ଭୁବନେଶ୍ୱର: ୪ ଦିନ ବିତିଗଲା। କପିଳେଶ୍ବର ମନ୍ଦିରରେ ନାହିଁ ପୂଜାର୍ଚ୍ଚନା। ଭୋକଉପାସରେ ଅପୂଜା ଅଛନ୍ତି ପ୍ରଭୁ କପିଳେଶ୍ୱର। ମନ୍ଦିର ସିଂହଦ୍ୱାରରେ ତାଲା ଝୁଲୁଛି। ମନ୍ଦିରରେ ବନ୍ଦୀ ସଦୃଶ ଅଛନ୍ତି ସ୍ବୟଂ ଠାକୁର। ଚାରି ଦିନ ହେଲା ମନ୍ଦିର ବେଢାରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଦ ପଡ଼ିନି। ଖାଁ ଖାଁ ମନ୍ଦିର ବେଢ଼ା। ଆରାଧ୍ୟ ଠାକୁରଙ୍କ ଏ ଦୟନୀୟ ଅବସ୍ଥା ପୁରୁଣା ଭୁବନେଶ୍ବରବାସିନ୍ଦା ତଥା କପିଳନାଥଙ୍କ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଛି। ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇପାରୁନି। ବାରମ୍ବାର ଉଦ୍ୟମ କରି ଜିଲ୍ଲା ଓ ମନ୍ଦିର ପ୍ରଶାସନ ବିଫଳ ହୋଇଛି। ସେବାୟତଙ୍କୁ ମନେଇବାରେ ବିଫଳ ପ୍ରଶାସନ ବି କୌଣସି ଦୃ୍ଢ଼ କାର୍ଯ୍ୟାନୁଷ୍ଠାନ ନେଇପାରୁନି। ସ୍ଥାନୀୟ ଲୋକଙ୍କ ସମେତ ବିଭିନ୍ନ ମହଲରୁ ପ୍ରଶାସନ ଉପରେ ଚାପ ପଡ଼ୁଛି, ମାତ୍ର କଠୋର ପଦକ୍ଷେପ ନେବାକୁ ପ୍ରଶାସନ ଡରୁଛି ବୋଲି କୁହାଯାଉଛି। ବାରମ୍ବାର ଆପୋସ ସମାଧାନ ବାଟ ବନ୍ଦ ହେଉଥିବାରୁ ପ୍ରଭୁ କପିଳନାଥ ଆଉ କେତେଦିନ ଭୋକ ଉପାସରେ, ଅପୂଜା ଅବସ୍ଥାରେ ଓ ବନ୍ଦୀ ଭାବେ ରହିବେ ବୋଲି ଶ୍ରଦ୍ଧାଳୁମାନେ କ୍ଷୋଭର ସହ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି।
୪ ଦିନ ହେଲା ମନ୍ଦିରରେ ନୀତି ବନ୍ଦ ଥିବାରୁ ବ୍ୟଥିତ କିଛି ସ୍ଥାନୀୟ ମୁରବିଶ୍ରେଣୀୟ ଲୋକେ ଆଜି ମନ୍ଦିର ପ୍ରଶାସନକୁ ଅନ୍ତତଃ ଏକ ଅସ୍ଥାୟୀ ସମାଧାନ ବାଟ ବାହାର କରିବାକୁ ଅନୁରୋଧ କରିଥିଲେ। ଠାକୁରଙ୍କ ସବୁଦିନିଆ ନୀତିକାନ୍ତି କରିବା ଓ ଶୁଖୁଲି ଭୋଗ ଲାଗି କରାଇବାକୁ ଅନୁରୋଧ କରିଥିଲେ। ସକାଳ, ସଂଜର ମଙ୍ଗଳ ଆଳତି, ଭୋଗ ରନ୍ଧନ ଓ ପୂଜାକୁ ନେଇ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ଥିବା ବିବାଦ ସମାଧାନ ହେବା ପର୍ଯ୍ୟନ୍ତ ଠାକୁରଙ୍କୁ ପାଣି, ପୁଷ୍ପ ଲାଗି ସହ ଶୁଖୁଲି ଭୋଗ ଲାଗି କରାଇବାକୁ ଅନୁରୋଧ କରିଥିଲେ। ସ୍ଥାନୀୟ କର୍ପୋରେଟର ଚନ୍ଦ୍ରଶେଖର ମଲିଆଙ୍କ ଅନୁରୋଧକ୍ରମେ ଭୁବନେଶ୍ବର ଉପଜିଲ୍ଲାପାଳ ତଥା କପିଳେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ନିର୍ବାହୀ ଅଧିକାରୀ ଦେବବ୍ରତ ସାହୁ ଉଭୟ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କୁ ଏକ ବୈଠକରେ ବସାଇ ବୁଝାଇଥିଲେ।
ଏହି ବୈଠକରେ କର୍ପୋରେଟର ଶ୍ରୀ ମଲିଆଙ୍କ ସହ ଉପଜିଲ୍ଲାପାଳ ଶ୍ରୀ ସାହୁ, ଟ୍ରଷ୍ଟ ବୋର୍ଡ ସଭ୍ୟ ଅବନୀକାନ୍ତ ପଟ୍ଟନାୟକ, ଏସିପି ଅନିରୁଦ୍ଧ ରାଉତରାୟ, ମନ୍ଦିର ସହାୟକ କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ ଭାରିମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ। ଠାକୁର ୪ ଦିନ ହେଲା ଉପବାସରେ ଥିବାରୁ ଲୋକଙ୍କ ଭାବାବେଗରେ ଆଘାତ ଲାଗୁଛି। ତେଣୁ ମୂଳ ବିବାଦର ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ଠାକୁରଙ୍କୁ ଆଉ ଉପାସ ଓ ଅପୂଜା ରଖାନଯାଉ ବୋଲି ଉପଜିଲ୍ଲାପାଳ ଶ୍ରୀ ସାହୁ ଅନୁରୋଧ କରିଥିଲେ। ମଲିଆ ସେବାୟତ ଠାକୁରଙ୍କ ସ୍ନାନ ଓ ଜଳ ଲାଗି ସହ ବେଶନୀତି କରିବେ ଏବଂ ଖୁଣ୍ଟିଆ ସେବାୟତମାନେ ଶୁଖୁଲି ଭୋଗ କରିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକ ଶେଷରେ ମଲିଆ ସେବାୟତଙ୍କ ପ୍ରତିନିଧିମାନେ ପୁଣି ଗାଁ ମୁରବିଙ୍କୁ ପଚାରି କହିବେ କହି ବୈଠକରୁ ଚାଲିଯାଇଥିଲେ। ଫଳରେ ପୁଣି ଏହି ବୈଠକ ବି ବିଫଳ ହେଲା।
ସୂଚନାଯୋଗ୍ୟ ଯେ ବିବାଦର ସମାଧାନ ପାଇଁ ବିଭିନ୍ନ ମହଲରୁ କେବଳ ପ୍ରଶାସନ ଉପରେ ଚାପ ପକାଯାଉଛି। ଅନ୍ୟ କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତା କରି ଦୁଇ ସେବାୟତ ଗୋଷ୍ଠୀକୁ ବୁଝାଇବା ବା ମନାଇବାକୁ ଉଦ୍ୟମ କରିପାରୁନାହାନ୍ତି। ମାତ୍ର ପ୍ରଶାସନ ମାପିଚୁପି ପଦକ୍ଷେପ ନେଉଛି। ହାଇକୋର୍ଟ, ଦେବୋତ୍ତର କମିସନଙ୍କ ନିର୍ଦ୍ଦେଶ ସତ୍ତ୍ବେ ବିବାଦ ବଢ଼ିଯିବା ଆଶଙ୍କାରେ ପ୍ରଶାସନ କୌଣସି କଠୋର ପଦକ୍ଷେପ ନେଇପାରୁନାହିଁ।