ସିଂହ ପାଇଁ ସଂଘର୍ଷ : ନନ୍ଦନକାନନରେ ୧୩ ବର୍ଷରେ ୩୪ ମୃତ, ଜନ୍ମ ମାତ୍ର ୨

ବାରଙ୍ଗ, (ରୁଦ୍ରନାରାୟଣ ଷଡ଼ଙ୍ଗୀ): ଏକଦା ୫୬ଟି ସିଂହଙ୍କୁ ରଖିବାକୁ ଜାଗା ପାଉନଥିବା ନନ୍ଦନକାନନ ପ୍ରାଣୀଉଦ୍ୟାନ ଏବେ ସିଂହମାନଙ୍କ ପାଇଁ ଅଭିଶାପ ପାଲଟି ଯାଇଛି। ନନ୍ଦନକାନନ କର୍ତ୍ତୃପକ୍ଷ ସିଂହ ବଂଶବୃଦ୍ଧି ପାଇଁ ସଂଘର୍ଷ କରି ଆସୁଥିଲେ ହେଁ ଗତ ୧୩ ବର୍ଷ ହେଲା ଜନ୍ମ ତୁଳନା‌ରେ ମୃତ୍ୟୁସଂଖ୍ୟା ଢେର୍‌ ଅଧିକ। ୨୦୦୬ରୁ ଆଜି ପର୍ଯ୍ୟନ୍ତ ୩୪ଟି ସିଂହଙ୍କ ମୃତ୍ୟୁ ଘଟିଥିବା ବେଳେ ଜନ୍ମ ନେଇଛନ୍ତି ମାତ୍ର ୨ଟି। ଏବେ ନନ୍ଦନକାନନରେ ସିଂହ ସଂଖ୍ୟା କମି କମି ୧୨‌ରେ ପହଞ୍ଚିଛି। ସେଥିମଧ୍ୟରୁ ୮ଟି ବର୍ଣ୍ଣଶଙ୍କର ଜାତୀୟ (ହାଇବ୍ରିଡ୍), ୨ଟି ଏସୀୟ ଓ ୨ଟି ଆଫ୍ରିକୀୟ ସିଂହ ଅଛନ୍ତି। ବର୍ଣ୍ଣଶଙ୍କରଙ୍କ ମଧ୍ୟରେ ୪ଟି ମାଈ ଓ ୪ଟି ପୁରୁଷ ଥିବା ବେଳେ ଏସୀୟଙ୍କ ମଧ୍ୟରେ ଗୋଟିଏ ପୁରୁଷ, ଗୋଟିଏ ମାଈ ଓ ୨ଟି ମାଈ ଆଫ୍ରିକୀୟ ସିଂହ ଅଛନ୍ତି। ରାଧା ଓ କ୍ରିଷଙ୍କଠାରୁ ଜନ୍ମିତ ସିଂହୀ କଳ୍ପନା ଓ ସିଂହ ଜିତ୍‌କୁ ନେଇ ବର୍ଣ୍ଣଶଙ୍କର ଜାତୀୟ ସିଂହଙ୍କ ବଂଶବୃଦ୍ଧି ସ୍ବପ୍ନ ଉଜ୍ଜୀବୀତ ରହିଛି, କିନ୍ତୁ ବାଧକ ସାଜିବ ଏକବଂଶୀୟ ମିଳନ।

ନନ୍ଦନକାନନ ଇତିହାସକୁ ଦେଖିଲେ ଜଣାପଡ଼େ, ୧୯୬୫ ମସିହାରୁ ଏଠା‌ରେ ଏସୀୟ ସିଂହ ରହି ଆସୁଥିଲେ। ଏଠାକାର ଜଳବାୟୁ ଓ ପ୍ରାକୃତିକ ପରିବେଶ ସୁହାଉଥିବାରୁ ସିଂହମାନଙ୍କ ବଂଶବୃଦ୍ଧି ଆଶାଠାରୁ ଅଧିକ ହୋଇଥିଲା। ତେଣୁ ପର୍ଯ୍ୟଟକଙ୍କ ମନୋରଂଜନ ପାଇଁ ସିଂହ ସଫାରିର ପରିକଳ୍ପନାକୁ ୧୯୮୪ରେ ବାସ୍ତବ ରୂପ ମିଳିଲା। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏହି ସଫାରିକୁ ଉଦ୍‌ଘାଟନ କରିଥିଲେ। କିନ୍ତୁ ୧୯୯୧ ମସିହା ବେଳକୁ ସିଂହ ସଂଖ୍ୟା ୫୬ (ନନ୍ଦନକାନନ ଇତିହାସରେ ସର୍ବାଧିକ)‌‌ରେ ପହଞ୍ଚି ଯିବାରୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଥିଲା। ଏତେଗୁଡ଼ିଏ ସିଂହଙ୍କ ଲାଳନପାଳନ ଓ ରକ୍ଷଣାବେକ୍ଷଣ କରିବା କର୍ତ୍ତୃପକ୍ଷଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଥିଲା। ତେଣୁ ଅନ୍ୟ ଚିଡ଼ିଆଖାନାରୁ ସିଂହ ପ୍ରତି ବଦଳରେ ଅନ୍ୟାନ୍ୟ ଜୀବନ ଆଣିବାକୁ ଯୋଜନା ହୋଇଥିଲା। କିନ୍ତୁ ଏତିକିବେଳେ ବଂଶବୃଦ୍ଧି ନିୟନ୍ତ୍ରଣ ଲାଗି ପୁରୁଷ ସିଂହଙ୍କ ବନ୍ଧ୍ୟାକରଣ କରିବାକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଆସିବାରୁ ସେ ଯୋଜନା ଅଧାରେ ଅଟକିଗଲା।

ନିର୍ଦ୍ଦେଶ ପାଳନ ପୂର୍ବକ ନନ୍ଦନକାନନ କର୍ତ୍ତୃପକ୍ଷ କେବଳ ୩ଟି ସିଂହଙ୍କୁ ଛାଡ଼ି ବାକି ୨୨ଟି ପୁରୁଷ ସିଂହଙ୍କ ଅସ୍ତ୍ରୋପଚାର କରି ବନ୍ଧ୍ୟାକରଣ କରିଦେଲେ। ସେ‌‌ତେବେଳେ ସିଂହ ବଂଶବୃଦ୍ଧି ଉପରେ ଅଙ୍କୁଶ ଲାଗି ଯାଇଥିଲା ସତ, କିନ୍ତୁ ପରବର୍ତ୍ତୀ ସମୟ‌ରେ ଏହା ଅଭିଶାପ ପାଲଟିଗଲା। ନନ୍ଦନକାନନରେ ସିଂହଙ୍କ କ୍ରମାଗତ ମୃତ୍ୟୁ ଲାଗି ରହିଲା। ବାର୍ଦ୍ଧକ୍ୟ, ରୋଗାଗ୍ରସ୍ତ ଓ ଅନ୍ୟ କାରଣରୁ ସିଂହମୃତ୍ୟୁ ସଂଖ୍ୟା ବଢ଼ି ଚାଲିଲା। କେବଳ ୧୯୯୩ ମସିହାରେ ମାତ୍ର ୩ ମାସ ମଧ୍ୟରେ ୬ଟି ସିଂହ ଛୁଆଙ୍କ ନିମୋନିଆରେ ମୃତ୍ୟୁ ହୋଇଗଲା।

ତେବେ ଗତ ୧୩ବର୍ଷର ତଥ୍ୟ ଉପରକୁ ନଜର ପକାଇଲେ, (୨୦୦୬ରୁ ୨୦୧୯ ମଧ୍ୟରେ) ମୋଟ ୩୪ଟି ସିଂହଙ୍କର ମୃତ୍ୟୁ ହୋଇଛି। ୨୦୧୨ ମସିହାରେ ସିଂହ ସଂଖ୍ୟା (୬ ପୁରୁଷ ଓ ୬ ମାଈ)ଙ୍କୁ ନେଇ ମୋଟ ୧୨ରେ ପହଞ୍ଚି ଯାଇଥିଲା। ବଂଶବୃଦ୍ଧି ବିକଳ୍ପସ୍ବରୂପ କର୍ତ୍ତୃପକ୍ଷ ୨୦୧୪ ମାର୍ଚ୍ଚ ୨୫ ତାରିଖରେ ଗୁଜୁରାଟରୁ ଦୁଇଟି ଏସୀୟ ସିଂହ କିଷାନ୍ ଓ ଶ୍ୟାମାଙ୍କୁ ଆଣିଥିଲେ। କିନ୍ତୁ ଏମାନେ ପ୍ରଜନନ କରି ନପାରିବାରୁ ବଂଶବୃଦ୍ଧି ଯୋଜନାକୁ ଝଟ୍‌କା ଲାଗିଥିଲା। ଅପରପକ୍ଷେ ସେହିବର୍ଷ ପୁଣି ୨ଟି ସିଂହଙ୍କ ମୃତ୍ୟୁ ଫଳରେ ସଂଖ୍ୟା ୧୨କୁ ଖସି ଆସିଥିଲା।

୨୦୧୪ ଏପ୍ରିଲ୍‌ ୧୩ରେ ବେଙ୍ଗାଲୁରୁରୁ ରୁକ୍ମିଣୀ, ରାଧା, ଆକାଶ ଓ ନରସିଂହା ନାମକ ବର୍ଣ୍ଣଶଙ୍କର ଜାତୀୟ ସିଂହଙ୍କୁ ଅଣାଗଲା। ୨୦୧୫ ସେପ୍ଟେମ୍ବର ୧୩ରେ ଇସ୍ରାଏଲ୍‌ର ତେଲଆଭିଭାରୁ ଦୁଇହଳ ସିଂହଙ୍କୁ ଅଣାଗଲା। ସେଥିମଧ୍ୟରୁ ୨୦୧୮ ଅଗଷ୍ଟ ୧୦ରେ ଗୋଟିଏ ଓ ଠିକ୍‌ ୮ ଦିନ ପରେ ସଂକ୍ରମଣରେ ଆଉ ଗୋଟିଏ ସିଂହର ସଂକ୍ରମଣ‌ରେ ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ସିଂହ ପିଛାନ୍‌ର ମୃତ୍ୟୁ ହୋଇଥିଲା।

ନନ୍ଦନକାନନରେ ଥିବା ଏସୀୟ ସିଂହ

କିଷାନ୍: ବୟସ ୧୭ ବର୍ଷ। ଗତ ୨୦୧୪ ମାର୍ଚ୍ଚ ୨୫ତାରିଖରେ ଗୁଜୁରାଟର ଫକୀରାବାଗରୁ ନନ୍ଦନକାନନକୁ ଅଣାଯାଇଥିଲା। ତାକୁ ସେଠାରେ ଗତ ୨୦୦୪ ମସିହା ଅପ୍ରେଲ ୧୩ ତାରିଖରେ ଜଙ୍ଗଲୁ ଧରାଯାଇଥିଲା।
ଶ୍ୟାମା: ବୟସ ୧୬ ବର୍ଷ। କିଶନ୍‌ ସହ ୨୦୧୪ ମସିହା ମାର୍ଚ ୨୫ତାରିଖରେ ଗୁଜୁରାଟର ଫକୀରାବାଗରୁ ଅଣାଯାଇଥିଲା। ସେ ଗୁଜୁରାଟରେ ଗତ ୨୦୦୨ ମସିହା ନଭେମ୍ବର ମାସ ୨୬ ତାରିଖରେ ଜନ୍ମଲାଭ କରିଥିଲା।
ଆଫ୍ରିକୀୟ
ନନ୍ଦନକାନନରେ ବର୍ତ୍ତମାନ ଦୁଇଟି ୯ ବର୍ଷୀୟା ମାଈ ଆଫ୍ରିକୀୟ ସିଂହ ଅଛନ୍ତି। ଏମାନଙ୍କୁ ଅନ୍ୟ ୨ ପୁରଷ ସାଥୀଙ୍କ ଗତ ୨୦୧୫ ମସିହା ସେପ୍ଟେମ୍ବର ୧୩ ତାରିଖରେ ଇସ୍ରାଏଲ୍‌ର ତେଲ ଆଭିଭାରୁ ଅଣାଯାଇଥିଲା।
ବର୍ଣ୍ଣଶଙ୍କର
ସୁପ୍ରିୟା: ଗତ ୧୯୯୪ ମେ’ ୧୩ତାରିଖରେ ନନ୍ଦନକାନନରେ ଜନ୍ମଲାଭ କରିଥିଲା। ସେ ଏବେ ବୃଦ୍ଧ। ତା’ର ବୟସ ୨୪ବର୍ଷ । ୨୦୧୨ ଜାନୁଆରି ୧୦ ତାରିଖରେ ଖୁଆଡ଼ରୁ ଖସି ଆସି ନନ୍ଦନକାନନ ପ୍ରାଚୀର ପଛରୁ ଧରାପଡ଼ିବା ଘଟଣାକୁ ନେଇ ଚର୍ଚ୍ଚାରେ ରହିଆସିଛି।
କ୍ରିଷ: ବୟସ ୧୫ ବର୍ଷ। ସେ ନନ୍ଦନକାନନରେ ଗତ ୨୦୦୪ ମସିହା ଜୁନ୍ ୧୬ ତାରିଖରେ ନନ୍ଦନକାନନରେ ଜନ୍ମ ଲାଭ କରିଥିଲା।
ରୁକ୍ମିଣୀ: ବୟସ ୯ ବର୍ଷ। ବେଙ୍ଗାଲୁର୍‌ରୁ ଗତ ୨୦୧୪ ମସିହା ଏପ୍ରିଲ୍‌ ୧୩ ତାରିଖରେ ନନ୍ଦନକାନନକୁ ଆସିଥିଲା। ସେ ସେଠାରେ ଗତ ୨୦୧୦ ମସିହା ମେ’ ୨୬ ତାରିଖରେ ଜନ୍ମଲାଭ କରିଥିଲା।
ଆକାଶ: ବୟସ ୧୦ ବର୍ଷ। ଗତ ୨୦୧୪ ମସିହା ଅପ୍ରେଲ ମାସ ୧୩ ତାରିଖରେ ନନ୍ଦନକାନନକୁ ଆସିଥିଲା। ସେ ସେଠାରେ ଗତ ୨୦୧୦ ମସିହା ମାର୍ଚ୍ଚ ମାସ ୭ ତାରିଖରେ ଜନ୍ମଲାଭ କରିଥିଲା।
ନରସିଂହା: ବୟସ ୯ ବର୍ଷ। ଗତ ୨୦୧୪ ମସିହା ଅପ୍ରେଲ ମାସ ୧୩ ତାରିଖରେ ନନ୍ଦନକାନନକୁ ଆସିଥିଲା। ସେ ସେଠାରେ ଗତ୨୦୧୦ ମସିହା ମଇ ମାସ ୨୬ ତାରିଖରେ ଜନ୍ମଲାଭ କରିଥିଲା।
ରାଧା: ରୁକ୍ମିଣୀର ସମବୟସ୍କା ଭଉଣୀ। ଏକ ସଙ୍ଗେ ବାଙ୍ଗାଲୋରରୁ ନନ୍ଦନକାନନକୁ ଆସିଥିଲେ। ରାଧା ଏକମାତ୍ର ସିଂହୀ ଯେକି କ୍ରିଷ ସହ ମିଳନରୁ କଳ୍ପନା ଓ ଜିତୁକୁ ଜନ୍ମ ଦେଇଛି।
କଳ୍ପନା: ରାଧା ପ୍ରଥମ ଗର୍ଭରୁ ଜନ୍ମିତ। ବୟସ ୪ ବର୍ଷ। ସେ ଗତ ୨୦୧୫ ଜୁଲାଇ ମାସ ୨ ତାରିଖରେ ରାଧା ଓ କ୍ରିଷଙ୍କ ମିଳନରୁ ଜନ୍ମଲାଭ କରିଥିଲା।
ଜିତ୍: ୨ ବର୍ଷ ବୟସ। ସେ ରାଧାର ଦ୍ବିତିୟ ଗର୍ଭରୁ କ୍ରିଷ ଔରଷରୁ ଗତ ୨୦୧୭ ମସିହା ମାର୍ଚ୍ଚ ମାସ ୭ ତାରିଖରେ ଜନ୍ମ ଲାଭ କରିଥିଲା।

ସମ୍ବନ୍ଧିତ ଖବର