ପୁରୁଣା ଭୁବନେଶ୍ୱର(ଲିଙ୍ଗରାଜ ସାହୁ): ପ୍ରାୟ ୧୫୦ବର୍ଷ ତଳର କଥା। ଶ୍ରୀଲିଙ୍ଗରାଜ ମନ୍ଦିରର ସମର୍ଥା ସେବାରେ ବାଧା ସୃଷ୍ଟି ହେଉଥିଲା। ସମର୍ଥା ପରିବାରରେ କାହାରି ମୃତ୍ୟୁ ହେଲେ, ଲିଙ୍ଗରାଜ ମନ୍ଦିରରେ ସମର୍ଥା ସେବା ବାଧାପ୍ରାପ୍ତ ହେଉଥିଲା। ପୂଜା ନୀତି ବନ୍ଦ ରହୁଥିଲା। ତେଣୁ ପ୍ରଭୁଙ୍କ ନିରନ୍ତର ନୀତି ପାଇଁ ୩ଟି ସମର୍ଥା ପରିବାର ପରକରଣ ସାହିରୁ ଅଲଗା ହୋଇଗଲେ। ଶତୃଘ୍ନ ସମର୍ଥା, ଲୋକନାଥ ସମର୍ଥା ଓ ଜଗନ୍ନାଥ ସମର୍ଥାଙ୍କ ପରିବାର ପରକରଣ ସାହିରୁ ଅଲଗା ହୋଇ ଲିଙ୍ଗରାଜ ହାଟ ନିକଟରେ ବସବାସ କଲେ। ହାଟ ନିକଟରେ ନୂଆ ସାହିଟିଏ ଗଢିଉଠିବା ପରେ ଏହାକୁ ଲୋକେ ହାଟସାହି ବୋଲି କହିବା ଆରମ୍ଭ କଲେ। ଏହାର କିଛି ବର୍ଷ ପରେ ମନ୍ଦିରର କାହାଳୀ ସେବା ପାଇଁ ଦୁଇଟି ମହାପାତ୍ର ସେମାନଙ୍କ ସହ ଯୋଡ଼ିହେଲେ। ଦୈତାରୀ ମହାପାତ୍ର ଓ ଅନ୍ୟ ଜଣେ ଆସି ରହିଲେ। ସେହିପରି ମନ୍ଦିରରେ ଚପରାଶି ଚାକିରି କରିବା ପରେ ବାଞ୍ଛାନିଧି ସିଂଙ୍କ ପରିବାର ଏଠାରେ ରହିଲେ। ପରେ ତାଙ୍କ ସମ୍ପର୍କୀୟ ପଦ୍ମନାଭ ସିଂ ମଧ୍ୟ ଆସି ଏହି ହାଟସାହିରେ ରହିଲେ। ଏମିତିରେ ସାତଟି ପରିବାରର ମାଟି କାନ୍ଥ ଓ ଚାଳଛପର ଘରକୁ ନେଇ ହାଟସାହି ମୁଣ୍ଡ ଟେକିଲା। ସେତେବେଳେ କେଦାରଲେନ୍ରେ ୧୦/୧୨ଟି ବଙ୍ଗାଳି ପରିବାର ରହୁଥିଲେ। କେଦାର ରାୟ ବୋଲି ଜଣେ ବଙ୍ଗାଳୀଙ୍କ ନାମରେ ଏହାକୁ କେଦାର ଲେନ୍ କୁହାଗଲା। ବହୁ ପୂର୍ବରୁ ଡେଲାଙ୍ଗ ଅଞ୍ଚଳର ଜଣେ ଜମିଦାରଙ୍କର ବହୁ ଜମି ଦେବୀ ଗଳିରେ ଥିଲା। ପରେ ସେ ଖଣ୍ଡଖଣ୍ଡ କରି ବିକ୍ରି କରିଥିଲେ ଏବଂ ଲୋକେ କିଣି ଘର କରି ରହିଲେ। ଜମିଦାର ପରିବାରର ଏକ ବଡ଼ ସମାଧି ଥିଲା। ସାହିବାସିନ୍ଦାମାନେ ସେହି ସମାଧିକୁ ଉଠାଇ ସେଠାରେ ଏକ ଶିବ ମନ୍ଦିର ଓ ବନଦୁର୍ଗା ମନ୍ଦିର ଗଢ଼ାଇଥିଲେ। ଫଳରେ ଏମିତିରେ ହାଟସାହି ବଢ଼ିବଢ଼ି ଲିଙ୍ଗରାଜ ମହାପ୍ରଭୁଙ୍କ ବାପା-ମାଆ ମହାକାଳ ମହାକାଳୀ ମନ୍ଦିରରୁ କେଦାରଲେନ୍ ଛକ ପର୍ଯ୍ୟନ୍ତ ବିସ୍ତାର ଲାଭ କଲା। ହାଟସାହି ସହିତ କେଦାର ଲେନ୍, ଜଗନ୍ନାଥ ମଠ ରୋଡ୍, ହାଉସିଂବୋର୍ଡ କଲୋନି, ଦେବୀ ଗଳି ଆଦି ଯୋଡ଼ିହୋଇଗଲା। ଏବେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ପରିବାର ଏଠାରେ ରହୁଛନ୍ତି ଏବଂ ଦଶହରାରେ ଆଖପାଖ ଲୋକଙ୍କୁ ମିଶାଇ ୨୫୦ ପରିବାର ସାମିଲ ହେଉଛନ୍ତି।
ଆମର ପୂର୍ବରୁ ବଡ଼ଦାଣ୍ଡସାହିରେ ଘର ଥିଲା। ପରେ ଏହି ସାହିରେ ଜମି କିଣି ରହିଲୁ। ଜେଜେଙ୍କ ଅମଳରୁ ଲିଙ୍ଗରାଜ ମନ୍ଦିର ନିକଟରେ ଜଳଖିଆ ଦୋକାନ ରହିଛି। ସେତେବେଳେ ଗୁଲୁଗୁଲା, ଅଟା କାକରୋ ଖାଇବାକୁ ଲୋକ ଆସୁଥିଲେ। ମିଠା କହିଲେ ଜଲପି, ମାଲପୁଆ, ଖଜାପୁଆ, ଲବଙ୍ଗଲତା, ଖିରଗଜା, ଫେଣି ବିକ୍ରି ହେଉଥିଲା। ପଦ୍ମପତ୍ରରେ ଲୋକେ ଖାଉଥିଲେ ଏବଂ ମାଟି ପାତ୍ରରେ ଚା’ ପିଉଥିଲେ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ, ହସ୍ପିଟାଲ୍କୁ ଆସୁଥିବା ରୋଗୀ ଓ ସମ୍ପର୍କୀୟ ଏବଂ ହାଟକୁ ଆସୁଥିବା ଲୋକେ ଏଠାରେ ଖାଉଥିଲେ। ଅନ୍ଧାରୁଆର ଜଣେ ବୈଦ୍ୟ ଏଠାରେ ଆୟୁର୍ବେଦ ଔଷଧ ଦୋକାନ କରିଥିଲେ। -ନବଘନ ବିଶୋଇ
ଏଠାରେ ସୋମବାର ଓ ଗୁରୁବାର ଦୁଇ ଦିନ ହାଟ ବସୁଥିଲା। କାଳକ୍ରମେ ବାରଙ୍ଗ ଓ ଧଡ଼ାରୁ କିଛି ବଣିଆ ପରିବାର ଆସି ଏଠାରେ ରହିଲେ। ଭୁବନେଶ୍ବରର ସର୍ବପ୍ରଥମ ଲୁଗା ଦୋକାନ, ତେଜରାତି ଦୋକାନ ଏହି ସାହିରେ ଭଡ଼ାଘରେ ଆରମ୍ଭ ହୋଇଥିଲା। କାଳକ୍ରମେ ବ୍ୟବସାୟୀମାନେ ଜମି କିଣି ରହିବା ସହ ନିଜ ଘରେ ଦୋକାନ କଲେ। ୧୯୭୨ମସିହାରେ ଏଠାରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଚାଳଘରଗୁଡ଼ିକ ପାଉଁଶ ହୋଇଗଲା। ବଣିଆମାନଙ୍କର ବହୁତ କ୍ଷତି ହେଲା। ଏହାପରେ ସେମାନେ ଟିଣ ଓ ସିମେଣ୍ଟ ଆଜ୍ବେଷ୍ଟସ୍ ଘର ତିଆରି କଲେ ଏବଂ ଧୀରେଧୀରେ ଛାତ ଘର ହେଲା।
-ନରେନ୍ଦ୍ର କୁମାର ସମର୍ଥା
ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆମ ଜେଜେ ପରିବହନ ସେବା ଯୋଗାଉଥିଲେ। ରେଲ୍ୱେ ଷ୍ଟେସନ୍ ପାଖରୁ ବଳଦ ଟଣା ଶଗଡ଼ରେ ଆଣି ଧର୍ମଶାଳାରେ ରଖୁଥିଲେ। ସାହିବାସିନ୍ଦାଙ୍କ କୌଣସି ଶୁଭ କାମ ହେଲେ ମା’ ବନଦୁର୍ଗାଙ୍କ ପାଖରେ ପ୍ରଥମ ପୂଜା କରାଯାଏ। ଦଶହାରାରେ ସାହିଭାଇ ହିସାବରେ ସମସ୍ତେ ଏକାଠି ହେଉଥିଲେ। କୌଣସି ସମସ୍ୟା ହେଲେ ମୁରବିମାନେ ଏକାଠି ହୋଇ ସମାଧାନ କରୁଥିଲେ। ହାଟ ଯୋଗୁ ଦୋକାନ ସଂଖ୍ୟା ବୃଦ୍ଧି ପାଇଲା।
-ତ୍ରିନାଥ ସିଂ