ଶ୍ରୀଲିଙ୍ଗରାଜଙ୍କ ନୂଆ ଟ୍ରଷ୍ଟ ବୋର୍ଡ : ଖୋର୍ଧା ଜିଲ୍ଲାପାଳ ଅଧ୍ୟକ୍ଷ, ପ୍ରସନ୍ନ କୁମାର ଦାଶ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ

ପୁରୁଣା ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ଭାଙ୍ଗିଛି। ମନ୍ଦିର ପରିଚାଳନା ପାଇଁ ରାଜ୍ୟ ଦେବୋତ୍ତର କମିସନର ନୂତନ ଟ୍ରଷ୍ଟ ବୋର୍ଡ ଘୋଷଣା କରିଛନ୍ତି। ଏଥିରେ ଖୋର୍ଧା ଜିଲ୍ଲାପାଳ ଅଧ୍ୟକ୍ଷ ରହିଛନ୍ତି। ତିନି ନିଯୋଗର ପ୍ରତିନିଧିଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଅନ୍ୟପକ୍ଷରେ ପ୍ରସନ୍ନ କୁମାର ଦାଶଙ୍କୁ ନୂତନ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଭାବେ ଦାୟିତ୍ବ ଦିଆଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଦେବୋତ୍ତର ବିଭାଗ ସେକ୍ସନ-୭ ଅନୁଯାୟୀ ରାଜ୍ୟ ଦେବୋତ୍ତର କମିସନର ନୂତନ ଟ୍ରଷ୍ଟ ବୋର୍ଡ ଗଠନ କରିଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଅଧ୍ୟକ୍ଷ ରହିଥିବା ବେଳେ ସଭ୍ୟ ଭାବେ ଅତିରିକ୍ତ ଜିଲ୍ଲାପାଳ, ଏସିପି ଜୋନ୍‌-୨, ଅତିରିକ୍ତ ବିଏମ୍‌ସି କମିଶନର ଅବନୀ ପଟ୍ଟନାୟକ, ଭୁବନେଶ୍ବର କୋର୍ଟର ସରକାରୀ ଓକିଲ, ପୂଜାପଣ୍ଡା ନିଯୋଗ ପ୍ରତିନିଧି ଭାବେ ପ୍ରସନ୍ନ ପୂଜାପଣ୍ଡା, ବ୍ରାହ୍ମଣ ନିଯୋଗ ପ୍ରତିନିଧି ଭାବେ ହେମନ୍ତ ପଣ୍ଡା, ବଡ଼ୁ ନିଯୋଗର ପ୍ରତିନିଧି ଭାବେ ଅଞ୍ଚଳ ବଡ଼ୁ, ଆଇନଜୀବୀ ମାନସ ରଞ୍ଜନ ମହାପାତ୍ର ପ୍ରମୁଖ ସଭ୍ୟ ରହିଛନ୍ତି। ତେବେ ପୂର୍ବରୁ ଥିବା ନିଯୋଗ ପ୍ରତିନିଧିଙ୍କ ନାମରେ ବିଭିନ୍ନ ମାମଲା ଥିବାରୁ ସେମାନଙ୍କୁ ବାଦ୍‌ ଦିଆଯାଇ ଅନ୍ୟ ସଭ୍ୟଙ୍କୁ ନିଆଯାଇଛି ବୋଲି ଦେବୋତ୍ତର ବିଭାଗ ପକ୍ଷରୁ କୁହାଯାଇଛି। ବଡ଼ୁ ନିଯୋଗର ସଭାପତିଙ୍କୁ ଏଥିରେ ନିଆଯାଇଥିବା ବେଳେ ବ୍ରାହ୍ମଣ ନିଯୋଗର କୋଷାଧ୍ୟକ୍ଷ, ପୂଜାପଣ୍ଡା ନିଯୋଗର ଉପସଭାପତିଙ୍କୁ ସଭ୍ୟ ଭାବେ ନିଆଯାଇଛି।

ସମ୍ବନ୍ଧିତ ଖବର