ପୁରୁଣା ଭୁବନେଶ୍ୱର : ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର କବାଟ ସଫେଇ କରିବାକୁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ସ୍ଥିର ହୋଇଥିଲା। ମାତ୍ର ଏଏସଆଇର ପୂର୍ବତନ କର୍ମଚାରୀମାନେ ଏହାକୁ ବିରୋଧ କରିବାକୁ ସଜବାଜ ହୋଇଥିଲେ। ଫଳରେ ଘଟଣାସ୍ଥଳରୁ ପୁଲିସ ୯ଜଣ ପୂର୍ବତନ କର୍ମଚାରୀଙ୍କୁ ଧରିନେଇ ଥାନାରେ ଅଟକ ରଖି ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରି ପାଇଁ ପ୍ରଶାସନର ପ୍ରସ୍ତୁତି ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ସଫେଇ କାମ ଆରମ୍ଭ ହୋଇଛି। ମହାଶିବରାତ୍ରି ସମନ୍ବୟ ବୈଠକର ନିଷ୍ପତ୍ତି ଅନୁଯାୟୀ ମନ୍ଦିର ସିଂହଦ୍ବାର ପିତ୍ତଳ କବାଟ ସଫେଇ ଏଏସ୍ଆଇ ପକ୍ଷରୁ କରାଯିବ। ଏଏସ୍ଆଇର କେମିକାଲ ଟିମ୍ ଦ୍ବାରା ଆସନ୍ତା ୧୮ତାରିଖ ସୁଦ୍ଧା ଏହି କାର୍ଯ୍ୟ ସରିବ। ଏହି ସମୟରେ କୌଣସି ପୂର୍ବତନ କର୍ମଚାରୀ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ପଦକ୍ଷେପ ନେବ। ଆଜି ଏଏସ୍ଆଇ ପକ୍ଷରୁ ସିଂହଦ୍ବାର ପିତ୍ତଳ କବାଟ ସଫେଇ କରାଯିବ ବୋଲି ଘୋଷଣା ହୋଇଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ପୂର୍ବାହ୍ନ ସାଢ଼େ ୧୦ଟାରୁ ସେଠାରେ ଉପସ୍ଥିତ ଥିଲା। ତେବେ ଏଏସ୍ଆଇ ପକ୍ଷରୁ କୌଣସି କର୍ମଚାରୀ ଆସିନଥିଲେ। ମନ୍ଦିର ସିଂହଦ୍ବାର ନିକଟରେ କେତେକ ପୂର୍ବତନ କର୍ମଚାରୀ ଏକାଠି ହୋଇଥିବା ଖବର ପାଇ ପୁଲିସ ସେମାନଙ୍କୁ ଥାନାକୁ ନେଇ ପରେ ଛାଡ଼ି ଦେଇଥିଲା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/lingaraj-temple.jpg)