ଝଲସିବ ଶ୍ରୀଲିଙ୍ଗରାଜ ମନ୍ଦିର: ଭକ୍ତଙ୍କ ପାଇଁ ଫାଇବର ସେଡ୍‌, ଫୁଲରେ ସଜେଇ ହେବ ସିଂହଦ୍ବାର

ପୁରୁଣା ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ମହାଶିବରାତ୍ରି। ଏନେଇ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ରଙ୍ଗିନ ଆଲୋକମାଳାରେ ଝଲସିବା ସହ ମନ୍ଦିର ସିଂହଦ୍ବାର ଯେପରି ଅଧିକ ଆକର୍ଷଣୀୟ ହେବ, ସେନେଇ ପ୍ରସ୍ତୁତି ଚାଲିଛି। ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଯାତାୟାତ ପାଇଁ ଫାଇବର ସେଡ୍‌ କରାଯିବା ସହ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ମନ୍ଦିର ସିଂହଦ୍ବାର ସମ୍ମୁଖରୁ ପର୍ଯ୍ୟଟକଙ୍କ ଯାତାୟାତ ପାଇଁ ଫାଇବର୍‌ ସେଡ୍‌ ଲଗାଯାଉଛି। ଏହା ସର୍ବଦା ରହିବ ବୋଲି ଓବିସିସି ପକ୍ଷରୁ କୁହାଯାଇଛି। ପ୍ରାୟ ୨୦ଫୁଟ୍‌ ଚଉଡ଼ା ୧୩୦ ଫୁଟ୍‌ ଲମ୍ବରେ ଏହି ସେଡ୍‌ କରାଯାଉଛି। ଭକ୍ତମାନଙ୍କୁ ବର୍ଷା ଓ ଖରାରୁ ରକ୍ଷା ପାଇଁ ଏହି ସେଡ୍‌ ସହାୟକ ହେବ। ସେହିପରି ମନ୍ଦିର ସମ୍ମୁଖ ଦୁଇ ପାର୍ଶ୍ବ ଖାଲି ସ୍ଥାନରେ ଭକ୍ତଙ୍କ ପାଦଚଲା ରାସ୍ତା ପାଇଁ ପେଭର ବ୍ଲକ୍‌ ବିଛାଯିବା କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାଶିବରାତ୍ରିରେ ଅଧିକ ଶ୍ରଦ୍ଧାଳୁ ଯିବା ଆସିବା କରିବା ସମ୍ଭାବନା ଥିବାରୁ ଏହି ପେଭର ବ୍ଲକ ଉପରେ ଚେୟାର ପକାଯିବା ସହ ଲାଇଟ୍‌ ଲଗାଯିବ। ଏଥିସହ ବିଭିନ୍ନ ଫୁଲକୁଣ୍ଡ ରଖାଯିବ ବୋଲି ଓବିସିସିର ଜଣେ ଅଧିକାରୀ କହିଛନ୍ତି। ସେହିପରି ମନ୍ଦିର ସମ୍ମୁଖ ଉଭୟ ପାର୍ଶ୍ବରେ ଖାଲିଥିବା ସ୍ଥାନରେ ଛାମୁଣ୍ଡିଆ କରାଯିବ। ଏହି ଅଞ୍ଚଳ ଚାରିପଟେ ବ୍ୟାରିକେଡ୍‌ କାମ ଆରମ୍ଭ ହୋଇଛି। ଦେବୀପାଦହରା ପୁଷ୍କରିଣୀ ଭିତରେ ଅଧିକ ଲାଇଟ୍‌ ଲଗାଯିବା ସହ ପୁଷ୍କରିଣୀ ଚାରିପଟେ ଆଲୋକମାଳାରେ ସଜା ହେବ। ସେହିପରି ଶ୍ରୀଲିଙ୍ଗରାଜଙ୍କ ମେଘନାଦ ପାଚେରି ଆଲୋକମାଳାରେ ସଜ୍ଜିତ ହେବ। ଏହି ଲାଇଟ୍‌କୁ ପିଡବ୍ଲୁଡି ପକ୍ଷରୁ ଲଗାଯିବ। ଗତବର୍ଷ ପରି ଚଳିତ ବର୍ଷ ମନ୍ଦିର ସିଂହଦ୍ବାରକୁ ଫୁଲରେ ସଜା ହେବ। ମନ୍ଦିର ଭିତରେ ବିଭିନ୍ନ ମଣ୍ଡପ ରଙ୍ଗ କାମ ଆରମ୍ଭ ହୋଇଥିବା ବେଳେ ସିଂହ ରଙ୍ଗ ଆରମ୍ଭ ହୋଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଚିତ୍ରଶିଳ୍ପୀ ଶିବ ନାରାୟଣ ସେନାପତି ତାଙ୍କ ସହଯୋଗୀଙ୍କ ଦ୍ବାରା ରଙ୍ଗ କାମ ଆରମ୍ଭ ହୋଇଛି। ସେହିପରି ବେହରଣ ମଣ୍ଡପ ଓ ଚାହାଣି ମଣ୍ଡପକୁ ମଧ୍ୟ ରଙ୍ଗ କରାଯାଇଛି।

ସମ୍ବନ୍ଧିତ ଖବର