୨୧ରେ ବଳୟ ସୂର୍ଯ୍ୟୋପରାଗ, ମଧ୍ୟାହ୍ନ୧୨ଟାରେ ଶ୍ରୀଲିଙ୍ଗରାଜଙ୍କ ମହାସ୍ନାନ

ପୁରୁଣା ଭୁବନେଶ୍ୱର : ଆସନ୍ତା ୨୧ତାରିଖରେ କଙ୍କଣଗ୍ରାସ (ବଳୟ) ସୂର୍ଯ୍ୟୋପରାଗ। ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ପାଞ୍ଜି ତଥ୍ୟାନୁସାରେ ସକାଳ ୧୦ଟା ୩୮ରେ ପରାଗ ସ୍ପର୍ଶ ଆରମ୍ଭ ହେଉଥିବା ବେଳେ ୧୨ଟା ୨୬ରେ ମଧ୍ୟ ଭାଗ ଓ ମଧ୍ୟ‌ାହ୍ନ ୨ଟା ୯ମିନିଟ୍‌ ପର୍ଯ୍ୟନ୍ତ ପରାଗ ପାଇଁ ସର୍ବମୋକ୍ଷ ସମୟ ରହିଛି। ତେଣୁ ଏହି ଅବଧି ମଧ୍ୟରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଳିତ ହେବାକୁ ବିଧି ଉପରେ ଆଜି ସୂଚନା ପ୍ରଦାନ କରାଯାଇଛି।

ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ ସୂର୍ଯ୍ୟୋପରାଗ ଚାଲୁଥିବା ସମୟରେ ଅର୍ଥାତ୍‌ ଦିନ ୧୨ଟାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ବିନ୍ଦୁସାଗରକୁ ସ୍ନାନ କରିବାକୁ ଯିବେ। ସେଠାରୁ ଫେରି ସର୍ବମୋକ୍ଷ ସମୟ ପର୍ଯ୍ୟନ୍ତ ପ୍ରଭୁ ଅପେକ୍ଷା କରିବେ ଓ ସର୍ବମୋକ୍ଷ ପରେ ଅର୍ଥାତ୍ ଅପରାହ୍‌ଣ ୨ଟା‌ ୯ ମିନିଟ୍‌ ପରେ ଠାକୁରଙ୍କର ମହାସ୍ନାନ କରାଯିବ। ଏହାପରେ ଠାକୁର ମନ୍ଦିରରେ ରୂପା ଥାଳିରେ ଭୋଗ ଗ୍ରହଣ କରିବେ। ତା’ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯିବ।

୨୦ ତାରିଖ ଶନିବାର ରାତି ୧୦ଟା ୩୮ମିନିଟ୍‌ ସୁଦ୍ଧା ମନ୍ଦିରରେ ସନ୍ଧ୍ୟା ଧୂପ ସମାପନ କରାଯିବ। ସେହି ରାତିରେ ଆଉ ବଡ଼ସିଂହାର ବେଶ ନୀତି ସମ୍ପନ୍ନ ହେବନାହିଁ। ସେତେବେଳେ ସମସ୍ତ ଦେବ ନୀତି ବନ୍ଦ ରହିବ, କିନ୍ତୁ ରାତି ତମାମ ମନ୍ଦିର ଖୋଲା ରହିବ। ଏନେଇ ମନ୍ଦିରର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି, ବଡୁ ନିଯୋଗର ସମ୍ପାଦକ କମଳା ବଡ଼ୁ, ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା, ସମର୍ଥା ନିଯୋଗର ସଭାପତି ଶିବ ସମର୍ଥା, ମନ୍ଦିର ସୁପରଭାଇଜର, ଜ୍ୟୋତିଷ, ଭଣ୍ଡାର ମେକାପ, ଆପଟିଆ ଓ ଚର୍ଚେଇତ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର