ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ବିକ ପର୍ଯ୍ୟଟନ ପ୍ରକଳ୍ପ ସମୀକ୍ଷା କଲେ ମନ୍ତ୍ରୀ

ପୁରୁଣା ଭୁବନେଶ୍ୱର: ଏକାମ୍ର ବିଧାୟକ ତଥା ବିଜ୍ଞାନ ଓ ପ୍ରଯୁକ୍ତି, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ପୂର୍ବାହ୍ନରେ ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ବିକ ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଥିଲେ। ମନ୍ତ୍ରୀ ଶ୍ରୀ ପଣ୍ଡା ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସ ପରିଦର୍ଶନ କରିବା ସହ ପୁରୁଣା ମାର୍କେଟ ମଧ୍ୟ ପରିଦର୍ଶନ କରିଥିଲେ। ପୁରୁଣା ମାର୍କେଟଟି ଭାଙ୍ଗି ସେଠାକାର ସୌନ୍ଦର୍ଯ୍ୟକରଣ ନିମନ୍ତେ ଶ୍ରୀ ପଣ୍ଡା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟାମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗର ନିର୍ଦେଶକ ନିର୍ମଳ ଶତପଥୀ, ବିଏ୍‌ସିର ଅତିରିକ୍ତ କମିଶନର ସୁମନ୍ତ ମିଶ୍ର, ଓଟିଡିସିର ଅଧୀକ୍ଷଣ ଯନ୍ତ୍ରୀ ମହେନ୍ଦ୍ର କୁମାର ମହାନ୍ତି, ପୂର୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରଞ୍ଜିତ୍ ସାହୁ, ଓଟିଡିସିର ଅର୍କିଟେକ୍ଚର ଅକ୍ଷୟ ବେହୁରା, ବିଏମ୍‌ସିର ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ସ୍ଥାନୀୟ ପୂର୍ବତନ କର୍ପୋରେଟର ପ୍ରମୁଖ ଉପସ୍ଥିତ ଥିଲେ।

ଏହାପରେ ଶ୍ରୀ ପଣ୍ଡା ମହିଁଷାଖାଲ ଠାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ପାଇଁ ନିର୍ମାଣ ହେଉଥିବା ଗୃହଗୁଡ଼ିକୁ ପରିଦର୍ଶନ କରିବାକୁ ଯାଇଥିଲେ। ଅବଶିଷ୍ଟ କାର୍ଯ୍ୟ ଯଥାଶୀଘ୍ର ଶେଷ କରି ହିତାଧିକାରୀମାନଙ୍କୁ ଥଇଥାନ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଶ୍ରୀ ପଣ୍ଡା ବିଗତ ମନ୍ତ୍ରୀ ମଣ୍ଡଳରେ ପର୍ଯ୍ୟଟନ ମନ୍ତ୍ରୀ ଥିବା ସମୟରେ ପର୍ଯ୍ୟଟନ କ୍ଷେତ୍ରରେ ଲିଙ୍ଗରାଜ ମନ୍ଦିର ସହ ପୁରୁଣା ଭୁବନେଶ୍ୱରର ପାରିପାର୍ଶ୍ବିକ ଉନ୍ନତି ନିମନ୍ତେ ବହୁ ପ୍ରକଳ୍ପ ଅନୁମୋଦନ ସହ ଅର୍ଥ ମଞ୍ଜୁର କରିଥିଲେ। ପ୍ରକଳ୍ପଗୁଡ଼ିକର ମଧ୍ୟରେ ଦେବୀ ପାଦହରା ଓ ଅନନ୍ତ ବାସୁଦେବ ମନ୍ଦିର ଅଞ୍ଚଳର ପାରିପାର୍ଶ୍ବିକ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ଲିଙ୍ଗରାଜ ମନ୍ଦିର ନିକଟରେ ଯାତ୍ରୀ ସୁବିଧା କେନ୍ଦ୍ର ପ୍ରମୁଖ। ଏହିସବୁ ପ୍ରକଳ୍ପ ନିମନ୍ତେ ପ୍ରାୟ ୮.୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। କେଦାର କୁଣ୍ଡ ସହ ପୁରୁଣା ଭୁବନେଶ୍ୱରର ଆହୁରି ୫ଟି ପୋଖରୀର ପୁନରୁଦ୍ଧାର ପରେ ଦୟାନଦୀରୁ ପାଇପ୍ ଯୋଗେ ଏସବୁ ପୋଖରୀଗୁଡ଼ିକୁ ଜଳ ଭର୍ତି କରିବା ନିମନ୍ତେ ୬.୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ସମ୍ବନ୍ଧିତ ଖବର