ପୁରୁଣା ଭୁବନେଶ୍ବର: ଶ୍ରାବଣ ଦ୍ୱିତୀୟ ସୋମବାରରେ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଜମିଥିଲା। ମହାଦେବଙ୍କୁ ଜଳାଭିଷେକ ଲାଗି ଗତରାତିରୁ ମାନସିକଧାରୀମାନେ ମନ୍ଦିର ଆଗରେ ଧାଡ଼ି ଲଗାଇଥିଲେ। ମନ୍ଦିର ପ୍ରଶାସନ ଓ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲେ ହେଁ ଶୃଙ୍ଖଳିତ ଦର୍ଶନ ସମ୍ଭବ ହୋଇ ପାରିନଥିଲା। ଫଳରେ ଦିନ ୨ଟା ପର୍ଯ୍ୟନ୍ତ କାଉଡ଼ିଆମାନେ ଧାଡ଼ିରେ ଛିଡ଼ା ହୋଇ ଯନ୍ତ୍ରଣା ଭୋଗିଥିଲେ। ଅନ୍ୟପଟେ ସାହାଣମେଲା ଦର୍ଶନ ଚାଲିଥିବାରୁ ମହାଦେବଙ୍କ ସକାଳ ନୀତି ମିଳମ୍ବରେ ହୋଇଥିଲା।
ଏଥର ଯୋଡ଼ା ଶ୍ରାବଣ ପଡ଼ିଛି। ଆଜି ଦ୍ବିତୀୟ ସୋମବାର ପରେ ଆଗାମୀ ଚାରୋଟି ସୋମବାର ମଳ ମାସରେ ପାଣି ଉଠାଇବା ନିଷେଧ। ଏହାକୁ ଦୃଷ୍ଟିରେ ରଖି ଏଥର ଅଧିକ ସଂଖ୍ୟକ ଭକ୍ତ ପାଣି ଉଠାଇଥିଲେ। ଦୂରଦୂରାନ୍ତରୁ ଆସିଥିବା ମାନସିକଧାରୀମାନେ ସନ୍ଧ୍ୟାରୁ ମନ୍ଦିର ସମ୍ମୁଖରେ ଭିଡ଼ ଜମାଇଥିଲେ। ପୂର୍ବ ନିର୍ଦ୍ଧାରିତ ସମୟାନୁସାରେ ଭୋର୍ ସାଢ଼େ ୩ଟାରେ ମନ୍ଦିର ଖୋଲିଥିଲା। ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ଭୋର୍ ୪ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା। ମନ୍ଦିରର ୫୦୦ ମିଟର ଦୂରରୁ ବ୍ୟାରିକେଡ୍ରେ କାଉଡ଼ିଆମାନେ ଧାଡ଼ି ବାନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ମନ୍ଦିର ସମ୍ମୁଖ, ସିଂହଦ୍ବାର, ବୃଷଭ ସ୍ତମ୍ଭ ନିକଟରେ ଭକ୍ତଙ୍କୁ ଅଟକାଯାଉଥିଲା। ମନ୍ଦିର ଭିତରୁ ସାମାନ୍ୟ ଫାଙ୍କା ହେଲା ପରେ ପୁଣି ଭକ୍ତଙ୍କୁ ଛଡ଼ା ଯାଉଥିଲା। କିନ୍ତୁ ସକାଳ ୮ଟା ପରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା।
ଆଜି ଚିତାଲାଗି ଅମାବାସ୍ୟା ଓ କର୍କଟ ସଂକ୍ରାନ୍ତି ଥିବାରୁ ସ୍ଥାନୀୟ ଲୋକେ ଓ ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ପୂଜାର୍ଚ୍ଚନା କରିବାକୁ ଭିଡ଼ ଜମାଇଥିଲେ। ମନ୍ଦିରର ଦକ୍ଷିଣ ପାଖରେ କାଉଡ଼ିଆ ଧାଡ଼ି ବାନ୍ଧି ଶୃଙ୍ଖଳିତ ଭାବେ ଯାଉଥିବା ବେଳେ ସାଧାରଣ ଲୋକଙ୍କୁ ମନଇଚ୍ଛା ଛାଡ଼ି ଦିଆଯାଇଥିଲା। ଫଳରେ ବିଶୃଙ୍ଖଳା ଉପୁଜିଥିଲା। ଆଡ଼କାଠ ନିକଟରେ କାଉଡ଼ିଆମାନେ ତମ୍ବା ପାତ୍ରରେ ପାଣି ଢ଼ାଳିବା ସହ ଗର୍ଭଗୃହ ଆରମ୍ଭରୁ ଦର୍ଶନ ସାରି ତୁରନ୍ତ ଫେରି ଆସୁଥିଲେ। କିନ୍ତୁ ସାଧାରଣ ଦର୍ଶନ ପାଇଁ ଆସିଥିବା ଭକ୍ତ ଗର୍ଭଗୃହ ଭିତରେ ପଶି ପୂଜା କରିଥିଲେ। ଦିନ ୧୧ଟା ବେଳକୁ ସାଧରଣ ଦର୍ଶନ ପାଇଁ ଆସିଥିବା ସ୍ଥାନୀୟ ଲୋକେ ଧାଡ଼ି କରିଥିଲେ। କିନ୍ତୁ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଆସିଥିବା ଭକ୍ତ ବୃଷଭ ସ୍ତମ୍ବ ନିକଟରେ ଧାଡ଼ି ମଝିରେ ଜବରଦସ୍ତ ଠେଲି ପଶିଥିଲେ। ଏମିତିକି କିଛି ସେବାୟତଙ୍କ ସହାୟତାରେ ମନ୍ଦିରର ଦକ୍ଷିଣ ଦ୍ବାର ପଟେ ଭକ୍ତ ଜବରଦସ୍ତ ପଶିଥିଲେ। ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନରେ ସହାୟତା ପାଇଁ ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ୫ଜଣ ଏସିପି, ୮ଜଣ ଇନ୍ସ୍ପେକ୍ଟର, ଏଏସ୍ଆଇ ଓ ଏସ୍ଆଇ ୩୯ଜଣଙ୍କ ସମେତ ୧୩୦ଜଣ ପୁଲିସ କର୍ମଚାରୀ ଏବଂ ମନ୍ଦିର ପ୍ରଶାସନର ୩୦ରୁ ଅଧିକ କର୍ମଚାରୀ ଉପସ୍ଥିତ ରହିଥିଲେ। ହେଲେ ସେବାୟତ ଓ ଭକ୍ତଙ୍କ ବିଶୃଙ୍ଖଳିତ ଆଚରଣ ଆଗରେ ହାର୍ ମାନିଥିଲେ। ଯାହାକୁ ନେଇ ଦର୍ଶନରେ ଅହେତୁକ ବିଳମ୍ବ ହୋଇଥିଲା। ଚାଲି ଚାଲି ଥକି ପଡ଼ିଥିବା କାଉଡ଼ିଆ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଛିଡ଼ା ହୋଇ କଷ୍ଟ ଭୋଗିଥିଲେ। ତେବେ ମଧ୍ୟାହ୍ନ ସାଢ଼େ ୧ଟାରେ ସାହାଣମେଲା ଦର୍ଶନ ବନ୍ଦ ହୋଇଥିଲା। ଏହାପରେ ମନ୍ଦିର ଧୁଆ ସଫା କରିବା ପରେ ଅପରାହ୍ଣ ୩ଟାରେ ସକାଳନୀତି ଯଥା ମହାସ୍ନାନ, ବେଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଠାକୁରାଣୀ ବଲ୍ଲଭ, ସକାଳ ଧୂପ, ଠାକୁରାଣୀଙ୍କ ସକାଳ ଧୂପ ପ୍ରମୁଖ ପୂଜା କରାଯାଇଥିଲା।
ଏ ସଂପର୍କରେ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଦ୍ବାରିକାନାଥ ପତି କହିଛନ୍ତି ଶୃଙ୍ଖଳିତ ଦର୍ଶନ ପାଇଁ ପୂର୍ବରୁ ବୈଠକ ବସିଥିଲା। ଆଜି ପ୍ରାୟ ୬ ହଜାର କାଉଡ଼ିଆ ଏବଂ ଆଉ ୪ ହଜାର ସାଧାରଣ ଦର୍ଶନ ପାଇଁ ମନ୍ଦିରକୁ ଆସିଥିଲେ। ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ଚେଷ୍ଟା କରାଯାଇଥିଲା। ହେଲେ ଭକ୍ତଙ୍କ ଆଗେ ଦର୍ଶନ କରିବା ମାନସିକତା କାଳ ହେଲା। ଆଗକୁ କିଭଳି ଶୃଙ୍ଖଳିତ କରାଯିବ, ସେଥିପ୍ରତି ଦୃଷ୍ଟି ଦିଆଯିବ।