ଶ୍ରାବଣୀରେ ହୋଇପାରେ ନୀତି ବିଳମ୍ବ

ମନ୍ଦିର ପ୍ରଶାସନ ନେଇ ପାରିଲାନି ନିଷ୍ପତ୍ତି

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକରେ ଆଜି ଆଗତ ଅଧିକାଂଶ ପ୍ରସ୍ତାବ ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନଥିବା ଜଣାଯାଇଛି। ବିଭିନ୍ନ ନିଯୋଗ ପକ୍ଷରୁ ବହୁ ପ୍ରସ୍ତାବ ଆଗତ ହୋଇଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ଗୋଟିଏରେ ଚୂଡ଼ାନ୍ତ ମୋହର ବାଜି ନାହିଁ। ଭିତିରି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ଭାବେ ଅତିରିକ୍ତ ଜିଲ୍ଲାପାଳ ମାନସ କୁମାର ସାମଲ ନୂତନ ଭାବେ ଦାୟିତ୍ୱ ନେଇଛନ୍ତି। ସେହିପରି ଗତ ୧୦ ତାରିଖରେ ନୂତନ ଅସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପ୍ରଦୀପ କୁମାର ସାହୁ ଦାୟିତ୍ୱ ନେଇଛନ୍ତି। ଏହି ଦୁଇ ସରକାରୀ ଅଧିକାରୀଙ୍କ ପାଇଁ ଆଜିର ଟ୍ରଷ୍ଟ ବୋର୍ଡ ବୈଠକ ପ୍ରଥମ ଥିଲା। ତେଣୁ କିଛି ନ ବୁଝି ବିଚାରି ପ୍ରସ୍ତାବଗୁଡ଼ିକ ଉପରେ ନିଷ୍ପତ୍ତି ନେଲେ କାଳେ ଭବିଷ୍ୟତରେ ପ୍ରଶାସନ ହଟହଟାର ସମ୍ମୁଖୀନ ହେବ, ତାହାକୁ ଦୃଷ୍ଟିରେ ରଖି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନଥିବା କୁହାଯାଉଛି। କାଳେ କେଉଁ ନିଷ୍ପତ୍ତି କାହାକୁ ସୁହାଇବ ଓ କାହାକୁ ଅଣଦେଖା କଲା ଭଳି ହେବ, ସେଥିପାଇଁ ପ୍ରଶାସନିକ ଅଧିକାରୀଦ୍ୱୟ ଅଧିକ ଯତ୍ନବାନ ହୋଇ କୌଣସି ନିଷ୍ପତ୍ତି ନେଇନଥିବା କୁହାଯାଉଛି। ଆଜିର ବୈଠକରେ ମନ୍ଦିର ଜମିରେ ଗଛ ଲାଗିବା ନେଇ ପ୍ରସ୍ତାବ ଆଗତ ହୋଇଥିଲା। ଠାକୁରଙ୍କ ବିଭିନ୍ନ କାର୍ଯ୍ୟ ଓ ରଥଯାତ୍ରା ବେଳେ ରଥକାଠ ଆବଶ୍ୟକ ହେଉଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଜମିରେ ଗଛ ଲାଗିବ। ଏନେଇ ଟ୍ରଷ୍ଟ ବୋର୍ଡରେ ଆଲୋଚନା ହୋଇଥିଲା। କିନ୍ତୁ କେଉଁ ଜାଗାରେ ଗଛ ଲାଗିବ ଓ କି କି ଗଛ ଲାଗିବ, ସେ ନେଇ କିଛି ସ୍ପଷ୍ଟ କରାଯାଇନାହିଁ। ସେହିପରି ଏଥର ଶ୍ରାବଣୀ ପାଉଣାକୁ ନେଇ ନୀତି ବିଳମ୍ବ ହୋଇପାରେ ବୋଲି ବୈଠକରେ ହୋଇଥିବା ଆଲୋଚନାରୁ ବାରି ହୋଇଛି। ଶ୍ରାବଣୀ ପାଉଣା ୧୯୯୫ରୁ ବଡ଼ୁ ନିଯୋଗକୁ ଦିଆଯାଉନାହିଁ ବୋଲି ବଡ଼ୁ ନିଯୋଗ ପକ୍ଷରୁ ଅଭିଯୋଗ କରାଯାଇଥିଲା। ବଡ଼ୁ ନିଯୋଗ ପକ୍ଷରୁ ଯୁକ୍ତି ବଢ଼ା ଯାଇଥିଲା ଯେ ଶ୍ରାବଣ ମାସରେ ବୋଲବମ୍‌ ଭକ୍ତଙ୍କ ପାଣି ଲାଗି କରାଇବା ସହ ମନ୍ଦିର ସିଂହଦ୍ଵାରଠାରେ ପାଉଣା ଆଦାୟ କରାଯାଇ ଆସୁଛି। ୨ବର୍ଷ ପୂର୍ବରୁ ବଡ଼ୁ ନିଯୋଗକୁ ଶ୍ରାବଣୀ ପାଉଣା ଅଧା ଟଙ୍କା ମିଳିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଦେବୋତ୍ତର ବିଭାଗ ପକ୍ଷରୁ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇବାରେ ବିଳମ୍ବ ହେଉଛି। ତେଣୁ ଶ୍ରାବଣୀ ପାଉଣା ମିଳିବା ନିଷ୍ପତ୍ତି ନ ହେଲେ ବଡ଼ୁ ନିଯୋଗ ଅସହଯୋଗ କରିବ ବୋଲି ଚେତାବନୀ ଦେଇଛି। ଅନ୍ୟପକ୍ଷରେ କାଉଡ଼ିଆମାନେ ପାଣି ଢାଳିବା ବେଳେ ପାଣି ନଳରେ ଦେଉଥିବା ଟଙ୍କାକୁ ମନ୍ଦିର ନେଉନାହିଁ। ମନ୍ଦିର ଏହି ଟଙ୍କା ନନେଲେ ବ୍ରାହ୍ମଣ ନିଯୋଗ ଅସହଯୋଗ କରିବ ବୋଲି ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି। ଏହି ଦ୍ୱନ୍ଦ୍ୱ ଲାଗିଥିବା ବେଳେ ମନ୍ଦିର ପ୍ରଶାସନ ଅଧିକାରୀ ନୂଆ ହୋଇଥିବାରୁ ଆଜି କୌଣସି ନିଷ୍ପତ୍ତି ହୋଇ ପାରିନାହିଁ। ସେହିପରି ମନ୍ଦିରରେ ଥିବା ଅବକ୍ଷୟ ପ୍ରତିମା ମରାମତି, ବଜେଟ୍‌ ଆଦି ବିଭିନ୍ନ ବିଷୟ ଆଲୋଚନା ହୋଇପାରିନଥିବା ଜଣାଯାଇଛି। ତେବେ ଖୁବ୍‌ଶୀଘ୍ର ପୁଣିଥରେ ବୈଠକ ଡକାଯାଇ ଆଲୋଚନା କରାଯିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର