ପୁରୁଣା ଭୁବନେଶ୍ୱର: ଆସନ୍ତା ସୋମବାର ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଅବସରରେ ରବିବାର ଅପରାହ୍ଣରୁ କାଉଡ଼ିଆମାନେ ଏକାମ୍ର କ୍ଷେତ୍ରରେ ପହଞ୍ଚିବେ। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନୀତିକାନ୍ତି ଠିକ୍ରେ ପାଳନ କରିବା ସହ ବିଭିନ୍ନ ବିଭାଗ ପୂର୍ବ ପ୍ରସ୍ତୁତି କରିବାକୁ ମନ୍ଦିର ପ୍ରଶାସନ ନିର୍ଦେଶ ଦେଇଛି। ଏନେଇ ମନ୍ଦିର ଭିତରେ ଓ ବାହାରେ ଏଏସ୍ଆଇ ପକ୍ଷରୁ ବ୍ୟାରିକେଡ୍ କାମ ଆରମ୍ଭ ହୋଇଛି। ସିଂହଦ୍ୱାରଠାରୁ ପାଚେରି କଡ଼ରେ ଉତ୍ତରଦ୍ବାର ପର୍ଯ୍ୟନ୍ତ ଏବଂ ଦକ୍ଷିଣ ଦ୍ୱାର ପର୍ଯ୍ୟନ୍ତ ପାଚେରି କଡ଼ରେ ବ୍ୟାରିକେଡ୍ ବନ୍ଧାଯିବ ବୋଲି ଏଏସ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଶ୍ରାବଣ ମାସ ସାରା ବଢ଼େଇବାଙ୍କ ଛକରୁ ମନ୍ଦିର ଓ ମନ୍ଦିର ଚତୁଃପାର୍ଶ୍ବରେ ଆମିଷ ଦୋକାନ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି।
ଟ୍ରାଫିକ୍ ନିୟନ୍ତ୍ରଣ ସହ କାଉଡ଼ିଆମାନଙ୍କ ସୁରକ୍ଷା ଦୃଷ୍ଟିରୁ ରବିବାର ଅପରାହ୍ଣରୁ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ଥାନା ଅଧିକାରୀ ଶରତ ଚନ୍ଦ୍ର ସାହୁ କହିଛନ୍ତି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ସୂଚନା ମୁତାବକ, ମନ୍ଦିର ଭୋର୍ ୩ଟାରୁ ଖୋଲାଯିବ। ଭୋର୍ ସାଢ଼େ ୩ଟାରେ ମଙ୍ଗଳଆଳତି ଓ ଅବକାଶ ସମ୍ପନ୍ନ ହେବା ପରେ ଭୋର୍ ୪ଟାରେ ସାହାଣମେଲା ଦର୍ଶନ ଆରମ୍ଭ ହେବ। ଆଡ଼ କାଠ ନିକଟରୁ ଗର୍ଭ ଗୃହ ପର୍ଯ୍ୟନ୍ତ ଏକ ତମ୍ୱା ପାତ୍ରର ନଳ ରହିବ। କାଉଡ଼ିଆମାନେ ଧାଡ଼ି ବାନ୍ଧି ଆସି ଆଡ଼କାଠ ନିକଟରେ ଠିଆ ହୋଇ ସେହି ତମ୍ୱା ପାତ୍ରରେ ଆଣିଥିବା ତୀର୍ଥ ଜଳ ଢାଳିବେ। ଏହି ପାତ୍ରରୁ ତୀର୍ଥ ଜଳ ଯାଇ ସିଧା ଠାକୁରଙ୍କ ଶକ୍ତି ଉପରେ ପଡ଼ିବ। ପ୍ରତ୍ୟେକ କାଉଡ଼ିଆଙ୍କଠାରୁ ଏଥି ନିମନ୍ତେ ୧୦ଟଙ୍କା ଶ୍ରାବଣୀ ପାଉଣା ଆଦାୟ କରାଯିବ।