ଜାଗର ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ଶେଷ : ଭକ୍ତଗହଳରେ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ମନ୍ଦିର ଚୂଡ଼ାରେ ପତାକା ଚଢ଼ାଇଲେ ୨୫୦ଟଙ୍କା

ପୁରୁଣା ଭୁବନେଶ୍ୱର: ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରି ତଥା ଜାଗରଯାତ୍ରା। ଏଥିପାଇଁ ସକାଳୁ ସକାଳୁ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ଲାଗି ଭିଡ ଆରମ୍ଭ ହୋଇଯାଇଛି। ଭକ୍ତମାନେ ଧାଡ଼ିରେ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଜାଗର ଯାତ୍ରା ଲାଗି ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ବେଳେ ସେବାୟତମାନେ ଠିକଣା ସମୟର ପୂର୍ବରୁ ଉଠାଇବେ ବୋଲି କହିଛନ୍ତି। ତେବେ ମନ୍ଦିର ପ୍ରଶାସନ ସେବାୟତମାନଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ ଚଳାଇଛି। ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପ୍ରତି ପ୍ରଶାସନ ଯତ୍ନବାନ ହୋଇଛି।

ଗତକାଲି ସନ୍ଧ୍ୟା‌ରେ ଖୋର୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଅନୁପ କୁମାର ସାହୁ ପ୍ରମୁଖ ସ୍ଥିତି ସମୀକ୍ଷା କରିଛନ୍ତି। ସେହିପରି ଆଇନଶୃଙ୍ଖଳା ରକ୍ଷା ଓ ଟ୍ରାଫିକ୍‌ ପରିଚାଳନା ପାଇଁ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯାତ୍ରାରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ବିଏମ୍‌ସି ପକ୍ଷରୁ ରାସ୍ତା ସଫେଇ ସହ ନାଳଗୁଡ଼ିକରେ ସ୍ଲାବ୍‌ ପକାଇବା ବ୍ୟବସ୍ଥା କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ମନ୍ଦିର ପରିଷ୍କାର କରାଯିବା ସହ ସିଂହଦ୍ୱାରଠାରୁ ଅରୁଣ ସ୍ତମ୍ଭ ଯାଏ ବ୍ୟାରିକେଡ୍‌ କରାଯାଇଛି। ଏଥିସହ ମନ୍ଦିର ଗର୍ଭଗୃହରୁ ପାଦୁକ ମଧ୍ୟ ସଫେଇ କରାଯାଇଛି। ମହାଶିବରାତ୍ରି‌ରେ ଏଏସ୍‌ଆଇର ୪୦ଜଣ କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିବେ। ମନ୍ଦିର ପରିସରରେ ଓ ବାହାରେ ସୂଚନା କେନ୍ଦ୍ର ଖୋଲାଯିବା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ସୂଚନା ଦିଆଯିବ। ଜିଲ୍ଲା ସୂଚନା ବିଭାଗ ପକ୍ଷରୁ ଏଥିପାଇଁ ଏକ ଟିମ୍ ନିୟୋଜିତ କରାଯାଇଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବଢ଼େଇବାଙ୍କ ଛକ, ହାଟ, ଇଲେକ୍ଟ୍ରି ଅଫିସ୍ ଛକ ଓ ମନ୍ଦିର ଚାରିପଟେ ପିଇବା ପାଣି ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଗାଡ଼ି ମଟର ରଖିବା ପାଇଁ ୧୪ଟି ପାର୍କିଂସ୍ଥଳ ଚିହ୍ନଟ କରାଯାଇଛି। ଶ୍ରଦ୍ଧାଳୁମାନେ ଧାଡ଼ି ବାନ୍ଧି ଠିଆ ହେବା ବେଳେ ଟାଣ ଖରାରୁ ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ପାଣି ସ୍ପ୍ରେ’ ସହ ତଳେ କାର୍ପେଟ୍‌ ବିଛା ଯାଇଛି।

ପତାକା ଚଢ଼ାଇଲେ ୨୫୦ଟଙ୍କା
ମହାଶିବରାତ୍ରିରେ ଶହଶହ ଭକ୍ତ ମନ୍ଦିର ଚୂଡ଼ାରେ ପତାକା ଚଢ଼ାଇଥାନ୍ତି। ଏହି ପତାକା ଚଢ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଚଳିତବର୍ଷ ୨୫୦ ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି। ପତାକା ଚଢ଼ାଇବାକୁ ଚାହୁଥିବା ଶ୍ରଦ୍ଧାଳୁ ମନ୍ଦିର କାର୍ଯ୍ୟାଳୟରେ ପାଉଣା ଦେଇ ପତାକା ଦାଖଲ କରିବେ। ତେବେ ଅପରିଚିତ ବ୍ୟକ୍ତିଙ୍କୁ ଟଙ୍କା ନ ଦେବାକୁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ସୂତା ଓ ନାଲି ରଙ୍ଗର ପତାକା ଦେବାକୁ ସମର୍ଥା ସେବାୟତମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର