ଲିଙ୍ଗରାଜ ମନ୍ଦିର ପାଚେରି କଡ଼ରେ ଜବରଦଖଲ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ପାଚେରି ପାର୍ଶ୍ୱରେ ଜବରଦଖଲ ହୋଇଛି। ମନ୍ଦିରର ଉତ୍ତରଦ୍ଵାର ନିକଟରେ ମାଟି ଓ ପଥରରେ ପିଣ୍ଡି ତିଆରି ହୋଇ ଜବରଦଖଲ କରାଯାଇଛି। ଏନେଇ ଏଏସ୍‌ଆଇ ଓ ବିଏମ୍‌ସି ଧ୍ୟାନ ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ମନ୍ଦିରର ଉତ୍ତରଦ୍ଵାର ନିଟରେ ଏକ ଫୁଟ୍‌ ଉଚ୍ଚତାରେ ୫ ଫୁଟ୍‌ ଓସାର ଓ ୬୦ ଫୁଟ୍‌ ଲମ୍ବରେ ଏକ ପିଣ୍ଡି ତିଆରି ହୋଇଛି। ଏଠାରେ କୌଣସି ବ୍ୟବସାୟୀ ବେପାର କରୁନଥିଲେ ମଧ୍ୟ ଏହା ବ୍ୟବସାୟୀମାନଙ୍କ ପାଇଁ ତିଆରି ହୋଇଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଏହି ଜବରଦଖଲକୁ ନେଇ ବିଏମ୍‌ସି ପକ୍ଷରୁ ଅନୁଧ୍ୟାନ କରାଯାଇଛି। ସେହିପରି ନିକଟରେ ଥିବା ପାପନାଶିନୀ ପୁଷ୍କରିଣୀ ନିକଟରେ ଜବରଦଖଲ ହୋଇଛି। ତେବେ ଜବରଦଖଲ ସମ୍ପର୍କରେ ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ଉପ ଜିଳ୍ଲାପାଳଙ୍କୁ ଗତ ଜାନୁଆରି ୧୫ ତାରିଖରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଏଠାରେ ଥିବା ବିଏମ୍‌ସି ହସ୍ପିଟାଲକୁ ଆସୁଥିବା ଲୋକେ ପାର୍କିଂ ପାଇଁ ନାନା ହଇରାଣ ହେଉଛନ୍ତି। ସେଠାରେ ଜବରଦଖଲ ଉଚ୍ଛେଦ କରାଯାଇ ପାର୍କିଂ ବ୍ୟବସ୍ଥା କରାଗଲେ ବହୁ ସମସ୍ୟାର ସମାଧାନ ହୋଇପାରିବ। ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। ତେବେ ଏନେଇ ଉପଜିଲ୍ଲାପାଳ ଓ ଏଏସ୍‌ଆଇ ସୁପରିନଟେଣ୍ଡେଣ୍ଟ୍‌ କହିଛନ୍ତି ଅନୁଧ୍ୟାନ କରିବା ପରେ ଯାହା କିଛି ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର