ବିପଦ ମୁହଁରେ ଶ୍ରୀଲିଙ୍ଗରାଜ ମନ୍ଦିର

କୋଟି କୋଟି ଟଙ୍କା ପଡ଼ିଛି, ସୁଧୁରୁନି ଆର୍ଥିଂ ଓ ପାଣି ଗଳିବା ସମସ୍ୟା

ପୁରୁଣା ଭୁବନେଶ୍ୱର : ଏକାମ୍ର ଯୋଜନାରେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବକୁ ଚକାଚକ୍‌ କରିବାକୁ ଦ୍ରୁତବେଗରେ କାମ ଆଗେଇ ଚାଲିଛି। ଚଳିତ ବର୍ଷ ମହାଶିବ ରାତ୍ରିରେ ଏକକାଳୀନ ୧୦ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମହାଦୀପ ଉଠିବାର ଭାବ ଓ ଆବେଗମୟ ଦୃଶ୍ୟକୁ ଦେଖିବାର ସୁଯୋଗ ପାଇବେ। ଏକାମ୍ର ‌କ୍ଷେତ୍ରର ସୌନ୍ଦର୍ଯ୍ୟୀକରଣ ପାଇଁ ସରକାର ଯେତିକି ତତ୍ପର ଜନସାଧାରଣ ବି ସେତିକି ମାତ୍ରାରେ ସହଯୋଗର ହାତ ବଢ଼ାଇଛନ୍ତି। ଲୋକେ ଖୁସିରେ ଘର ଓ ଜମି ଦାନ କରିଛନ୍ତି। ମାତ୍ର ଯାହାକୁ ନେଇ ଏତେ ଯୋଜନା, ତାହା କେତେ ସୁରକ୍ଷିତ ସେ ବାବଦରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଘା ନାହିଁ। ବିଭିନ୍ନ କାରଣରୁ ମନ୍ଦିରର ସୁରକ୍ଷିତ ନଥିବା ଜାଣି ମଧ୍ୟ ପ୍ରତ୍ନତତ୍ତ୍ବ ବିଭାଗ ନିଦାବିଷ୍ଣୁ ସାଜିଛି। ମନ୍ଦିରର ବିଭିନ୍ନ ଅଂଶରୁ ବର୍ଷା ପାଣି ଗଳୁଛି। ମରାମତି ହେଉନାହିଁ। ମନ୍ଦିରର ବିଦ୍ୟୁତ୍ ଆର୍ଥିଂ ନାହିଁ। ତେଣୁ ମନ୍ଦିରକୁ ଗୋଡ଼େ ଗୋଡ଼େ ପ୍ରାକୃତିକ ବିପଦ ଛକି ରହିଛି ବୋଲି ଆଶଙ୍କା କରାଯାଉଛି। ଐତିହ୍ୟ ସୁରକ୍ଷାକୁ ପ୍ରାଥମିକତା ନ ଦେଇ ବାହାର ଚିକ୍କଣ କରିବା ନିରର୍ଥକ ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି।

ଶ୍ରୀଲିଙ୍ଗରାଜ ମନ୍ଦିରରେ ବହୁ ଜଟିଳ ସମସ୍ୟା ରହିଛି। ସବୁଠାରୁ ବଡ଼ ବିପଦ ହେଉଛି ଆର୍ଥିଂ ଅବ୍ୟବସ୍ଥା। ୭ବର୍ଷ ତଳେ ଏହି ମନ୍ଦିରର ପୁରୁଣା ଆର୍ଥିଂ ତାରଗୁଡ଼ିକ ବାହାର କରାଯାଇଥିଲା। ମନ୍ଦିର ମରାମତିବେଳେ ତାରଗୁଡ଼ିକ ନଷ୍ଟ ହୋଇଯିବାରୁ ଏଏସ୍ଆଇ କର୍ତ୍ତୃପକ୍ଷ ନୂଆ ତାର ପକାଇବା ପାଇଁ ସେଗୁଡ଼ିକୁ ବାହାର କରି ଦେଇଥିଲେ। କିନ୍ତୁ ପରିତାପର କଥା ୭ ବର୍ଷ ହେଲା ନୂଆ ଆର୍ଥିଂ ଲାଗି ପାରିଲାନାହିଁ। ମନ୍ଦିର ସେମିତି ମୁକୁଳା ପଡ଼ିଛି। ମନ୍ଦିର ଜଗମୋହନରେ ଲାଗିଥିବା ପୁରୁଣା ବିଦ୍ୟୁତ୍‍ ଆର୍ଥିଙ୍ଗ୍‌‍ ତାରକୁ ବଦଳାଇ ଦିଆଯାଇଥିଲା ଓ ନୂଆ ଲଗା ଯାଇଥିଲା। କିନ୍ତୁ ମୁଖ୍ୟ ମନ୍ଦିରର ଆର୍ଥିଂ ସହ ସଂଯୋଗ କରାଗଲାନାହିଁ। ଏଇଥିପାଇଁ ୨୦୧୮ ଜୁଲାଇ ୧ ତାରିଖରେ ମନ୍ଦିର ଚୂଡ଼ାରେ ବଜ୍ରପାତ ହୋଇଥିଲା ଓ ପତାକା ପୋଡ଼ି ଯାଇଥିଲା। ମୁଖ୍ୟ ମନ୍ଦିରର ଚର୍ତୁପାର୍ଶ୍ୱରେ ଆର୍ଥିଂ ତାର ବୁଲିଛି। କିନ୍ତୁ ମାଟି ତଳୁ ଆସିଥିବା ଆର୍ଥିଂ ସହ ସଂଯୋଗ କରାଯାଇନାହିଁ। ଫଳରେ ପୂରା ମନ୍ଦିର ଆର୍ଥିଂ ବିହିନ ହୋଇ ରହିଛି। କୌଣସି କାରଣରୁ ବଡ଼ ଧରଣର ବିଜୁଳି ବିତ୍ପାତ ମନ୍ଦିରର ବଡ଼ କ୍ଷତି ଘଟାଇବ ବୋଲି ସବୁବେଳେ ଭୟ ରହିଛି। ତେଣୁ ମାତ୍ର ଏତିକି କାମ ପାଇଁ ମନ୍ଦିରକୁ ବିପଦ ମୁହଁକୁ ଠେଲି ଦିଆଯାଇଛି ବୋଲି ଅଭିଯୋଗ ହେଉଛି।

ସେହିପରି ମନ୍ଦିରର ବିଭିନ୍ନ ଅଂଶରୁ ବର୍ଷା ପାଣି ଝରାଉଛି। ମୁଖ୍ୟମନ୍ଦିରର ଭୋଗ ମଣ୍ଡପ ଓ ଜଗମୋହନ, ପାର୍ବତୀ ମନ୍ଦିର, ଭୁବନେଶ୍ବରୀ ମନ୍ଦିର, ଜଗନ୍ନାଥ ମନ୍ଦିର, ବିଶ୍ବକର୍ମା ମନ୍ଦିର, ବଡ଼ ଗଣେଶ ମନ୍ଦିର, ବୈଦ୍ୟନାଥ ମନ୍ଦିର, ବୃଷଭ ମନ୍ଦିର, ସିଦ୍ଧି ବିନାୟକ ମନ୍ଦିରରୁ ପାଣି ଗଳୁଛି। ବର୍ଷା ପାଣିରେ ଭିଜିଭିଜି ପଥରର କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟ ଅବକ୍ଷୟ ହେଉଛି ଓ ମନ୍ଦିର ଦିନକୁ ଦିନ ଦୁର୍ବଳ ହେଉଛି। ଏହା ଆଜିର ସମସ୍ୟା ନୁହେଁ। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି। କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍‌ଆଇ) ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି। ୨୦୧୯ ସେପ୍ଟ‌େମ୍ବର ୨୬ରେ ଦେବୋତ୍ତର ବିଭାଗ କମିସନର ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖିଥିଲେ। ବିଭାଗୀୟ ପଦକ୍ଷେପ ସେମିତି ଚିଠିରେ ହିଁ ରହିଗଲା ଓ ସମସ୍ୟା ମଧ୍ୟ ତା ସ୍ଥାନରେ ରହିଲା।

