ଅଗଷ୍ଟରେ ସରିବା ଲକ୍ଷ୍ୟ
କରୋନା ପାଇଁ ଦୁଇ ମାସ କାମ ବିଳମ୍ବ
ସପ୍ତାହକରେ ସବୁ ଜମି ଅଧିଗ୍ରହଣ
ସୋମବାରରୁ ଉଚ୍ଛେଦ
ଭୁବନେଶ୍ବର : କରୋନା ପାଇଁ ଅଢ଼େଇ ମାସ ହେଲା ଅଧପନ୍ତରା ହୋଇ ପଡ଼ିଥିବା ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପ କାମ ଶୁକ୍ରବାର ଠାରୁ ପୁଣି ଆରମ୍ଭ ହେବ। ବିଏମ୍ସି ଓ ଜିଲ୍ଲା ପ୍ରଶାସନ ଜମି ଅଧିଗ୍ରହଣ କରିବ, ପୁରୁଣା ଭୁବନେଶ୍ବରରେ ପୁଣି ବୁଲଡୋଜର ବୁଲିବ। ଜାନୁଆରି, ଫେବ୍ରୁଆରି ମାସରେ ଏକାମ୍ର କ୍ଷେତ୍ରରେ ଯେମିତି କାମ ହେଉଥିଲା ତାହାଠାରୁ ଅଧିକ ଗତିରେ କାମ ହେବ। ଅଗଷ୍ଟ ମାସ ଶେଷ ସୁଦ୍ଧା ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବକୁ ନୂଆ ରୂପ ଦିଆଯିବ।
ଶୁକ୍ରବାର ଠାରୁ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉନ୍ନତୀକରଣ ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଆଜି ବିଏମ୍ସି କର୍ତ୍ତୃପକ୍ଷ ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପ କାମ ପୁଣି ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଜମି ଅଧିଗ୍ରହଣ କିପରି ଜଲ୍ଦି ଶେଷ ହେବ, ଯେଉଁ ଘର ଓ ଦୋକାନ ମାଲିକଙ୍କୁ ପ୍ରଶାସନ କ୍ଷତିପୂରଣ ଦେଇଦେବ ସେଗୁଡ଼ିକୁ ତୁରନ୍ତ କିପରି ଉଚ୍ଛେଦ ହେବ, ଯେଉଁମାନଙ୍କର ଜମି ଅଧିଗ୍ରହଣ ହେବ ସେମାନଙ୍କୁ କିପରି ସଙ୍ଗେସଙ୍ଗେ ଟଙ୍କା ଦିଆଯିବ, ଠିକା ସଂସ୍ଥାଗୁଡ଼ିକୁ ଯେଉଁ କାମ କରିବାକୁ ଦିଆଯାଇଛି ତାହା କିପରି ଶୀଘ୍ର ଶେଷ ହେବ, ବାକି କାମ ପାଇଁ କିପରି ଏମ୍ଓୟୁ ସ୍ବାକ୍ଷର ହେବ ସେନେଇ ନିଷ୍ପତ୍ତି ହୋଇଛି।
ଶ୍ରୀଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ମୋଟ୍ ୬୫ ଏକର ପରିମିତ ଅଞ୍ଚଳର ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଏକାମ୍ର ଯୋଜନାରେ ମୋଟ୍ ୧୦୨ଜଣଙ୍କର ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ୬୨ଜଣ ଜମି ଦେବାକୁ ରାଜି ହୋଇଛନ୍ତି। ସେମାନଙ୍କୁ ବି ଆବଶ୍ୟକ କ୍ଷତିପୂରଣ ଦିଆସରିଛି। ତେଣୁ ଆସନ୍ତା ଦୁଇ ଦିନ ଭିତରେ ସେମାନଙ୍କୁ ଘର ଛାଡ଼ିବାକୁ କୁହାଯିବ, ଏହାପରେ ଉଚ୍ଛେଦ କାମ ଆରମ୍ଭ ହେବ। ବାକି ୪୦ଜଣଙ୍କର ଆସନ୍ତା ସପ୍ତାହକ ମଧ୍ୟରେ ଜମି ଅଧିଗ୍ରହଣ କରି କ୍ଷତିପୂରଣ ଦିଆଯିବ ବୋଲି ବିଏମ୍ସିର ଡେପୁଟି କମିସନର କମଲଜିତ୍ ଦାସ କହିଛନ୍ତି।
ଅପରପକ୍ଷେ ଜୁନ୍ ସୁଦ୍ଧା ଏକାମ୍ର ଯୋଜନାକୁ ରାଜ୍ୟ ସରକାର ଯୋଜନା କରିଥିଲେ ହେଁ କରୋନା ପାଇଁ ଦୁଇ ମାସରୁ ଅଧିକ କାମ ବନ୍ଦ ରହିବାରୁ ଏହାକୁ ଅଗଷ୍ଟ ମାସ ଶେଷ ସୁଦ୍ଧା ଶେଷ କରାଯିବ ବୋଲି ଯୋଜନା ହୋଇଛି। ଜମି ଅଧିଗ୍ରହଣ ଏବେ ପ୍ରମୁଖ ସମସ୍ୟା ପାଲଟି ଥିବାରୁ ଲୋକଙ୍କୁ ବୁଝାଇ କିପରି ଜମି ଅଧିଗ୍ରହଣ କରାଯିବ ତାହା ବିଏମ୍ସି ପାଇଁ ଚିନ୍ତାର କାରଣ ପାଲଟିଛି।
ସେହିପରି ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ମଧ୍ୟବର୍ତ୍ତୀ ଅଞ୍ଚଳର ବିକାଶ କାମକୁ ପ୍ରଥମେ ଶେଷ କରାଯିବ। ଏଥିପାଇଁ ଯୋଜନା ଓ ଡିଜାଇନ୍ ପ୍ରସ୍ତୁତ ଚାଲିଛି ବୋଲି କୁହାଯାଇଛି। ବିନ୍ଦୁସାଗର ଓ ଅନ୍ୟାନ୍ୟ ତୀର୍ଥ ପୁଷ୍କରିଣୀର ଜଳକୁ ନୂତନ ବୈଷୟିକ ଜ୍ଞାନ ସହାୟତାରେ ସ୍ବଚ୍ଛ କରିବା ଓ ଏହାର ଗୁଣାତ୍ମକମାନ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ଇଣ୍ଡିଆନ କେମିକାଲ ଇନଷ୍ଟିଚ୍ୟୁଟ୍ ସହିତ ଖୁବ୍ ଶୀଘ୍ର ଚୁକ୍ତି ସ୍ବାକ୍ଷର ହେବ ବୋଲି ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ବିନ୍ଦୁସାଗରରୁ କୋଟିତୀର୍ଥେଶ୍ବର ରାସ୍ତାରେ ଲିଙ୍ଗରାଜ ମାର୍କେଟ ତଥା ପାର୍କିଂ ସ୍ଥଳକୁ ରାସ୍ତା ପ୍ରଶସ୍ତ କାମ ସରିଛି। ଦେବୀପାଦହରା ପୁଷ୍କରିଣୀ ଚତୁଃପାର୍ଶ୍ବ, ଲିଙ୍ଗରାଜ ଥାନା, ମନ୍ଦିର କାର୍ଯ୍ୟାଳୟ ହାଟର କିଛି ଅଂଶ, ଦୁଇଟି ଶୌଚାଳୟ, ବିଏମ୍ ହାଇସ୍କୁଲର କିଛି ଅଂଶ, ବିଏମ୍ସି ହସ୍ପିଟାଲ କ୍ବାର୍ଟର୍ସକୁ ଉଚ୍ଛେଦ କରାଯାଇଛି। ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିର ଚାରିକଡ଼େ ପ୍ରଶସ୍ତ ରାସ୍ତା ନିର୍ମାଣ କରିବା ପାଇଁ ବିଏମ୍ ହାଇସ୍କୁଲ ନିକଟ ରାସ୍ତା, ହାଟ ସାହି ଛକରୁ ତାରା ସୁନ୍ଦରୀ ରୋଡ଼୍ ପର୍ଯ୍ୟନ୍ତ ରାସ୍ତାକୁ ଚଉଡ଼ା କରାଯାଇଥିଲେ ହେଁ ଗଣେଶ ମନ୍ଦିରର ମୁଖଶାଳା ବଡ଼ କରିବା ସହ ମନ୍ଦିରରେ ଯେପରି ବର୍ଷା ଜଳ ପ୍ରବେଶ ନକରିବ ସେଥିପାଇଁ ହେବାକୁ ଥିବା କାମ ଅଧାରେ ରହିଛି।
ସେହିପରି ବିଏମ୍ ହାଇସ୍କୁଲର ତୋରଣ, ସାଇକେଲ୍ ଷ୍ଟାଣ୍ଡ୍ ନିର୍ମାଣ କାମ ଅଧା ରହିଛି। ଶ୍ରୀଲିଙ୍ଗରାଜଙ୍କ ଚାହାଣି ମଣ୍ଡପଠାରୁ ସିଂହଦ୍ବାର ସମ୍ମୁଖ ଓ ସିଂହଦ୍ବାର ସମ୍ମୁଖରୁ ମହାକାଳୀ ମନ୍ଦିର ସମ୍ମୁଖରେ ପେଭର ବ୍ଲକ୍ ବିଛାଇବା କାମ ଶେଷ ହୋଇଥିବାବେଳେ ସିଂହଦ୍ବାର ସମ୍ମୁଖ ରାସ୍ତା ବ୍ୟତୀତ ପୁରୁଣା ଥାନା ଥିବା ଜମି ଉପରେ ଆଉ ଏକ ରାସ୍ତା ନିର୍ମାଣ କରଯାଇଛି। ଏଠାରେ ଏକ ୨୦ଫୁଟ୍ର ରାସ୍ତା ସହ ଉପରେ ଫାଇବର୍ ସେଡ଼୍ କରାଯାଇଛି। ଏହି ରାସ୍ତା କଡ଼ରେ ଚେୟାର ପକାଯିବା ସହ ଚାରିପଟେ ବ୍ୟାରିକେଡ୍ ଓ ଫୁଲ କୁଣ୍ଡ ମଧ୍ୟ ରଖାଯାଇଛି। ହେଲେ ଯେଉଁ ବ୍ୟବସାୟୀମାନଙ୍କୁ ଉଚ୍ଛେଦ କରଯାଇଥିଲା ସେମାନଙ୍କ ମଧ୍ୟରୁ ବହୁ ବ୍ୟବସାୟୀ ସହାୟତା ପାଇ ନାହାନ୍ତି। ଯେଉଁ ଉଠା ଦୋକନୀଙ୍କୁ ଉଚ୍ଛେଦ କରାଯାଇଛି ସେମାନେ ପ୍ରଥମ ୧୫ହଜାର ସହାୟତା ରାଶି ପାଇଥିବା ବେଳେ ମାସକୁ ୩ହଜାର ପାଇବା ନେଇ ଯେଉଁ ଘୋଷଣା ହୋଇଥିଲା ତାହା ଏବେ ସୁଦ୍ଧା କାର୍ଯ୍ୟକାରୀ ହୋଇନି।