ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ବୈଠକ : ମନ୍ଦିର ପାଇଁ ହେବ ସ୍ୱତନ୍ତ୍ର ଆଇନ

ଯୋଗଦେଲେନି ଦୁଇ ମୁଖ୍ୟ ନିଯୋଗର ପ୍ରତିନିଧି

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ସ୍ୱତନ୍ତ୍ର ଆଇନ ଗଠନ ପାଇଁ ଆଜି ପ୍ରଥମ ପଦକ୍ଷେପ ଗ୍ରହଣ କରିଛି ଟ୍ରଷ୍ଟବୋର୍ଡ। ଚିଠା ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ଆଇନ ବିଭାଗର ବିଶେଷଜ୍ଞଙ୍କ ମତ ନିଆଯିବ ବୋଲି ଆଜି ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ାଙ୍କ ସୂଚନା ଅନୁଯାୟୀ ମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ଆଇନ ଉପଦେଷ୍ଟା ନାହାନ୍ତି। ଏଥି ପାଇଁ ଆଇନ ବିଶେଷଜ୍ଞଙ୍କ ଦ୍ଵାରା ଡ୍ରାଫ୍ଟ ପ୍ରସ୍ତୁତି ପରେ ଟ୍ରଷ୍ଟବୋର୍ଡର ବୈଠକରେ ଅନୁମୋଦନ ନିଆଯିବ। ଏହା ପରେ ଦେବୋତ୍ତର ବିଭାଗ ଅନୁମତି ନିଆଯାଇ ଏହାକୁ ସରକାରଙ୍କ ପାଖକୁ ପଠାଯିବ। ବିଧାନସଭାରେ ଅନୁମୋଦନ ପରେ ଏହାକୁ ଲାଗୁ କରାଯିବ।

ସେହିପରି ମନ୍ଦିର ପ୍ରଶାସନର ଖାଲି ପଡ଼ିଥିବା ଜମିଗୁଡ଼ିକ ଭଡ଼ାରେ ଦିଆଯିବା ପାଇଁ ଟ୍ରଷ୍ଟବୋର୍ଡ ମୋହର ମାରିଛି। ଏକ ତାଲିକା ପ୍ରସ୍ତୁତ ହୋଇ ଦେବୋତ୍ତର ବିଭାଗ ଅନୁମତିରେ ଏହାକୁ ଭଡ଼ାରେ ଦିଆଯିବ। ସେହିପରି ମନ୍ଦିର ଭିତରେ ପାନପିକ ନପକାଇବା ପାଇଁ ସବୁ ନିଯୋଗକୁ ଚିଠି ଲେଖାଯିବା ସହ ନୋଟିସ୍‌ ଲଗାଯିବ ବୋଲି ସ୍ଥିର ହୋଇଛି। ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟ୍ରଷ୍ଟବୋର୍ଡର ସଭ୍ୟମାନେ ଉପସ୍ଥିତ ଥିଲେ। ତେବେ ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚିକାନ୍ତ ପୂଜାପଣ୍ଡା ବୈଠକକୁ ବର୍ଜନ କରିଛନ୍ତି। ଫଳରେ ମହାଶିବରାତ୍ରି ପାଇଁ ପ୍ରଥମ ନୀତି ନିର୍ଘଣ୍ଟ ଓ ଚନ୍ଦ୍ର ଗ୍ରହଣ ସମ୍ପର୍କରେ ଆଲୋଚନା ହୋଇପାରି ନଥିଲା। ଶ୍ରୀ ପତିଙ୍କ କହିବା ଅନୁଯାୟୀ ଶ୍ରୀଜିଉଙ୍କ ଅବକ୍ଷୟ ପ୍ରତିମୂର୍ତ୍ତିିକୁ ଆଉ ପୂଜା କରିବୁ ନାହିଁ। ନିଯୋଗ ପ୍ରତିନିଧିଙ୍କ କୌଣସି କଥା ଗୁରୁତ୍ଵ ଦିଆଯାଉ ନଥିବାରୁ ବୈଠକକୁ ବର୍ଜନ କରିଛୁ। ତେବେ ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିିଛନ୍ତି ଶ୍ରୀଜିଉଙ୍କ ଭଗ୍ନ ପ୍ରତିମା ମରାମତି ପାଇଁ ପୁଣି ଅନ୍ୟ କାରିଗରମାନଙ୍କ ସହିତ ଯୋଗାଯୋଗ କରାଯିବ। ଯେଉଁ କାରିଗର ଭଗ୍ନ ପ୍ରତିମାଗୁଡ଼ିକ ମରାମତି କରିପାରିବ ତାଙ୍କୁ ଏହି ଦାୟିତ୍ଵ ଅର୍ପଣ କରାଯିବ।

ସମ୍ବନ୍ଧିତ ଖବର