ଉଲ୍ଲେଖଯୋଗ୍ୟ ଏକାମ୍ର ଯୋଜନାରେ ସରକାର ୬୬ ଏକର ଅଞ୍ଚଳକୁ ସୌନ୍ଦର୍ଯ୍ୟୀକରଣ କରୁଛନ୍ତି। ମନ୍ଦିର ଚାରିପଟେ ସଂକୁଚିତ ରାସ୍ତା ଓ ଆବର୍ଜନାମୟ ପରିବେଶରୁ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ବହୁ ସୁବିଧା କରାଯାଉଛି। ଏହି ପ୍ରୋଜେକ୍ଟରେ ୪ଟି ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା, ବିନ୍ଦୁସାଗର ପୁନରୁଦ୍ଧାର ଯୋଜନା, ମନ୍ଦିର ପ୍ରବେଶ ପଥର ସୌନ୍ଦର୍ଯ୍ୟୀକରଣ କରାଯାଇ ଉଦ୍ୟାନ, ଆଲୋକୀକରଣ, ବସିବା ସ୍ଥାନ ଓ ଅନ୍ୟାନ୍ୟ ସୁବିଧା କରାଯାଉଛି। ଏହାକୁ ଶ୍ରୀଲିଙ୍ଗରାଜ ହେରିଟେଜ୍‌ କମ୍ପ୍ଲେକ୍‌ସ ବୋଲି ନାମିତ କରାଯାଇଛି। ଏମିତି ବଡ଼ବଡ଼ ଯୋଜନାରେ ମନ୍ଦିରର ବାହ୍ୟ ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଉଛି। କିନ୍ତୁ ଭିତର ସମସ୍ୟା ନଜର ଅଢ଼ୁଆଳରେ ରହି ଯାଉଛି। ଏ ସମ୍ପର୍କରେ ପୂଜାପଣ୍ଡା ନିଯୋଗ ସଭାପତି କାଶିନାଥ ପୂଜାପଣ୍ଡାଙ୍କ କହିବା କଥା ମନ୍ଦିରକୁ ଏଏସ୍ଆଇ ସର୍ବଦା ଅବହେଳା କରୁଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବ ଯୋଗୁଁ ବହୁ ସମସ୍ୟା ଲାଗି ରହିଛି। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ କହିବା ଅନୁଯାୟୀ ଦୀର୍ଘ ବର୍ଷ ହେଲା ମନ୍ଦିର ଭିତରେ ପାଣି ଗଳୁଛି। ଏନେଇ ଏଏସ୍ଆଇ ଜାଣି ମଧ୍ୟ ପଦକ୍ଷେପ ଗ୍ରହଣ କରୁନାହିଁ। ବଡ଼ୁ ନିଯୋଗ ସଭାପତି ଅଞ୍ଚଳ ବଟୁ କୁହନ୍ତି ଯେ ଏ ନେଇ ଟ୍ରଷ୍ଟ ବୋର୍ଡରେ ଆଲୋଚନା କରାଯିବ। ସେହିଭଳି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କୁହନ୍ତି ଯେ ଆର୍ଥିଂ ଓ ପାଣି ଗଳିବା ସମସ୍ୟା ନେଇ ଏଏସ୍ଆଇକୁ ଜଣାଯାଇଛି। ଏଏସ୍ଆଇ ଭୁବନେଶ୍ବର ସଂଗ୍ରାଧିକ୍ଷକ ସୁଶାନ୍ତ ଗୋଚ୍ଛାୟତଙ୍କ କହିବା ଅନୁସାରେ ବର୍ଷେ ପୂର୍ବରୁ ମନ୍ଦିରର ମରାମତି ପାଇଁ ୧କୋଟି ୩୮ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହି କାମର ଟେଣ୍ଡର ହୋଇନାହିଁ। ଏଏସ୍ଆଇ ମଣ୍ଡଳ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ କହିବା ଅନୁଯାୟୀ ଆର୍ଥିଂ ପାଇଁ ଟେଣ୍ଡର ଖୁବ୍‌ ଶୀଘ୍ର କରାଯିବ। କୋଭିଡ୍‌ ଯୋଗୁଁ ଟେଣ୍ଡର ପ୍ରକ୍ରିୟା ଅଟକି ରହିଛି। ସେହିପରି ‌ସର୍ଭେ ଓ ଟେଣ୍ଡର କରାଯାଇ ପାଣି ଗଳୁଥିବା ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର