ଶ୍ରୀଲିଙ୍ଗରାଜ ମନ୍ଦିର ରାହାପାଗରେ ଫାଟ

ଦୁର୍ବଳ ହେଉଛି ମନ୍ଦିର

ପୁରୁଣା ଭୁବନେଶ୍ୱର : ଦୁର୍ବଳ ହେଉଛି ଶ୍ରୀଲିଙ୍ଗରାଜ ମନ୍ଦିର। ମନ୍ଦିରରେ ରାହାପାଗରେ ଫାଟ ସୃଷ୍ଟି ହେବାରୁ ଏପରି ଆଶଙ୍କା ପ୍ରକାଶ ପାଇଛି। ମନ୍ଦିର ଉତ୍ତର ପାର୍ଶ୍ୱରେ ରାହାପାଗରେ ୭ଟି ସ୍ଥାନରେ ଏହି ଫାଟ ଦେଖା ଦେଇଛି। ମନ୍ଦିର ରାହାପାଗ ସିଂହ ଉପରକୁ ଏହି ଫାଟ ଥିବା ଦେଖାଯାଉଛି। ସେଠାରେ ପଥରଗୁଡ଼ିକ ମଧ୍ୟରେ ଫାଙ୍କ ଥିବା ଦେଖାଯାଉଛି। ତେବେ ଏହାକୁ ଏଏସ୍‌ଆଇ ଅନୁଧ୍ୟାନ କରିଥିଲେ ମଧ୍ୟ କିଛି କହିବାକୁ ମନା କରିଦେଇଛି।

ଅନ୍ୟପକ୍ଷରେ ବିଶ୍ୱପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦରର ସୁରକ୍ଷା ପ୍ରତି କେହି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି। ସାମନ୍ୟ ବର୍ଷା ହେଲେ ଶ୍ରୀଲିଙ୍ଗରାଜ ମନ୍ଦିରର ଭୋଗ ମଣ୍ଡପ ଓ ଜଗମୋହନରୁ ପାଣି ଗଳୁଛି। କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ନିୟମିତ ଭାବେ ଅନୁଧ୍ୟାନ କରାଯାଉ ନଥିବାରୁ ଏପରି ସମସ୍ୟା ଦେଖା ଦେଇଥିବା ସେବାୟତମାନେ ଅଭିଯୋଗ କରିଛନ୍ତି।

ସୂଚନା ଥାଉକି ୨ବର୍ଷ ପୂର୍ବରୁ ଅଷ୍ଟଧାତୁ କଳସରେ ଥିବା ଫାଟ ମରାମତି ହେବା ପରେ ମନ୍ଦିରର ଜଗମୋହନ ଓ ଭୋଗ ମଣ୍ଡପରୁ ପାଣି ଗଳୁଥିବା ସମସ୍ୟା ଦେଖାଦେଇଥିଲା। ଯାହା ପ୍ରତ୍ନତତ୍ତ୍ଵ ବିଭାଗର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଅସରାଏ ବର୍ଷା ହେଲେ ଭୋଗ ମଣ୍ଡପରୁ ପାଣି ଗଳୁଥିବା ବେଳେ ରୋଷଘର, ବଡ଼ ଗଣେଶ, ମହାପ୍ରସାଦ ଯିବା ଆସିବା ସ୍ଥାନ, ଜଗନ୍ନାଥ ମନ୍ଦିର ପଛ, ବୈଦନାଥ ମନ୍ଦିରରେ ମଧ୍ୟ ପାଣି ଗଳୁଥିବା ଦେଖାଦେଇଛି। ଏହା ପର୍ଯ୍ୟଟକ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ନିୟମିତ ପାଣି ଗଳୁଥିବାରୁ ମନ୍ଦିର ଦିନକୁ ଦିନ ଦୁର୍ବଳ ହେଉଥିବା କୁହାଯାଉଛି। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଏଏସ୍‌ଆଇ କର୍ତୃପକ୍ଷଙ୍କୁ ଏ ସଂପର୍କରେ ଜଣାଇ ଦିଆଯିବ। ଏଏସ୍‌ଆଇ ସୁପରିନ୍‌ଟେଣ୍ଡେଣ୍ଟ୍‌ ହେମ୍‌ ସାଗର ଅଭୟ କହିଛନ୍ତି ବର୍ଷା ସମୟରେ ଅନୁଧ୍ୟାନ କରାଯିବ।

ସମ୍ବନ୍ଧିତ ଖବର