ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପାନପିକ ନ ପକାଇବା ନିୟମ ଏଣିକି କଡ଼ାକଡ଼ି ପାଳନ କରାଯିବ। ମହାଶିବରାତ୍ରି ଉପଲକ୍ଷେ ଶୁକ୍ରବାର ଅନୁଷ୍ଠିତ ସମନ୍ବୟ ବୈଠକରେ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସୀତାଂଶୁ କୁମାର ରାଉତ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଶ୍ରୀଲିଙ୍ଗରାଜ ମନ୍ଦିରରେ ପାନପିକ ନ ପକାଇବା ପାଇଁ ନିୟମ ଗତ ଜାନୁଆରି ୧୫ ତାରିଖରୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। କୌଣସି ଭକ୍ତ କିମ୍ବା ସେବାୟତ ପାନ ଖାଇ ପିକ ମନ୍ଦିର ପରିସରରେ ପକାଇ ପାରିବେ ନାହିଁ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ମନ୍ଦିରରେ ନୋଟିସ୍ ଲଗାଇଥିଲେ। ସେହିପରି ମନ୍ଦିରରେ ପାନ ଖାଇଲେ ୧ ଶହ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ଦେବୋତ୍ତର ବିଭାଗ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଥିଲା। କିନ୍ତୁ ଏହି ଘୋଷଣାକୁ ତିନି ସପ୍ତାହ ବିତିଯାଇଥିଲେ ହେଁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ପାରିନାହିଁ। ଗତ ୬ ତାରିଖରେ ମନ୍ଦିରରେ ବହୁ ପରିମାଣରେ ପାନପିକ ପଡ଼ିଥିବା ଦେଖି ଜିଲ୍ଲାପାଳ ଶ୍ରୀ ରାଉତ ଉଦ୍ବେଗ ପ୍ରକାଶ କରିଥିଲେ। ଆଗକୁ ମହାଶିବରାତ୍ରି ଉପଲକ୍ଷେ ମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିବ। ତେଣୁ ମନ୍ଦିର ପରିସରରେ ଯେପରି ପାନପିକ ନ ପଡ଼ିବ, ସେଥିପାଇଁ ନିୟମ କଡ଼ାକଡ଼ି ପାଳନ କରିବାକୁ ସେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।।
Advertisment
Sambad is now on WhatsApp
Join and get latest news updates delivered to you via WhatsApp