ଅପରାହ୍ନ ୪ଟାରୁ ରଥ ଟଣା

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଯାତ୍ରା ପାଇଁ ଆଜି ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆସନ୍ତା ୨୪ତାରିଖରେ ରଥଯାତ୍ରାରେ ଅପରାହ୍ନ ୪ଟାରେ ରଥ ଟଣା ହେବ। ମନ୍ଦିର କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଭୋର ୫ଟାରେ ମଙ୍ଗଳ ଆଳତୀ ଓ ଅବକାଶ କରାଯାଇ ଭୋର ସାଢ଼େ ୫ଟାରେ ସାହାଣମେଲା ଦର୍ଶନ କରାଯିବ। ୧ଘଣ୍ଟା ସାହାଣମେଲା ଦର୍ଶନ ପରେ ରୋଷ ହୋମ ଓ ପାକ କାର୍ଯ୍ୟ, ଛାମୁ ପରିଷ୍କାର, ମହାସ୍ନାନ, ବେଶ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ପୂର୍ବାହ୍ନ ୮ଟା ମଧ୍ୟରେ ଶେଷ ହୋଇ ଧୂପ କରାଯିବ। ଏହାପରେ ବଲ୍ଲଭ, ଭୋଗ ମଣ୍ଡପ କରାଯାଇ ପୁଣି ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ମହାସ୍ନାନ, ବେଶ କରାଯାଇ ୧୨ଟାରୁ ଯାତ୍ରା ପୂଜା କରାଯିବ। ମଧ୍ୟାହ୍ନ ସାଢ଼େ ୧୨ଟାରୁ ୧ଟା ୪୫ମଧ୍ୟରେ ଶ୍ରୀ ଜୀଉଙ୍କ ପହଣ୍ଡି କରାଯାଇ ରଥରୁଢ କରାଯିବ। ୧ଟା ୪୫ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରଥରେ ପୂଜା କରାଯିବ। ଅପରାହ୍ନ ୪ଟାରେ ରଥ ଟଣା ଆରମ୍ଭ ହେବ। ସନ୍ଧ୍ୟା ସାଢ଼େ ୭ଟାରେ ଠାକୁର ଶ୍ରୀରାମେଶ୍ୱର ମନ୍ଦିରକୁ ବିଜେ କରିବେ। ସେହିପରି ୨୮ତାରିଖରେ ବାହୁଡ଼ା ଯାତ୍ରା ଦିନ ସାଢ଼େ ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ପହଣ୍ଡି କରାଯାଇ ସାଢ଼େ ୨ଟାରେ ରଥ ଟଣା ଆରମ୍ଭ ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର