ପୁରୁଣା ଭୁବନେଶ୍ୱର: ସୋମବାର ଦିନ ରାଜଧାନୀରେ ହୋଇଥିବା ମୂଷଳଧାରା ବର୍ଷା ଯୋଗୁଁ ଶ୍ରୀଲିଙ୍ଗରାଜ ମନ୍ଦିର ପରିସର ଜଳାର୍ଣ୍ଣବ ହୋଇଯାଇଥିଲା। ବାଇଶି ପାହାଚରୁ ସିଂହଦ୍ବାର ପର୍ଯ୍ୟନ୍ତ ଅଣ୍ଟାଏ ଉଚ୍ଚରେ ପାଣି ଜମି ରହିଥିଲା। ଫଳରେ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ସେବାୟତ ଓ ପର୍ଯ୍ୟଟକମାନେ ବଡ଼ ହୀନସ୍ତା ହୋଇଥିଲେ। ସିଂହଦ୍ବାରରେ ଠିଆ ହେବାକୁ ସ୍ଥାନ ନପାଇ ବହୁ ପର୍ଯ୍ୟଟକ ପାଣିରେ ପଶି ବଡ଼ କଷ୍ଟରେ ମନ୍ଦିର ଭିତରକୁ ଯାଇଥିଲେ।

Advertisment

ସେହିପରି ମନ୍ଦିରର ନାଟ୍ୟମଣ୍ଡପ, ବାସୁଆବଳଦ ମନ୍ଦିର, ପାର୍ବତୀ ମନ୍ଦିରରେ ସୋମବାର ଦିନ ପ୍ରବଳ ପାଣି ଗଳିଥିଲା। ମା’ ଭୁବନେଶ୍ବରୀଙ୍କ ମନ୍ଦିର ଭିତରେ ଅଧଫୁଟ ଉଚ୍ଚରେ ପାଣି ଜମି ରହିଥିଲା। ତେଣୁ ମନ୍ଦିରରେ ନୀତିକାନ୍ତି ପ୍ରଭାବିତ ହୋଇଥିଲା। ମନ୍ଦିର ଭିତରୁ ପାଣି ନିଷ୍କାସନ ନହେବାରୁ ସେବାୟତ ବାଧ୍ୟ ହୋଇ ପାହାଚରେ ବସି ପୂଜା ନୀତି କରିଥିଲେ। ସେହିପରି ସିଦ୍ଧି ବିନାୟକ ମନ୍ଦିରର ଅବସ୍ଥା ମଧ୍ୟ ସଙ୍ଗିନ ହୋଇଯାଇଛି। ମନ୍ଦିରରେ ପାଣି ଗଳୁଛି।

ଏପରିକି ବର୍ଷା ପାଣିରେ ମନ୍ଦିର କାନ୍ଥ ସବୁ ଓଦା ହୋଇ ରହିଥିବାରୁ ବିଦ୍ୟୁତ୍ ପ୍ରବାହିତ ହୋଇ କରେଣ୍ଟ୍‌ ମାରୁଛି ବୋଲି ଅଭିଯୋଗ ହେଉଛି। ଏଏସ୍‌ଆଇ ପକ୍ଷରୁ ଠିକ୍‌ ଭାବେ ଅନୁଧ୍ୟାନ କରାଯାଉ ନ ଥିବାରୁ ଏପରି ସମସ୍ୟା ଦେଖା ଦେଇଥିବା ନେଇ ସେବାୟତମାନେ ଅଭିଯୋଗ କରିଛନ୍ତି। ଦୀର୍ଘ ଦେଢ଼ ବର୍ଷ ହେଲା ଏପରି ସମସ୍ୟା ଲାଗି ରହିଥିଲେ ହେଁ ଏଏସ୍‌ଆଇ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସେବା‌ୟତମ‌‌ାନେ ଅଭିଯୋଗ କରୁଛନ୍ତି। ନିୟମିତ ପାଣି ଗଳୁଥିବାରୁ ମନ୍ଦିର ଦିନକୁ ଦିନ ଦୁର୍ବଳ ହେଉଥିବା କୁହାଯାଉଛି। ସିଦ୍ଧି ବିନାୟକ ମନ୍ଦିରର ପୂଜକ ରିତୁ ମକଦ୍ଦମ କୁହନ୍ତି ସାମାନ୍ୟ ବର୍ଷା ହେଲେ ମନ୍ଦିରରୁ ପାଣି ଗଳୁଛି। ଏନେଇ ଏଏସ୍‌ଆଇ କୌଣସି ପଦକ୍ଷେପ ନେଉନାହିଁ। ସେହିଭଳି ସମାନ ଅଭିଯୋଗ ଆଣିଛନ୍ତି ସେବାୟତ ଗୋପଳ ମକଦ୍ଦମ। ଏଏସ୍ଆଇର ଅପାରଗତା ଯୋଗୁଁ ବିଭିନ୍ନ ମନ୍ଦିରରେ ପାଣି ଗଳୁଛି ଓ ଦିନେ କିଛି ମନ୍ଦିର ଭୁଶୁଡ଼ିଯିବ ବୋଲି ସେ ଆଶଙ୍କା କରିଛନ୍ତି। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କିଛି ଜାଣିନାହାନ୍ତି ବୋଲି କହିଛନ୍ତି।