ଅଭିଯୁକ୍ତଙ୍କୁ ପୁଲିସ ଛାଡ଼ି ଦେବାରୁ ଥାନା ଘେରାଉ

ପୁରୁଣା ଭୁବନେଶ୍ୱର : ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ପୁଲିସ ଛାଡ଼ି ଦେବା ପ୍ରତିବାଦରେ ସ୍ଥାନୀୟ ଲୋକେ ଆଜି ଶ୍ରୀଲିଙ୍ଗରାଜ ଥାନା ଘେରାଉ କରିଥିଲେ। ଆକ୍ରମଣର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ବଶିଷ୍ଟ ନଗରର ରୋଜାଲିନ ଦାସ। ତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଘର କାନ୍ଥରେ ଲାଗିଥିବା ପୋଷ୍ଟରକୁ କିଛି ଯୁବକ ଚିରୁଥିବା ବେଳେ ସେ ବିରୋଧ କରିଥିଲେ। ଏଥିରେ ରାଗିଯାଇ ୪ଜଣ ଯୁବକ ତାଙ୍କୁ ମାଡ଼ ମାରିବା ସହ ବେକରୁ ସୁନା ଚେନ୍‌କୁ ଛିଣ୍ଡାଇ ଦେଇଥିଲେ। ଏହି ସମୟରେ ତାଙ୍କ ଭାଇ ଓ ସ୍ୱାମୀ ଆସି ଯୁବକମାନଙ୍କୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ମଧ୍ୟ ମାଡ଼ ମାରି ଗୁରୁତର କରିଥିଲେ। ପରେ ଏ ସଂପର୍କରେ ରୋଜାଲିନ୍‌ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ବଦଳରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ହାତବାରିସି ସାଜି ଅଭିଯୁକ୍ତଙ୍କୁ ଛାଡ଼ି ଦେଇଛି ବୋଲି ରୋଜାଲିନ୍‌ କହିଛନ୍ତି। ଏହାର ପ୍ରତିବାଦରେ କଂଗ୍ରେସର ଶତାଧିକ କର୍ମୀ ଥାନା ଘେରାଉ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ନକଲେ ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଛନ୍ତି। ଏ ସଂପର୍କରେ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ କହିଛନ୍ତି, ଅଭିଯୋଗର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ଏନେଇ ଦୁଇଟି ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର