ପୁରୁଣା ଭୁବନେଶ୍ୱର: ଆଜି ବିଳମ୍ବିତ ସନ୍ଧ୍ୟାରେ ପ୍ରବଳ ବର୍ଷା ସାଙ୍ଗକୁ ଜୋର୍‌ରେ ଘଡ଼ଘଡ଼ି ମାରିବାରୁ ଲିଙ୍ଗରାଜ ମନ୍ଦିରର କୋକୁଆ ଭୟ ‌ଖେଳି ଯାଇଥିଲା। ବଜ୍ରପାତ ଭୟରେ ସେବାୟତଙ୍କ ସମେତ ଶ୍ରଦ୍ଧାଳୁମାନେ ମନ୍ଦିରରୁ ବାହାରି ଦୌଡ଼ିଥିଲେ। ଏହି ସମୟରେ ସର୍ଟସର୍କିଟ୍‌ ଯୋଗୁ ଭୋଗମଣ୍ଡପ, ପାର୍ବତୀ ମନ୍ଦିର, ଭୁବନେଶ୍ବରୀ ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ଲାଇନ୍‌ କଟି ଯାଇଥିଲା। ଫଳରେ ଅନ୍ଧାର ହୋଇଯିବାରୁ ଆହୁରି ଭୟର ବାତାବରଣ ସୃଷ୍ଟି ହୋଇଥିଲା।

Advertisment

ଆଜି ରାତି ପ୍ରାୟ ୮ଟାରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଲାଇନ୍‌ କଟିଯିବାରୁ ଲିଙ୍ଗରାଜ ମନ୍ଦିରର ଭୋଗ ମଣ୍ଡପ ଅନ୍ଧାର ହୋଇଯାଇଥିଲା। କିଟିକିଟିଆ ଅନ୍ଧାରକୁ ଜୋର୍‌ରେ ଘଡ଼ଘଡ଼ି ମାରିବାରୁ ସେବାୟତ ଓ ଭକ୍ତମାନେ ଭୟରେ ବାହାରକୁ ପଳାଇଥିଲେ। କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍ଆଇ) ମନ୍ଦିରରେ ଆର୍ଥିଂ ଲଗାଇଥିଲେ ହେଁ ତାହା କାମ କରୁନାହିଁ ବୋଲି ଅଭିଯୋଗ କରି ସେବାୟତମାନେ ମନ୍ଦିରରୁ ବାହାରକୁ ଧାଇଁଥିଲେ। ଏହାବାଦ୍‌ ଭୋଗ ମଣ୍ଡପ ଓ ଅନ୍ୟ ମନ୍ଦିରରେ ଆର୍ଥିଂ ନଥିବାରୁ ବଜ୍ରପାତ ଭୟ ଘାରିଥିଲା ବୋଲି ସେବାୟତମାନେ କହିଛନ୍ତି। ମନ୍ଦିରର ସୁପରଭାଇଜର ତଥା ସେବାୟତ ରାଜକିଶୋର ମହାପାତ୍ର କହନ୍ତି, ମନ୍ଦିରରେ ଲାଗିଥିବା ଆର୍ଥିଂ ଆରେଷ୍ଟର ଠିକଣା ଭାବେ କାମ କରୁନାହିଁ। ନିକଟରେ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ଅଥଚ ଶ୍ରୀଲିଙ୍ଗରାଜ ମନ୍ଦିରରୁ ପାଣି ଗଳିବା ବନ୍ଦ ହେଲାନାହିଁ। ଆର୍ଥିଂ ଓ ଆର୍ଥିଂ କ୍ୟାଚର୍‌ ଲାଗିବା ପାଇଁ ଏଏସ୍ଆଇ ୬୦ ଲକ୍ଷ ଟଙ୍କା‌ ବ୍ୟୟ କରିଛି। କିନ୍ତୁ ଏଏସ୍ଆଇର ୬୦ଲକ୍ଷ ଟଙ୍କା ପାଣିରେ ପଡ଼ିଲା ବୋଲି ଲୟର୍ସ ଗ୍ରୁପ୍‌ ଅଧ୍ୟକ୍ଷ ଲିଙ୍ଗରାଜ ଦାଶ କହିଛନ୍ତି। ଏନେଇ ଏଏସ୍ଆଇ ପକ୍ଷରୁ କୁହାଯାଇଛି ଯେ ଲିଙ୍ଗରାଜ ମନ୍ଦିରରେ ଆର୍ଥିଂ କାମ ପୁଣି ଅନୁଧ୍ୟାନ କରାଯିବ।