ମଙ୍ଗଳବାରରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସାହାଣମେଲା ଦର୍ଶନ, ଏଣିକି ଗର୍ଭଗୃହରେ ପୂଜା କରିପାରିବେ ଶ୍ରଦ୍ଧା‌ଳୁ

ପୁରୁଣା ଭୁବନେଶ୍ବର: ଯାହା ଆଶା କରାଯାଉଥିଲା, ତାହା ହେଲା। ମହାଶିବରାତ୍ରି ପୂର୍ବରୁ କୋଭିଡ୍‌ କଟକଣା ହଟିବ; ଆଉ ଭକ୍ତ ଶ୍ରୀଲିଙ୍ଗରାଜଙ୍କ ଗର୍ଭଗୃହରେ ପ୍ରବେଶ କରି ପୂଜା କରିବେ। ମନ୍ଦିର କର୍ତ୍ତୃପକ୍ଷ ଆଜି ନିଷ୍ପତ୍ତି ନେଇଛନ୍ତି ଯେ ଶିବରାତ୍ରିର ପ୍ରାୟ ଏକ ମାସ ପୂର୍ବରୁ ଆସନ୍ତା ଫେବ୍ରୁଆରି ୯ ମଙ୍ଗଳବାରଠାରୁ ସର୍ବସାଧାରଣ ଶ୍ରୀଲିଙ୍ଗରାଜଙ୍କ ସାହାଣ ମେଲା ଦର୍ଶନ କରିପାରିବେ। ଗର୍ଭଗୃହରେ ଶକ୍ତି ପାଖକୁ ଯାଇ ଜଳ, କ୍ଷୀର, ବେଲପତ୍ର ଲାଗି କରିବା ସହ ପୂଜା କରିବେ। ବିଏମ୍‌ସି କମିସନରଙ୍କ ସହ ଲିଙ୍ଗରାଜଙ୍କ ସେବାୟତଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି।

ଅପରପକ୍ଷରେ ମନ୍ଦିର ସିଂହଦ୍ବାର ନିକଟରେ ଏବେ ଥର୍ମାଲ ସ୍କ୍ରିନିଂକୁ ସମ୍ପୂର୍ଣ୍ଣ ଉଠାଇ ଦିଆଯାଇଛି। ତେବେ ଭକ୍ତ ଓ ସେବାୟତମାନେ ମନ୍ଦିରକୁ ପ୍ରବେଶ ବେଳେ ପାନ, ଗୁଟ୍‌ଖା ଖାଇବା ବାରଣ କରାଯାଇଥିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହ ୬ ଫୁଟର ସାମାଜିକ ଦୂରତା ବଜାୟ ରଖିବା ନିୟମ ବଳବତ୍ତର ରହିଛି ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କହିଛନ୍ତି। ଶ୍ରୀ ଦାଶଙ୍କ କହିବା ଅନୁଯାୟୀ ମଙ୍ଗଳବାରରୁ ସର୍ବସାଧାରଣ ଭକ୍ତ ଗର୍ଭଗୃହରେ ପ୍ରବେଶ କରି ଦର୍ଶନ କରିବେ। ତେବେ ଏନେଇ ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ପାଳନ କରାଯିବ। ପ୍ରତିଦିନ ସକାଳ ସାଢ଼େ ୬ଟାରୁ ସାଢ଼େ ୯ଟା, ମଧ୍ୟାହ୍ନ ସାଢ଼େ ୧୨ଟାରୁ ଅପରାହ୍‌ଣ ୩ଟା ଓ ସନ୍ଧ୍ୟାରେ ୭ରୁ ୮ଟା ପର୍ଯ୍ୟନ୍ତ ଶ୍ରୀଲିଙ୍ଗରାଜଙ୍କ ସାହାଣ ମେଲା ଦର୍ଶନ ହେବ। ସେହିପରି ନୀତିକାନ୍ତି ପରିବର୍ତ୍ତନ ବେଳେ ସାହାଣମେଲା ଦର୍ଶନ ସମୟରେ ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି।

କରୋନା ଯୋଗୁଁ ଗତ ବର୍ଷ ମାର୍ଚ୍ଚ ୨୧ ତାରିଖରୁ ମନ୍ଦିରକୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଏହାର ୯ ମାସ ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିଥିଲା। ଡିସେମ୍ବର ଶେଷ ସପ୍ତାହରେ ପ୍ରଥମେ ସେବାୟତ ପରିବାର ଦର୍ଶନ କରିଥିଲେ। ଏହା ପରେ ଗତ ଜାନୁଆରି ୩ ତାରିଖରୁ ଭୁବନେଶ୍ବରବାସୀ ୩ ଦିନ ପର୍ଯ୍ୟନ୍ତ ଦର୍ଶନ ପରେ ସବୁ ଅଞ୍ଚଳର ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ତେବେ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରେ ଆଡ଼କାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରୁଥିଲେ।

ସମ୍ବନ୍ଧିତ ଖବର