ସ୍ବତନ୍ତ୍ର ଆକ୍ଟରେ ଚାଲିବ ଶ୍ରୀଲିଙ୍ଗରାଜ ମନ୍ଦିର!

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରର ପରିଚାଳନା ପାଇଁ ଏକ ସ୍ବତନ୍ତ୍ର ଆକ୍ଟ୍‌ ଅଣାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି। ତେଣୁ ରାଜ୍ୟ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିରରେ ଥିବା ବିଭିନ୍ନ ସେବାକୁ ତାଲିକା କରାଯାଉଛି। ଏହି ପଦକ୍ଷେପ ଆରମ୍ଭ କରାଯାଇଛି ବୋଲି ସୂଚନା ମିଳିଛି। ନୂତନ ଟ୍ରଷ୍ଟ ବୋର୍ଡ ଗଠନ ପରେ ସେବା ତାଲିକା ପ୍ରସ୍ତୁତ ହେଉଥିବା ସୂଚନାରୁ ମନ୍ଦିର ପରିଚାଳନା ପାଇଁ ଏକ ନୂଆ ଆଇନ ଆସିବା ସଙ୍କେତ ମିଳୁଛି ବୋଲି ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ, ରାଜ୍ୟ ଦେବୋତ୍ତର ବିଭାଗ ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିରର ପାଳିଆ ସେବା ସହ ବିଭିନ୍ନ ପର୍ବପର୍ବାଣୀ ଓ ଯାତ୍ରାରେ ସାମିଲ ଥିବା ସେବାୟତଙ୍କ ତାଲିକା କରାଯାଉଛି। ପ୍ରଥମେ ପ୍ରମୁଖ ସେବାୟତମାନଙ୍କ ତାଲିକା କାମ ଆରମ୍ଭ ହୋଇଛି। ମନ୍ଦିର କାର୍ଯ୍ୟାଳୟରେ ଦେବୋତ୍ତର ବିଭାଗ ପକ୍ଷରୁ ସହକାରୀ କମିସନର ଏହି ତାଲିକା ପାଇଁ ପ୍ରାରମ୍ଭିକ ସୂଚନା ଗ୍ରହଣ କରୁଥିବା ଜଣାପଡ଼ିଛି। ପ୍ରକାଶ ଥାଉକି ସ୍ବତନ୍ତ୍ର ଆକ୍ଟ ପାଇଁ ପ୍ରଥମ ପଦକ୍ଷେପସ୍ବରୂପ ରାଜ୍ୟ ଦେବୋତ୍ତର ବିଭାଗ ଗତ ଜାନୁଆରି ୨୯ ତାରିଖରେ ନୂତନ ଟ୍ରଷ୍ଟ ବୋର୍ଡ ଗଠନ କରିଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତଙ୍କୁ ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ମନୋନୀତ କରାଯାଇଛି। ତେଣୁ ଏବେ ଖୋର୍ଦ୍ଧା ଜିଲ୍ଲାପାଳ ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷଭାବେ କାର୍ଯ୍ୟ କରୁଛନ୍ତି। ଏବେ ସେବାୟତଙ୍କ ତାଲିକା ପ୍ରସ୍ତୁତି କାମ ଏହି ଆକ୍ଟ୍‌ ପାଇଁ ପୁଣି ଆଉ ଏକ ପାଦ ଅଗ୍ରଗତି କରିଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର