ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସିଲା ବର୍ଜ୍ୟବସ୍ତୁ ପରିଚାଳନା ମେସିନ୍‌

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗିବ ବର୍ଜ୍ୟବସ୍ତୁ ପରିଚାଳନା ମେସିନ୍‌। ଆଜି ଏହି ମେସିନ୍‌ ମନ୍ଦିରରେ ପହଞ୍ଚିଛି। ଏହାକୁ ଆନନ୍ଦ ବଜାରରେ ଲାଗାଯିବ। ପୂଜା ପରେ ବାହାରୁଥିବା ପାଦୁକ, ବେଲପତ୍ର, କଦଳୀ ଚୋପାକୁ ଆଉ ଏଣେତେଣେ ପକାଯିବ ନାହିଁ। ସେହିପରି ବଳକା ଅବଢ଼ା କଦଳୀ ପତ୍ର ବାହାରେ ଫିଙ୍ଗା ନଯାଇ ଏହି ମେସିନ୍‌ରେ ପକାଇ ସାର ତିଆରି ହେବ। ୧୨ଫୁଟ୍‌ ଚଉଡ଼ା ଓ ୧୦ଫୁଟ୍ ଲମ୍ବା ବିଶିଷ୍ଟ ଏହି ମେସିନ୍‌ ଦ୍ବାରା ବଳକା ଅବଢ଼ା ଓ ପାଦୁକକୁ ୨୪ଘଣ୍ଟା ମଧ୍ୟରେ ସାରରେ ପରିଣତ କରାଯିବ। ସାରକୁ ମନ୍ଦିର ପ୍ରଶାସନ ପକ୍ଷରୁ ବିକ୍ରି କରାଯିବ ବୋଲି ସୂଚନା ମିଳିଛି।

ମନ୍ଦିରରୁ ପ୍ରତିଦିନ ପ୍ରାୟ ଗୋଟିଏ ଟ୍ରକ୍‌ ପାଦୁକ ବାହାରୁଛି। ଶ୍ରାବଣ ମାସ, ମହାଶିବରାତ୍ରି ଆଦି ପର୍ବ ସମୟରେ ୫ରୁ ୭ଟ୍ରକ୍‌ ଆବର୍ଜନା ବାହରୁଛି। ଠାକୁରଙ୍କ ଉପରେ ଲାଗି ହେଉଥିବା ବେଲପତ୍ର, କଦଳୀ, ଫୁଲ ଆଦି ବାହାର କରାଯାଇ ହାଟ ନିକଟ ଡଷ୍ଟ୍‌ବିନ୍‌ରେ ପକାଯାଉଛି। ସେହିପରି ଆନନ୍ଦ ବଜାରରେ ଅଇଁଠା କଦଳୀପତ୍ର ଓ ବଳୁଥିବା ଅବଢ଼ା ମଧ୍ୟ ନଷ୍ଟ ହେଉଛି। ଠାକୁରଙ୍କଠାରେ ଲାଗି ହେଉଥିବା ପାଦୁକ ଡଷ୍ଟବିନ୍‌ରେ ଫୋପଡ଼ା ହେବାରୁ ତାହା ଭକ୍ତମାନଙ୍କ ଭାବାବେଗକୁ ଆଘାତ ପହଞ୍ଚାଉଛି। ତେବେ ଏହି ମେସିନ୍‌ ଆସିବା ପରେ ପାଦୁକକୁ ଆଉ ଡ‌ଷ୍ଟବିନ୍‌ରେ ପକାଯିବ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର