ନନ୍ଦନକାନନ: ହିମଶାଗୁଣା ମୃତ, ସିଂହୀ ଶ୍ୟାମା ଅସୁସ୍ଥ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ହିମଶାଗୁଣାର ମୃତ୍ୟୁ ହୋଇଛି। ଶାଗୁଣାଟିକୁ ଗତ ଫେବୃଆରି ୨୧ ତାରିଖରେ ଖୋର୍ଦ୍ଧା ବନଖଣ୍ଡର ରଣପୁର ଅଞ୍ଚଳରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାକୁ ସେହି ମାସ ୨୪ ତାରିଖରେ ଚିକତ୍ସା ପାଇଁ ଭୁବନେଶ୍ବର ସ୍ଥିତ ଓୟୁଏଟିର ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠାଯାଇଥିଲା। ସେଠାରୁ ପୁଣି ସେହି ମାସର ୨୮ ତାରିଖ ନନ୍ଦନକାନନକୁ ଅଣାଯାଇ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରାଣ୍ଟିନରେ ରଖି ଚିକିତ୍ସା ଜାରି ରଖାଯାଇଥିଲା। ଏହାର ମୃତ୍ୟୁ ପରେ ନନ୍ଦନକାନନରେ ଏହି ପ୍ରଜାତିର ଆଉ ଦୁଇଟି ଶାଗୁଣା ଅଛନ୍ତି। ଏହି ବିଶାଳକାୟ ଶାଗୁଣାମାନେ ଭାରତ ପାକିସ୍ତାନ ସୀମାର ହିମାଳୟ ପର୍ବତ ମାଳାରେ ଦେଖିବାକୁ ମିଳନ୍ତି।

ଅପରପକ୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏସୀୟ ସିଂହୀ ‘ଶ୍ୟାମା’(୧୮) ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ହୋଇପଡ଼ିଛି। ତା’ର ଅଧିକାଂଶ ଦାନ୍ତ ଝଡ଼ି ପଡ଼ିଥିବାରୁ ସେ ଠିକ୍ ଭାବରେ ଖାଇ ପାରୁନାହିଁ। ଚିକିତ୍ସା ପରେ ଅବସ୍ଥା ବିଗିଡ଼ିବାରୁ ତାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରାଣ୍ଟିନକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଡାକ୍ତରଙ୍କ ତତ୍ତ୍ବାବଧାନରେ ଚିକିତ୍ସା ଜାରି ରହିବ। ଶ୍ୟାମାକୁ ୨୦୧୪ ମସିହା ଏପ୍ରିଲ ମାସ ୧୩ ତାରିଖରେ ୧୨ ବର୍ଷ ବୟସର ହୋଇଥିବା ଅବସ୍ଥାରେ ତାର ସମବୟସ୍କ ପୁରୁଷ ସାଥୀ ପିଚ୍ଛାନ ସହିତ ଗୁଜୁରାଟ ଫକିରାବାଗ୍ ଚିଡ଼ିଆଖାନାରୁ ଦାନସୂତ୍ରରେ ଅଣାଯାଇଥିଲା। ଏହି ସିଂହ ଯୋଡ଼ି ଆଦୌ ପ୍ରଜନନ କରି ପାରି ନଥିଲେ। ଗତ ବର୍ଷ ପିଚ୍ଛାନର ମୃତ୍ୟୁ ପରେ ଏବେ ଶ୍ୟାମା ବାର୍ଦ୍ଧକ୍ୟରେ ପୀଡ଼ିତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛି। ନନ୍ଦନକାନନରେ ବର୍ତ୍ତମାନ ମୋଟ ୧୫ଟି ସିଂହ ରହିଛନ୍ତି।

ସମ୍ବନ୍ଧିତ ଖବର