ପଢ଼ୁଆଁ ହେଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର: ଆଜି ପ୍ରଥମାଷ୍ଟମୀରେ ମହାପ୍ରଭୁ ଶୀଲିଙ୍ଗରାଜ ପଢ଼ୁଆଁ ହୋଇଛନ୍ତି। ସନ୍ଧ୍ୟାରେ ମହାପ୍ରଭୁ ଶ୍ରୀ ମୈତ୍ରେଶ୍ୱର ମନ୍ଦିରକୁ ଯାତ୍ରା କରିବା ପରେ ପଢ଼ୁଆଁ ନୀତି ସମାପନ କରାଯାଇଥିଲା। ଦ୍ୱିପ୍ରହର ମନ୍ଦିରରେ ଧୂପ ଓ ଆଳତି କରାଯିବା ପରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମାଙ୍କ ସହ ମା’ ପାର୍ବତୀ, ମା’ ଦୁର୍ଗା, ଶ୍ରୀ ବସୁଦେବ ସୁସଜ୍ଜିତ ବିମାନ ଓ ପାଲିଙ୍କିରେ ବଢ଼େଇବାଙ୍କ ଛକ ନିକଟ ମୈତ୍ରେଶ୍ବର ମନ୍ଦିରକୁ ଯାତ୍ରା କରିଥିଲେ। ସେଠାରେ ବଭିନ୍ନ ଫୁଲ ଓ ରଙ୍ଗୋଲିରେ ଚିତ୍ର ଅଙ୍କନ କରାଯିବା ସହ ଆତସବାଜିରେ ଦେବଦେବୀଙ୍କୁ ସ୍ୱାଗତ କରାଯାଇଥିଲା। ବଡ଼ୁ ସେବାୟତ ଶ୍ରୀଜିଉଙ୍କୁ ମଣେଇବା ପରେ ଦେବଦେବୀଙ୍କୁ ମନ୍ଦିରର ସମ୍ମୁଖ ସିଂହାସନରେ ବସାଯାଇଥିଲା। ଏହା ପରେ ପାପନାଶିନୀ ପୁଷ୍କରିଣୀର ପାଣିକୁ ସଂସ୍କାର କରାଯାଇ ପୂଜାର୍ଚନା ଓ ସ୍ନାନ କରାଯାଇଥିଲା। ପରେ ଦେବଦେବୀଙ୍କୁ ନୂଆ ଲୁଗା ପିନ୍ଧା ଯାଇଥିଲା। ପୂଜାପଣ୍ଡା ସେବାୟତ ପଞ୍ଚ ଉପଚାରରେ ପୂଜାକରି ମାମୁଁ ଭଣଜାଙ୍କୁ ମୁଆଁ ଭୋଗ କରାଇ ଭେଟ ଆଳତି କରିଥିଲେ। ପ୍ରତ୍ୟାବର୍ତନ ବେଳେ ଶ୍ରୀଲିଙ୍ଗରାଜଙ୍କ ମାଇଁ କପାଳି ଠାକୁରାଣୀଙ୍କ ପାଖରେ ଭେଟ ଆଳତି କରାଯାଇଥିଲା। ଏହା ପରେ ଦେବଦେବୀ ମନ୍ଦିରକୁ ଫେରିଥିଲେ। ସେହିପରି ଶ୍ରୀ କପିଳନାଥ ମଧ୍ୟ ଆଜି ପଢ଼ୁଆଁ ହୋଇଛନ୍ତି। ସ୍ଥାନୀୟ କୈବର୍ତ୍ତ ସାହି ଛକ ନିକଟରେ ଥିବା ଶ୍ରୀଝୁଣ୍ଟୁକେଶ୍ୱର ମହାଦେବ ମନ୍ଦିରରୁ ଗତକାଲି ଯାଇଥିବା ନୂଆ ଲୁଗାକୁ କପିଳନାଥଙ୍କୁ ବିଧି ମୁତାବକ ପିନ୍ଧା ଯାଇଥିଲା।

ସମ୍ବନ୍ଧିତ ଖବର