୨୭ରେ ଚନ୍ଦ୍ରଗ୍ରହଣ, ଶ୍ରୀଲିଙ୍ଗରାଜ ମନ୍ଦିର ନୀତି ପରିବର୍ତନ

ପୁରୁଣା ଭୁବନେଶ୍ୱର: ୨୭ ତାରିଖରେ ପଡ଼ୁଥିବା ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ନୀତିରେ ପରିବର୍ତ୍ତନ କରାଯାଇଛି। ଆଜି ଏନେଇ ସେବାୟତମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମନ୍ଦିରରେ ୨୭ ତାରିଖ ଭୋର୍‌ ୬ଟା ପୂର୍ବରୁ ପହୁଡ଼ ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶ କରାଯିବ। ସକାଳ ୬ଟା ସୁଦ୍ଧା ସନ୍ଧ୍ୟାଧୂପ କରାଯାଇ ସାଢ଼େ ୬ଟାରୁ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ସକାଳ ୯ଟାରୁ ସାଢ଼େ ୯ଟା ମଧ୍ୟରେ ଗର୍ଭଗୃହ ସଫେଇ କରାଯିବ। ସାଢ଼େ ୯ଟାରେ ମାଘସ୍ନାନ କରାଯିବ। ଏହା ପରେ ମନ୍ଦିରରେ ଅନ୍ୟାନ ନୀତି କରାଯିବ। ଅପରାହ୍ନ ୨ଟା ୩୦ମିନିଟ୍‌ ମଧ୍ୟରେ ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଧୂପ ଓ ଠାକୁରାଣୀଙ୍କ ସନ୍ଧ୍ୟା ଧୂପ କରାଯିବ। ୨ଟା ୫୪ରେ ସମସ୍ତ ନୀତି ବନ୍ଦ ରହିବ। ତେବେ ଠାକୁରଙ୍କୁ ଆଡ଼କାଠରୁ ଦର୍ଶନ ସୁବିଧା ଥିଲେ ମଧ୍ୟ ଭୋଗରାଗ ଓ ପୂଜାର୍ଚନା ମଧ୍ୟ ବନ୍ଦ ରହିବ। ରାତି ୨ଟା ୧୫ ମିନିଟ୍‌ରୁ ୩ଟା ମଧ୍ୟରେ ଗ୍ରହଣ ଚାଲୁଥିବା ସମୟରେ ଶ୍ରୀଜିଉ ଗ୍ରହଣ ସ୍ନାନ ପାଇଁ ବିନ୍ଦୁସାଗରକୁ ଯାତ୍ରା କରି ସେଠାରେ ଗ୍ରହଣ ଗାଧୁଆ କରିବେ। ପରେ ମନ୍ଦିରରେ ଗ୍ରହଣ ଭୋଗ ଲାଗି କରାଯିବ। ରାତି ୩ଟା ୫୫ମିନିଟ୍‌ ପରେ ଗ୍ରହଣ ସର୍ବମୋକ୍ଷ ପରେ ମନ୍ଦିରରେ ରୋଷ ହୋମ କରାଯିବା ସହ ବଡ଼ସିଂହାର ଓ ଅନ୍ୟାନ୍ୟ ନୀତି କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ମନ୍ଦିରରେ ଶ୍ରାବଣୀ ପ୍ରସ୍ତୁତି
ପୁରୁଣା ଭୁବନେଶ୍ୱର: ୨୭ ତାରିଖ ପୂର୍ଣ୍ଣମୀ ପର ସୋମବାର ୩୦ ତାରିଖଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ କାଉଡ଼ିଆମାନେ ଜଳଲାଗି କରିବେ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ କରାଯାଇଛି। ପୂର୍ବବର୍ଷ ପରି ଚଳିତ ବର୍ଷ ନୀତିକାନ୍ତି ପାଳନ ହେବା ସହ ବିଭିନ୍ନ ବିଭାଗ ତାର ପୂର୍ବ ପ୍ରସ୍ତୁତି କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ମନ୍ଦିର ଭୋର୍‌ ୩ଟାରୁ ଖୋଲାଯିବ। ଭୋର ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ଆରମ୍ଭ ହେବ। ଆଡ଼ କାଠ ନିକଟରୁ ଗର୍ଭଗୃହ ପର୍ଯ୍ୟନ୍ତ ଏକ ତମ୍ବା ପାତ୍ରର ନଳ ରହିବ। କାଉଡ଼ିଆମାନେ ଧାଡ଼ି ବାନ୍ଧି ଆଡ଼କାଠ ନିକଟରେ ଠିଆ ହୋଇ ସେହି ତମ୍ବା ପାତ୍ରରେ ତୀର୍ଥ ଜଳ ଢାଳିବେ। ଏଥିପାଇଁ ସମସ୍ତ କାଉଡ଼ିଆଙ୍କଠାରୁ ୧୦ ଟଙ୍କା ଶ୍ରାବଣୀ ପାଉଣା ଆଦାୟ କରାଯିବ। ସେପଟେ କାଉଡ଼ିଆମାନଙ୍କୁ ଭିତରକୁ ଶୃଙ୍ଖଳିତ ଭାବେ ଛାଡ଼ିବା ପାଇଁ ମନ୍ଦିର ଭିତରେ ଓ ବାହାରେ ଏଏସ୍‌ଆଇ ପକ୍ଷରୁ ବ୍ୟାରିକେଡ୍‌ କରାଯିବା ପାଇଁ କୁହାଯାଇଛି। ମନ୍ଦିରର ବାଇଶି ପାହାଚଠାରୁ ସିଂହଦ୍ଵାର ବ୍ୟାରିକେଡ୍‌ କାମ ରବିବାର ରାତିରେ କରାଯିବ। ସେହିପରି ଶ୍ରାବଣ ମାସ ତମାମ ବଢ଼େଇବାଙ୍କ ଛକଠାରୁ ମନ୍ଦିର ଓ ମନ୍ଦିର ଚାରିପାଖରେ ଆମିଷ ଦୋକାନ ବନ୍ଦ ରହିବ। ଟ୍ରାଫିକ୍‌ ନିୟନ୍ତ୍ରଣ ଓ କାଉଡ଼ିଆମାନଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରିବା ପାଇଁ ପୁଲିସ୍‌ ବିଭାଗକୁ କୁହାଯାଇଛି। ଜୋତା ଷ୍ଟାଣ୍ଡ ନିକଟରେ ଥିବା ଖାଲି ସ୍ଥାନରେ ବେସରକାରୀ ସଂସ୍ଥା ଅସ୍ଥାୟୀ ସେବା ଶିବିର ପାଇଁ ଅନୁମତି ଦିଆଯିବ। ସେହିପରି ଉତ୍ତରଦ୍ଵାରଠାରୁ ଚାହାଣି ମଣ୍ଡପ ପର୍ଯ୍ୟନ୍ତ ଥିବା ଦୋକାନଗୁଡ଼ିକୁ ଉଠାଯିବା ସହ ସେହି ସ୍ଥାନକୁ ପରିସ୍କାର କରାଯିବା ପାଇଁ ବିଏମ୍‌ସିକୁ କୁହାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜିର ଏହି ବୈଠକରେ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା, ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ଓ ବିଭିନ୍ନ ସେବାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର