ଦେଢ଼ ଦିନର ଟଣାଓଟରା ପରେ ନୀତି ସ୍ବାଭାବିକ

୩୬ଘଣ୍ଟା ଉପାସ ରହିଲେ ଶ୍ରୀ ଲିଙ୍ଗରାଜ

ଗଠନ ହେଲା ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟବୋର୍ଡ
କାର୍ଯ୍ୟରେ ଯୋଗଦେଲେ ଦୁଇ ନିଯୋଗ

ପୁରୁଣା ଭୁବନେଶ୍ୱର : ‌‌‌ଦେଢ଼ ଦିନ ଧରି ଉପାସ ରହିବା ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଆଜି ସଂଧ୍ୟାରେ ଆହାର ଗ୍ରହଣ କରିଛନ୍ତି। ଜମି ବିବାଦକୁ କେନ୍ଦ୍ର କରି ଯେଉଁ ସେବକମାନେ ମହାପ୍ରଭୁଙ୍କୁ ଉପାସରେ ପକାଇ ଦେଇଥିଲେ, ସକାଳଧୂପରେ ସେମାନେ ମହାପ୍ରଭୁଙ୍କୁ ଖେଚୁଡ଼ି, ଅନ୍ନ, ଡାଲି, ଶାଗ, କଦଳୀ ଭଜା ଓ କାକରା ପିଠା ଲାଗି କରିଛନ୍ତି। ତିନି ନିଯୋଗକୁ ନୋଟିସ୍‌ କରାଯିବା ସହ ବିବାଦୀୟ ଜମି ସମ୍ପର୍କରେ ତଦନ୍ତ ପ୍ରତିଶ୍ରୁତି ଓ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟବୋର୍ଡ ଗଠନ ହେବା ପରେ ଦେଢ଼ ଦିନ ଧରି ଚାଲିଥିବା ଟଣାଓଟରାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଫଳରେ ମନ୍ଦିର ପରିସ୍ଥିତି ସ୍ବାଭାବିକ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ମୂଲ୍ୟବାନ ଜମିକୁ ନେଇ ଗତକାଲିଠାରୁ ଦେଖାଦେଇଥିବା ବିବାଦ ଓ ନୀତି ବନ୍ଦ ପାଇଁ ଆଜି ସକାଳୁ ରାଜ୍ୟ ଦେବୋତ୍ତର ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଥିଲା। ଆଇନ ମନ୍ତ୍ରୀ ପ୍ରତାପ ଜେନା ଦେବୋତ୍ତର କମିସନର୍‌ ଚିତ୍ତରଞ୍ଜନ ମହାପାତ୍ରଙ୍କୁ ଫୋନ କରିବା ପରେ ସମାଧାନ କରିବାକୁ ତତ୍ପରତା ଆରମ୍ଭ ହୋଇଥିଲା। ଶ୍ରୀ ମହାପାତ୍ର ତିନି ପ୍ରମୁଖ ନିଯୋଗ ସମ୍ପାଦକଙ୍କ ସହ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ଯୋଗାଯୋଗ କରିଥିଲେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଦେବୋତ୍ତର କମିସନର ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ବୈଠକ ବସିଥିଲା। ଏଥିରେ ଅତିରିକ୍ତ ଦେବୋତ୍ତର କମିସନର, ସହାୟକ ଦେବୋତ୍ତର କମିସନର୍‌, ଅତିରିକ୍ତ ଜିଲ୍ଲାପାଳ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୋଗ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ପ୍ରଥମେ ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ ବୈଠକରେ ଯୋଗ ଦେଇଥିଲେ ହେଁ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଅନୁପସ୍ଥିତ ଥିଲେ। ବଡ଼ୁ ନିଯୋଗ ସମ୍ପାଦକ ବୈଠକରୁ ବାହାରିବା ପରେ ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ବୈଠକରେ ସାମିଲ ହୋଇଥିଲେ। ବୈଠକରେ ନିଯୋଗ ପ୍ରତିନିଧିଙ୍କ ସହ ଆଲୋଚନା କରାଯିବା ପରେ ଦେବୋତ୍ତର ବିଭାଗ ନିଷ୍ପତ୍ତି ଶୁଣାଇ ନୋଟିସ୍‌ କରିଥିଲେ। ବିବାଦୀୟ ଜମିରେ କାମ ବନ୍ଦ ପାଇଁ ନିର୍ଦେଶ ଦେବା ସହ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ପ୍ରତିନିଧି କାର୍ଯ୍ୟରେ ଯୋଗ ଦେବା ପାଇଁ ସେ ନୋଟିସ୍‌ରେ ଉଲ୍ଲେଖ କରିଥିଲେ। ଏହାର ନକଲ ପୁଲିସ ଡିଜି, ଡିସିପି, ଧଉଳି ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଧଉଳି ଥାନା ଏହି ନୋଟିସ୍‌ ପାଇ ବିବାଦୀୟ ଜମି ନିକଟକୁ ଯାଇ କାମ ବନ୍ଦ ଥିବା ଦେବୋତ୍ତର ବିଭାଗକୁ ଜଣାଇଥିଲା। କିନ୍ତୁ ବ୍ରାହ୍ମଣ ନିଯୋଗ ସମ୍ପାଦକ ଓ ପୂଜାପଣ୍ଡା ନିଯୋଗ ସମ୍ପାଦକ ତଦନ୍ତ ନିଷ୍ପତ୍ତିର ଲିଖିତ ପ୍ରତିଶ୍ରୁତି ମାଗିଥିଲେ। ସେମାନେ କହିଥି‌ଲେ ଯେ ବିବାଦୀୟ ଜମିରେ ନିର୍ମାଣ କାମ ସରିବା ପରେ ପ୍ରଶାସନ ଏବେ କାମ ବନ୍ଦ କରୁଛି। ଏଣୁ ଏହାର ତଦନ୍ତ ପାଇଁ ଲିଖିତ ପ୍ରତିଶ୍ରୁତି ପରେ ସେବା କାର୍ଯ୍ୟ ଆରମ୍ଭ ହେବ। ସନ୍ଧ୍ୟା ସାଢ଼େ ୫ଟାରେ ଲିଖିତ ପ୍ରତିଶ୍ରୁତି ପାଇବା ପରେ ସନ୍ଧ୍ୟା ୬ଟାରେ ମନ୍ଦିରରେ ନୀତି ଆରମ୍ଭ ହୋଇଥିଲା।

କ’ଣ ହେଲା ନିଷ୍ପତ୍ତି:
୧- ଦେବୋତ୍ତର ବିଭାଗର ନିଷ୍ପତ୍ତି ଅନୁଯାୟୀ ବୈଠକରେ ତିନି ନିଯୋଗକୁ ନୋଟିସ୍‌ ସମ୍ପର୍କରେ କୁହାଯାଇଥିଲା। ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ କାହିଁକି ଗତକାଲି ସେବା କାର୍ଯ୍ୟରେ ଯୋଗ ଦେଇନାହାନ୍ତି, ସେନେଇ କୈଫିୟତ ତଲବ କରିବେ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ବିଭାଗ ୩୨ରେ ନୋଟିସ୍‌ କରିଥିଲେ।

୨- ବିବାଦୀୟ ଜମିରେ ନିର୍ମାଣ କରୁଥିବା ବଡ଼ୁ ନିଯୋଗ ତାଙ୍କର ପ୍ରମାଣ ଦେଖାଇବେ। ଏହି ବିବାଦୀୟ ଜମିର ପ୍ରକୃତ ମାଲିକ କିଏ, ଏଥିପାଇଁ ଦେବୋତ୍ତର ବିଭାଗ ସହାୟକ କମିସନର ଆଶିଷ ପଟ୍ଟନାୟକ ଅନୁଧ୍ୟାନ କରିବେ। ଗତ ଜୁଲାଇ ୧୯ତାରିଖରୁ ଟ୍ରଷ୍ଟ ବୋର୍ଡ ଭାଙ୍ଗିଥିବା ବେଳେ ନୂଆ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟବୋର୍ଡ ଗଠନ ଘୋଷଣା କରାଯାଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ, ଏସିପି ଓ ଆଇନଜୀବୀ ମାନସ ମହାପାତ୍ର ସଭ୍ୟ ରହିବେ।

ରାତି ୨ଟାରେ ହେଲା ବଡ଼ ସିଂହାର ବେଶ:
ସନ୍ଧ୍ୟା ୬ଟାରେ ମନ୍ଦିରରେ ନୀତି ଆରମ୍ଭ ହୋଇଥିଲା। ପ୍ରଥମେ ମାଘସ୍ନାନ ପରେ ମଙ୍ଗଳ ଆଳତି, ଅବକାଶ, ରୋଷହୋମ, ମହାସ୍ନାନ, ବେଶ, ସୂର୍ଯ୍ୟପୂଜା ଦ୍ବାରପାଳ ପୂଜା, ବଲ୍ଲବ, ଠାକୁରାଣୀ ବଲ୍ଲଭ, ସକାଳ ଧୂପ, ଠାକୁରାଣୀ ସକାଳ ଧୂପ, ଭୋଗ ମଣ୍ଡପ, ଦର୍ଶନ, ବୀରକି‌ଶୋର ବଲ୍ଲଭ, ଦ୍ବିପ୍ରହର ଧୂପ, ଠାକୁରାଣୀ ଦ୍ବିପ୍ରହର ଧୂପ, ପହୁଡ଼, ପହୁଡ଼ ଖୋଲିବା ଆଳତି, ଟେରାଫିଟା, ସନ୍ଧ୍ୟା ଧୂପ, ଠାକୁରାଣୀ ସନ୍ଧ୍ୟା ଧୂପ, ବଡ଼ସିଂହାର, ପଞ୍ଚବକ୍ର ଆଳତି ପରେ ପହୁଡ଼ ପକାଯାଇଥିଲା। ମନ୍ଦିରରେ ଆଜି ନୀତି ବିଳମ୍ବରେ ଆରମ୍ଭ ହୋଇଥିବାରୁ ରାତି ୨ଟାରେ ବଡ଼ ସିଂହାର ହୋଇଥିଲା।

ପ୍ରକାଶ ଥାଉକି ସାମନ୍ତରାପୁର ଗଙ୍ଗୁଆ ନିକଟରେ ଥିବା ମହାପ୍ରଭୁଙ୍କ ୨ଏକର ୨୬୩ ଡେସିମିଲ ଜମିକୁ କିଛି ସେବାୟତ ଜବରଦଖଲ କରି ନିର୍ମାଣ କାର୍ଯ୍ୟ କରୁଥିବା ସେବାୟତମାନେ ଅଭିଯୋଗ କରିଥିଲେ। ମହାପ୍ରଭୁଙ୍କ ଜମିରେ ଜବରଦଖଲ ଯୋଗୁଁ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ପ୍ରତିବାଦରେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ମହାପ୍ରଭୁଙ୍କ ନୀତିକାନ୍ତିରେ ଅସହଯୋଗ କରିଥିଲେ। ଫଳରେ ଗତକାଲି ସକାଳୁ ୭ଟାରୁ ମଙ୍ଗଳ ଆଳତି ଅବକାଶ ପରେ ନୀତି ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର