ଭଗ୍ନ ପ୍ରତିମା ମରାମତି : ମୁକ୍ତି ମଣ୍ଡପ ନିଷ୍ପତ୍ତିକୁ ଅପେକ୍ଷା

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରରେ ଥିବା ଶ୍ରୀଜିଉଙ୍କ ବିଭିନ୍ନ ଅବକ୍ଷୟ ପ୍ରତିମା ସମ୍ପର୍କରେ ଶେଷ ନିଷ୍ପତ୍ତି ମୁକ୍ତ ମଣ୍ଡପ ପଣ୍ଡିତ ମହାସଭା ନେବେ। ଆଜି ଟ୍ରଷ୍ଟ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ କାରିଗରମାନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି କାରିଗର ଏଥିରେ ରାଜି ହୋଇ ନଥିଲେ। ଏଣୁ ଅବକ୍ଷୟ ପ୍ରତିମାଗୁଡ଼ିକ ମରାମତି ସମ୍ପର୍କରେ ମୁକ୍ତି ମଣ୍ଡପ ପଣ୍ଡିତମାନେ ନେବ ବୋଲି କୁହାଯାଇଛି। ସେହିପରି ନୂତନ ଠିକା କର୍ମଚାରୀ ନିଯୁକ୍ତି ହେବା, କର୍ମଚାରୀଙ୍କ ଦରମା ବୃଦ୍ଧ କରିବା, ମନ୍ଦିର ଆଗରେ ଏଟିଏମ୍‌ ଖୋଲିବା ସହ ଚଳିତ ବର୍ଷ ବଜେଟ୍‌କୁ ଟ୍ରଷ୍ଟ ବୋର୍ଡ ବୈଠକରେ ଅନୁମୋଦନ କରାଯାଇଛି।

ଜଗତି ଅନୁଧ୍ୟାନ କଲେ ମନ୍ତ୍ରୀ, ମେୟର

ପୁରୁଣା ଭୁବନେଶ୍ୱର : ଆସନ୍ତା ୧୮ତାରିଖରେ ଆରମ୍ଭ ହେବ ଚନ୍ଦନ ଯାତ୍ରା। ବିନ୍ଦୁସାଗର ମଧ୍ୟରେ ଥିବା ଜଗତିର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ। ଏହାକୁ ଆଜି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା ଅନୁଧ୍ୟାନ କରିଥିଲେ। ପ୍ରକାଶ ଯେ, ଜଗତିର ବାମ ପାର୍ଶ୍ଵ ଓ ଚନ୍ଦନ କୁଣ୍ଡ ପଛପଟେ ଏହି ଫାଟ ଦେଖା ଯାଇଥିଲା। ୩ବର୍ଷ ତଳେ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ବେଳେ ଏହା ଜଣାପଡ଼ିଥିଲା। ବିଏମ୍‌ସି ପକ୍ଷରୁ ଗତବର୍ଷ ଚନ୍ଦନଯାତ୍ରା ପୂର୍ବରୁ ସାମାନ୍ୟ ମରାମତି କରାଯାଇଥିଲା।। ତେବେ ଏହାର ପୁନରୁଦ୍ଧାର କରିବାକୁ ଅଣ୍ଟା ଭିଡ଼ିଛି ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ। ଏଥି ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୫ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିଲା। ଜଗତିରେ ଲାଇଟ୍‌ ଲାଗିବା ସହ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଆଉ ଟଙ୍କା ଅନୁଦାନ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି। ଦମକଳ ବାହିନୀ, ଓଡ୍ରାଫ ଟିମ୍‌, ଶ୍ରୀଲିଙ୍ଗରାଜ ଥାନାର ଅଧିକାରୀ ଜନାର୍ଦନ ପାଢ଼ୀ ଓ ବହୁ ସେବାୟତ ଉପସ୍ଥିତ ଥିଲେ।

ମନ୍ଦିର କର୍ମଚାରୀ ଆଦାୟ କରିବେ ମହାସୁଲ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ଆଖ ପାଖରେ ଆଦାୟ ହେଉଥିିବା ଦାଣ୍ଡ ମହାସୁଲ ଏଣିକି ମନ୍ଦିର କାର୍ମଚାରୀ ଆଦାୟ କରିବେ। ଦାଣ୍ଡ ମହାସୁଲ ଟେଣ୍ଡର୍‌କୁ ମନ୍ଦିର ପ୍ରଶାସନ ଆଜି ରଦ୍ଦ କରିଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏପରି ନିଷ୍ପତି ଗ୍ରହଣ କରାଯାଇଛି। ଦାଣ୍ଡ ମହାସୁଲ ଆଦାୟକୁ ସମ୍ପୂର୍ଣ ବନ୍ଦ କରିବା ଦାବିରେ ଅହୋରାତ୍ର ଧାରଣା ଚାଲୁ ରହିବା ସହ ଗତ କାଲିଠୁ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଅନଶନ ଚାଲିଥିଲା। ଆଜି ପ୍ରଶାସନ ସେମାନଙ୍କ ଆଗରେ ମୁଣ୍ଡ ନୁଅାଁଇବାକୁ ବାଧ୍ୟ ହୋଇଛି। ଏନେଇ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ ମନ୍ଦିର ପ୍ରଶାସନ ଟ୍ରଷ୍ଟ ବୋର୍ଡକୁ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର