ମରୀଚିକୁଣ୍ଡ ଜଳରେ ହେବ ରଥ ପ୍ରତିଷ୍ଠା

ଦିନ ୧ଟାରୁ ରାତି ୮ଟା ଯାଏଁ ଟ୍ରାଫିକ୍‌ କଟକଣା

ପୁରୁଣା ଭୁବନେଶ୍ୱର : ରୁକୁଣା ରଥଯାତ୍ରାର ପୂର୍ବ ଦିନ ଶୁକ୍ରବାର ଅର୍ଥାତ୍ ସପ୍ତମୀ ତିଥି ରାତିରେ କେଦାର ଗୌରୀ ନିକଟ ମରୀଚିକୁଣ୍ଡ ଜଳରେ ରଥ ପ୍ରତିଷ୍ଠା ହେବ। ଏହି ଜଳର ମହାତ୍ମ୍ୟ ଥିବାରୁ ଉକ୍ତ ଦିନ ଏହାକୁ ନିଲାମ କରାଯିବ। ନିସନ୍ତାନ ମହିଳାମାନେ ଏହି ଜଳରେ ସ୍ନାନ କଲେ ସନ୍ତାନ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଥିବାରୁ ବହୁ ମହିଳା ଏହି ନିଲାମରେ ଭାଗ ନେବେ। ଏଥିପାଇଁ ବର୍ଷକୁ ଗୋଟିଏ ଦିନ ଏହି କୁଣ୍ଡର ଜଳ ବ୍ୟବହାର ହୁଏ। ବର୍ଷ ତମାମ ବନ୍ଦ ଥିବା ଏହି କୁଣ୍ଡର ପ୍ରଥମ କଳସ ଜଳ ରୁକୁଣା ରଥର ପ୍ରତିଷ୍ଠା ପାଇଁ ବ୍ୟବହାର ହେବ। ଏହାପରେ କ୍ରମ ଅନୁଯାୟୀ କଳସର ଜଳକୁ ବଡ଼ୁ ନିଯୋଗ ପକ୍ଷରୁ ବିଭିନ୍ନ ନିସନ୍ତାନ ମହିଲାଙ୍କୁ ନିଲାମ ହେବ। ସେହିଦିନ ବିଭିନ୍ନ ସ୍ଥାନରୁ ମହିଳାମାନେ ଆସିବାକୁ ଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଦେଇଛି। ଏଥିପାଇଁ ବିଭିନ୍ନ ବିଭାଗକୁ ଚିଠି କରାଯାଇଛି। ମରୀଚିକୁଣ୍ଡର ସଫେଇ ଓ ସେଠାରେ ଅସ୍ଥାୟୀ ଗାଧୁଆ ଘର ନିର୍ମାଣ ପାଇ ବିଏମ୍ସିକୁ କୁହାଯାଇଛି। ସେହିପରି ସେଠାରେ ଥିବା ମୁକ୍ତେଶ୍ୱର ମନ୍ଦିରକୁ ରଂଗୀନ ଆଲୋକମାଳାରେ ସଜ୍ଜାଯିବ। ଏଥିସହ ସୂଚନା କେନ୍ଦ୍ର ମଧ୍ୟ ଖୋଲାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ପୌରାଣିକ କଥା ଅନୁଯାୟୀ, ଏକଦା ଏହି କ୍ଷେତ୍ରରେ ରାଜା ଦୃମିଳଙ୍କ ଦୁଇ ପୁତ୍ର କୀର୍ତ୍ତି ଓ ବାସଙ୍କୁ ଯୋଗମାୟା ପାଦରେ ଦଳି ମାରିଦେବା ପରେ ଏହି ଦୁଇ ଭାଇଙ୍କ ଏକମାତ୍ର ପତ୍ନୀ ମାରୀଚି ନିଜ ବଂଶ ରକ୍ଷା ପାଇଁ ଶିବଙ୍କ ଶରଣ ନେଇଥିଲେ। ଶିବ ନିକଟରେ ଥିବା ଏହି କୁଣ୍ଡରେ ନିଜର ଶକ୍ତିକୁ ସ୍ଖଳନ କରିଥିଲେ। ଏହି ତିଥିରେ ମାରୀଚି ସେହି କୁଣ୍ଡର ଜଳ ପାନ କରି ନିଜ ବଂଶ ରକ୍ଷା କରିପାରିଥିଲେ। ସେହି ବିଶ୍ୱାସକୁ ନେଇ ଏହି ପରମ୍ପରା ଚାଲିଆସୁଛି।

ଦିନ ୧ଟାରୁ ରାତି ୮ଟା ଯାଏଁ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର : ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ କମିସନରେଟ୍‌ ପୁଲିସ ପ୍ରସ୍ତୁତି ଶେଷ କରିଛି। ଆଜି ଟ୍ରାଫିକ୍‌ କଟକଣାକୁ ନେଇ କମିସନରେଟ ପୁଲିସ ସର୍ବସାଧାରଣ ବିଜ୍ଞପ୍ତି ଜାରି କରିଛି। ୧୩ରୁ ୧୭ ତାରିଖ ମଧ୍ୟରେ ଅପରାହ୍‌ଣ ଗୋଟାଏରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀଲିଙ୍ଗରାଜ ମନ୍ଦିରରୁ ମାଉସୀ ମା’ ଛକ ପର୍ଯ୍ୟନ୍ତ ଟ୍ରାଫିକ୍‌ କଟକଣା କରାଯାଇଛି। ଏହି ସମୟ ମଧ୍ୟରେ ରଥଗଡ଼ାଠାରୁ ଆରମ୍ଭ କରି ମୁନା ମେଡିକାଲ, ତିନିମୁଣ୍ଡିଆରୁ ବାରିକ ସାହି ଦେଇ ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ମାଉସୀମା ମନ୍ଦିର ପର୍ଯ୍ୟନ୍ତ କୌଣସି ଗାଡ଼ି ଚଳାଚଳ କରିପାରିବ ନାହିଁ। ସମସ୍ତ ପ୍ରକାରର ଯାନର ଗତିପଥ ବିବେକାନନ୍ଦ ମାର୍ଗକୁ ପରିବର୍ତ୍ତନ କରାଯିବ। ବାରିକ ସାହି ଓ ଭୀମଟାଙ୍ଗି ଆଡୁ ଆସୁଥିବା ସମସ୍ତ ଗାଡ଼ିର ଗତିପଥ ମୁନା ମେଡିକାଲ ଛକ ଦେଇ ହାଟସାହି ଆଡ଼କୁ ପରିବର୍ତ୍ତନ କରାଯିବ। ଗ୍ୟାରେଜ୍‌ ଛକରୁ ଆସୁଥିବା ସମସ୍ତ ଗାଡ଼ି ସିଂହଦ୍ବାରଠାରୁ ହାଟସାହି ଆଡ଼କୁ ପଠାଇ ଦିଆଯିବ। ବସ୍‌ ଓ ଅନ୍ୟାନ୍ୟ ଚାରି ଚକିଆ ତଥା ବଡ଼ ଗାଡ଼ି ଲିଙ୍ଗରାଜ ମନ୍ଦିର ପାଖରେ ଥିବା ନୂଆ ପାର୍କିଂ ସ୍ଥଳରେ ରହିବ। ସେହିଭଳି କାଚେରା ପିଣ୍ଡିରୁ ଆସୁଥିବା ସମସ୍ତ ଗାଡ଼ି ତିନିମୁଣ୍ଡିଆକୁ ଆସିବାକୁ ଦିଆଯିବ ନାହିଁ। ଏହାକୁ ଅମାନ୍ୟ କଲେ ୫ଶହରୁ ୧ ହଜାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୧୩ ତାରିଖରେ ରୁକୁଣା ରଥଯାତ୍ରା ହେବାକୁ ଥିବା ବେଳେ ୧୭ ତାରିଖରେ ବାହୁଡ଼ାଯାତ୍ରା ରହିଛି। ଯାତ୍ରା ପରିଚାଳନା ଓ ସୁରକ୍ଷା ପାଇଁ ୬ ଏସିପିଙ୍କ ସମେତ ୧୩ ଇନ୍‌ସପେକ୍ଟର ଓ ୧୭ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବା ପାଇଁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର