ମହାଶିବରାତ୍ରି ନୀତି ପାଇଁ ଆଲୋଚନା : ରାତି ୧୦ଟାରେ ଉଠିବ ମହାଦୀପ

ଯୋଗଦେଲେ ନାହିଁ ଦୁଇ ପ୍ରମୁଖ ନିଯୋଗ

ପୁରୁଣା ଭୁବନେଶ୍ୱର : ଆସନ୍ତା ପ୍ରେବୁଆରି ୧୪ତାରିଖରେ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ବୈଠକରେ ଦୁଇ ପ୍ରମୁଖ ନିଯୋଗ ଯୋଗ ଦେଇ ନଥିଲେ। ଦୁଇ ନିଯୋଗଙ୍କ କୌଣିସି ଆପତ୍ତି ନଥିଲେ ଏହି ସମୟକୁ ଧାର୍ଯ୍ୟ ସମୟ ରୂପେ ଗ୍ରହଣ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରକାଶ ଯେ, ଶ୍ରୀଲିଙ୍ଗରାଜମହାପ୍ରଭୁଙ୍କ ଜାଗର ଯାତ୍ରାରେ ସେବାୟତମାନଙ୍କର ରହିଛି ମୁଖ୍ୟ ଭୂମିକା। ବିଭିନ୍ନ ନୀତି ସୁରୁଖୁରୁରେ ଚାଲିଲେ ଠିକଣା ସମୟରେ ମହାଦୀପ ଉଠିବ। ତେବେ ପୂର୍ବରୁ ଏକ ନୀତି ନିର୍ଘଣ୍ଟ ବୈଠକ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି। ବିଗତ ବର୍ଷ ପରି ରାତି ୩ଟାରୁ ମନ୍ଦିର ଖୋଲାଯାଇ ସାଢ଼େ ୩ଟା ମଧ୍ୟରେ ମଙ୍ଗଳ ଆଳତି କରାଯିବ। ଏହାପରେ ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ଚାଲୁ ରହିବ। ଅପରାହ୍ଣ ୪ଟାରୁ ୫ଟା ଓ ରାତି ୧୦ଟାରୁ ୧୧ଟା ସାହାଣମେଲା ଦର୍ଶନ ହେବ। ତେବେ ରାତି ୧୦ଟାରେ ମହାଦୀପ ଉଠାଯିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର କୌଣସି ପ୍ରତିନିଧି ଯୋଗ ଦେଇ ନଥିଲେ। ଏହି ଦୁଇ ନିଯୋଗ ପ୍ରତିନିଧିଙ୍କୁ ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି। ଦୁଇ ଦିନ ମଧ୍ୟରେ କୌଣିସି ଆପତ୍ତି ଥିବା ଜଣାଇଲେ ଏହାକୁ ଧାର୍ଯ୍ୟ ସମୟ ବୋଲି ମନ୍ଦିର ପ୍ରଶାସନର କର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା କହିଛନ୍ତି। ଏନେଇ ବ୍ରହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚିକାନ୍ତ ପୂଜାପଣ୍ଡା କୁହନ୍ତି ପ୍ରଶାସନର ଟ୍ରଷ୍ଟ ବୋର୍ଡ ବୈଠକରେ ଯେଉଁ ସବୁ ପ୍ରସ୍ତାବ ଦେଉଛୁ ତାହା ଠକଣା ଭାବେ ଆଲୋଚନା ହେଉନାହିଁ କି କାର୍ଯକାରୀ ହେଉନାହିଁ। ଏଣୁ ଠାକୁରଙ୍କ ସେବା କରିବୁ କିନ୍ତୁ ପ୍ରଶାସନର କୌଣସି କଥା ଆମେ ଶୁଣିବୁ ନାହିଁ। ସମୟ ସରି ଯାଇଥିବା ଏହି ଟ୍ରଷ୍ଟର ନୂତନ ବୋର୍ଡ ଗଠନ ହେଲେ ବୈଠକରେ ଯୋଗଦେବୁ। ଏନେଇ ପଦକ୍ଷେପ ନିଆଯିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି।

ଶ୍ରୀଲିଙ୍ଗରାଜ ମନ୍ଦିରରେ ୩ ଘଣ୍ଟା ନୀତି ବିଳମ୍ବ

ଗତ ଦୁଇ ଦିନ ପୂର୍ବରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥକାଠ ମାପ ଅଣାବେଳେ ନୀତି ୪ଘଣ୍ଟା ବିଳମ୍ବ ହୋଇଥିଲା। ଆଜି ପୁଣି ୩ଘଣ୍ଟା ନୀତି ବିଳମ୍ବ ହୋଇଛି। ସମର୍ଥାଙ୍କ ନିଅଂଶ ସେବାକୁ ନେଇ ଆଜି ଏହି ସମସ୍ୟା ଉପୁଜିଛି। ତେବେ ମନ୍ଦିର ପ୍ରଶାସନ ଓ ସମର୍ଥା ନିଯୋଗର ହସ୍ତକ୍ଷେପ ପରେ ସମସ୍ୟା ସୁଧୁରିଥିଲା। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ସାଢ଼େ ୧୦ଟାରେ ମନ୍ଦିରରେ ସୂର୍ଯ୍ୟ ପୂଜା ନୀତି ପରେ ସମର୍ଥା ସେବାୟତ କାର୍ଯ୍ୟରେ ଯୋଗ ଦେଇ ନଥିଲେ କି ଚାଉଳ ଚୂନା କରି ନଥିଲେ। ଆଜି ନିଅଂଶ ସେବା ଥିବା ବେଳେ ଏହି ସେବାକୁ କରୁଥିବା ସମର୍ଥା କାର୍ଯ୍ୟରେ ଯୋଗ ଦେଇ ନଥିଲେ। ମନ୍ଦିର ପ୍ରଶାସନ ନିଅଂଶ ସେବା କିଏ କରିବ ଏନେଇ ସମାଧାନ କରୁ ନଥିବାରୁ ସଂପୃକ୍ତ ସେବାୟତ କାର୍ଯ୍ୟରେ ଯୋଗ ଦେଇ ନଥିଲେ ବୋଲି କହିଥିଲେ। ତେବେ ନୀତି ବନ୍ଦ ଯୋଗୁଁ ମନ୍ଦିର ପ୍ରଶାସନ ପକ୍ଷରୁ ଅନ୍ୟ ସେବାୟତ ଓ ସମର୍ଥା ନିଯୋଗର ସମ୍ପାଦକ ପ୍ରଶାନ୍ତ ସମର୍ଥାଙ୍କୁ ଯୋଗାଯୋଗ କରିଥିଲେ। ଖୁବ୍‌ ଶୀଘ୍ର ନିଅଂଶ ସେବା ସମସ୍ୟା ସମାଧାନ କରାଯିବ ବୋଲି କହିଥିଲେ। ଏହା ପରେ ଅନ୍ୟ ଜଣେ ସମର୍ଥା କାର୍ଯ୍ୟରେ ଯୋଗ ଦେଇଥିଲେ। ଅପରାହ୍ଣ ପ୍ରାୟ ଗୋଟାଏ ୧୦ରେ ପୁଣି ନୀତି ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର