃତ୍ୟ ପରିବେଷଣ କରିଥିଲେ। ସେହିପରି କୋଲକାତାର ମାୟା ମନ୍ଦିର ସଂସ୍ଥା ପକ୍ଷରୁ ଶିଶୁମାନଙ୍କ ଦ୍ୱାରା ନୃତ୍ୟରେ ଶିବ ତାଣ୍ଡବ, ଗଣେଶ ବନ୍ଦନା, ଦେବୀ ବନ୍ଦନା ଆଦି ଦର୍ଶକଙ୍କ ମନ ମୋହିଥିଲା। ଆଜିର ଉତ୍ସବକୁ ରାଜ୍ୟସଭା ସାଂସଦ ତଥା ପ୍ରଖ୍ୟାତ ଭାଷ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର, ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ସାହିତ୍ୟିକ ଦେବେନ୍ଦ୍ର ନାଥ ଦାଶ, ଆଇଡିବିଆଇର ଅଧ୍ୟକ୍ଷ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଂପାଦକ ସନତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଡ. ଶ୍ରୀନିବାସ ଘଟୁଆରୀ। ଗତକାଲି ତୃତୀୟ ଦିବସରେ ମଧ୍ୟ ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା। ଏହାକୁ ବରିଷ୍ଠ ସାମ୍ବାଦିକ ତଥା ପ୍ରବକ୍ତା ପ୍ରଦ୍ୟୁମ୍ନ ଶତପଥୀ ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରମୁଖ ଆୟକର ଆୟୁକ୍ତ ଶରତ କୁମାର ଦାଶ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଶୁଚିସ୍ମିତା ପୃଷ୍ଟି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର