ଶ୍ରୀଲିଙ୍ଗରାଜଙ୍କ ସ୍ୱର୍ଣ୍ଣାଦ୍ରି ବିଜେ

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସ୍ୱର୍ଣ୍ଣାଦ୍ରି ବିଜେ ଉତ୍ସବ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ଦିନ ତମାମ ରଥ ଉପରେ ଶ୍ରୀଜିଉ ଭକ୍ତମାନଙ୍କୁ ଦର୍ଶନ ଦେଇ ସନ୍ଧ୍ୟାରେ ମନ୍ଦିର ପ୍ରତ୍ୟାବର୍ତନ କରିଥିଲେ। ଆତସବାଜି ଓ ବାଜା ରୋଶଣୀ ସହ ଶ୍ରୀଲିଙ୍ଗରାଜ, ମା’ରୁକ୍ମିଣୀ ଓ ଦୋଳଗୋବିନ୍ଦଙ୍କୁ ସେବାୟତମାନେ ପହଣ୍ଡି କରି ମନ୍ଦିରକୁ ନେଇଥିଲେ। ତେବେ ଚାପ ଖେଳର ପ୍ରତିଶ୍ରୁତି ପରେ ମା’ ପାର୍ବତୀ ପହଡ଼ ଖୋଲିଥିଲେ। ସେବାୟତମାନଙ୍କ ଦ୍ଵାରା ଏହି ବଚନିକା ନୀତି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ନୀତି ଅନୁଯାୟୀ ପୂର୍ବାହ୍ନରେ ରଥ ଉପରେ ମଙ୍ଗଳ ଆଳତି ଓ ଅବକାଶ ପରେ ସକାଳ ଧୂପରେ ଶୁଖୁଲି ଭୋଗ ଓ ମଧ୍ୟାହ୍ନ ଧୂପରେ ପଣା ଲାଗି ହୋଇଥିଲା। ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ରଥ ଉପରେ ଚଢ଼ି ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ସନ୍ଧ୍ୟାରେ ଚାହାଣି ମଣ୍ଡପଠାରେ ମା’ପାର୍ବତୀ ଓ ଶ୍ରୀଲିଙ୍ଗରାଜଙ୍କ ଭେଟ ଆଳତି କରାଯାଇଥିଲା। ମହାପ୍ରଭୁଙ୍କ ନୀତି ପୂଜା ପରେ ଦେବଦେବୀଙ୍କୁ ସେବାୟତମାନେ ରଥ ଉପରୁ ପହଣ୍ଡି କରି ନେଇଥିଲେ। ରାସ୍ତା କଡ଼ରେ ରଙ୍ଗବେରଙ୍ଗର ଆଲୋକ ସଜ୍ଜା ସହ ମୃଦଙ୍ଗ, ଢୋଲ, କାହାଳୀ, ବନାଟି ଓ ନାଗା ନୃତ୍ୟ ସହ ସମର୍ଥାଙ୍କ ଘଣ୍ଟ ମାଡ଼ରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଠାକୁରଙ୍କ ସ୍ୱର୍ଣ୍ଣାଦ୍ରି ବିଜେ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏହି ଅବସରରେ ସେବାୟତମାନଙ୍କ ପକ୍ଷରୁ ରସଗୋଲା ବଣ୍ଟନ କରାଯାଇଥିଲା। ଏଥିରେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ମନୋଜ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା, ସୁରେଶ କୁମାର ରାଉତରାୟ, ଅମିୟ ଦାଶ, ଗଦାଧର ଦାସ, ଶିବ ବେହେରା ଓ କର୍ପୋରେଟର୍‌ଙ୍କ ସମେତ ମୁରବି ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ଶ୍ରୀଲିଙ୍ଗରାଜ ଗଲେ ତୀର୍ଥେଶ୍ୱର

ଆଜି ଦମନତ ଚତୁର୍ଦ୍ଦଶୀ ତିଥି ଉପଲକ୍ଷେ ବିଳମ୍ବିତ ରାତିରେ ଶ୍ରୀ ଲିଙ୍ଗରାଜ ତୀର୍ଥେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ। ମହାପ୍ରଭୁ ସ୍ୱର୍ଣ୍ଣାଦ୍ରି ବିଜେ କରିବା ପରେ ଚତୁର୍ଦ୍ଦଶୀ ନୀତି କରାଯିବା ସହ ଓ ମହାଦୀପ ମନ୍ଦିର ଚୂଡ଼ାକୁ ଉଠିଥିଲା। ଏହାପରେ ମହାପ୍ରଭୁ ବିନ୍ଦୁସାଗର ନିକଟ ତୀର୍ଥେଶ୍ୱର ମନ୍ଦିରକୁ ଦୟଣା ଆଣିବାକୁ ଯାଇଥିଲେ।

ଚନ୍ଦନ ଯାତ୍ରାର ପ୍ରତିଶ୍ରୁତି ପରେ ଖୋଲିଲା ପହଡ଼ 

ମହାପ୍ରଭୁ ରାମେଶ୍ୱର ଯାତ୍ରାରେ ଗଲାବେଳେ ମା’ପାର୍ବତୀଙ୍କୁ ସାଙ୍ଗରେ ନେଇ ନଥିଲେ। ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଆଜି ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ବେଳେ ମା’ ଅଭିମାନରେ କବାଟ ବନ୍ଦ କରିଦେଇଥିଲେ। ତେବେ ମା’ଙ୍କ ଅଭିମାନକୁ ଥଣ୍ଡା କରିବାକୁ ଯାଇ ତାଙ୍କୁ ୨୨ଦିନ ଚନ୍ଦନ ଯାତ୍ରା ପାଇଁ ସାଙ୍ଗରେ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ମା’ କବାଟ ଖୋଲିଥିଲେ। ସେବାୟତମାନଙ୍କ ବଚନିକାରେ ଏହି ମନୋରମ ଦୃଶ୍ୟ ଦେଖିବାକୁ ବହୁ ଲୋକେ ରୁଣ୍ଡ ହୋଇଥିଲେ।

ସମ୍ବନ୍ଧିତ ଖବର