ସନ୍ଧ୍ୟାରୁ ଶ୍ରୀଲିଙ୍ଗରାଜ ମନ୍ଦିର ଅନ୍ଧାର

ଜଳିଗଲା ବିଦ୍ୟୁତ ତାର

ପୁରୁଣା ଭୁବନେଶ୍ୱର: ସର୍ଟ ସର୍କିଟ୍‌ ଯୋଗୁ ଆଜି ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗିଥିବା ହାଇମାକ୍ସ୍‌ ବିଦ୍ୟୁତ୍‌ ତାର ଜଳି ଯାଇଛି। ତେବେ ଉପସ୍ଥିତ ମନ୍ଦିର କର୍ମଚାରୀ ବିଦ୍ୟୁତ୍‌ ସଂଯୋଗ କାଟିଦେବାରୁ ବଡ଼ ଧରଣର ଅଗ୍ନିକାଣ୍ଡରୁ ଟଳି ଯାଇଛି। ତେବେ ମନ୍ଦିରରେ ଲାଗିଥିବା ବିଭିନ୍ନ ହାଇମାକ୍ସ୍‌ର ରକ୍ଷଣାବେକ୍ଷଣ ଦାୟିତ୍ଵ ବିଏମ୍‌ସି କରିବାକୁ କହିଥିଲେ ମଧ୍ୟ କିଛି ପଦକ୍ଷେପ ନେଉ ନଥିବାରୁ ଏପରି ଘଟିଲା ବୋଲି ସେବାୟତମାନେ କହିଛନ୍ତି।

ସୂଚନା ଅନୁଯାୟୀ ଶ୍ରୀଲିଙ୍ଗରାଜ ମନ୍ଦିରରେ ନାଲ୍‌କୋ ପକ୍ଷରୁ ହାଇମାକ୍ସ୍‌ ଲାଇଟ୍‌ ଲଗାଯାଇଛି। ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ମନ୍ଦିରର ଉତ୍ତର ଦ୍ଵାରଠାରେ ହାଇମାକ୍ସ୍‌ ତାରରେ ସର୍ଟ୍‌ ସର୍କିଟ୍‌ ଯୋଗୁଁ ଧୂଆଁ ବାହାରିଥିଲା। ସେଠାରେ ଉପସ୍ଥିତ ମନ୍ଦିର କର୍ମଚାରୀ ହେମନ୍ତ ମହାପାତ୍ର ବିଦ୍ୟୁତ୍‌ ସଂଯୋଗ କାଟିବାରୁ ବଡ଼ ଧରଣର ଅଗ୍ନି କାଣ୍ଡରୁ ରକ୍ଷା ମିଳିଥିଲା। ଫଳରେ ସନ୍ଧ୍ୟା ୫ଟାରୁ ସମସ୍ତ ହାଇମାକ୍ସ୍‌ ଲାଇଟ୍‌ ବନ୍ଦ ରହିଛି। ଏ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଲାଗିଥିବା ବିଭିନ୍ନ ହାଇମାକ୍ସ୍‌ର ରକ୍ଷଣା ବେକ୍ଷଣା ଦାୟିତ୍ଵ ବିଏମ୍‌ସି କରିବାକୁ ପୂର୍ବରୁ ଘୋଷଣା କରିଥିଲା। ହେଲେ ଏ ନେଇ କିଛି ପଦକ୍ଷେପ ନେଉ ନଥିବାରୁ ଏପରି ଘଟିଲା ବୋଲି ସେବାୟତ ଶରତ ପଣ୍ଡା କୁହନ୍ତି। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା କୁହନ୍ତି ବଡ଼ଧରଣ ଅଗ୍ନିକାଣ୍ଡକୁ ଏଡ଼ାଇ ଦିଆଯାଇ ପାରିଛି। ଏ ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ଓ ବିଏମ୍‌ସିକୁ ଜଣାଇ ଦିଆଯାଇଛି।

ସମ୍ବନ୍ଧିତ ଖବର