‘ଧ୍ବନିରୁ ଲିପିର ଆକାର ନିର୍ମାଣ ହୋଇଛି’

‘ଲିପି-ଲିଟରେଚର ୨୦୧୯’ ଦ୍ବିଦିବସୀୟ ଜାତୀୟ ସଂପାନ ଉଦ୍‌ଘାଟିତ

ଭୁବନେଶ୍ବର: ମଣିଷ ପୃଥିବୀ ପୃଷ୍ଠକୁ ଆସିବାର ବହୁ ପରେ ଭାଷା ସୃଷ୍ଟି ହୋଇଥିଲା। ଭାଷାର ବହୁ ବର୍ଷ ପରେ ଲିପି ସୃଷ୍ଟି ହୋଇଛି। ଧ୍ବନିରୁ ଲିପିର ଆକାର ନିର୍ମାଣ ହୋଇଥିବାର ବେଶି ସମ୍ଭାବନା ରହିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି। ‘ଉଡ୍ରଜା’ ଅନୁଷ୍ଠାନ ପକ୍ଷରୁ ଆଜି ଉତ୍କଳ ରଙ୍ଗ ମଞ୍ଚଠାରେ ଅନୁଷ୍ଠିତ ‘ଲିପି-ଲିଟରେଚର ୨୦୧୯’ରେ ଯୋଗ ଦେଇ ଶ୍ରୀ ଲାଲ କହିଲେ, ଓଡ଼ିଶା ସମଗ୍ର ବିଶ୍ବରେ ଏକ ବିରଳ ଭୂଖଣ୍ଡ। ଏହା ଶାଶ୍ବତ ନୃତ୍ୟର ଏକ ମହାଫଳ। କଳା ଓ ସଂସ୍କୃତି ଏବଂ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଓଡ଼ିଶାର ବିକଳ୍ପ ନାହିଁ। ଚେତନାର ଉଚ୍ଚତମ ସ୍ତରରେ ଓଡ଼ିଶାର ଆତ୍ମା, ପ୍ରତିଷ୍ଠା ଓ ପରିଚିତିକୁ ଅନୁଭବ କରିହେବ। ଭାଷାରେ ନୁହେଁ: କେବଳ ହୃଦୟରେ ହିଁ ଓଡ଼ିଶାର ଆତ୍ମିକ ସୌନ୍ଦର୍ଯ୍ୟକୁ ଅନୁଭବ କରିହେବ ବୋଲି ରାଜ୍ୟପାଳ କହିଥିଲେ।

ଜାତୀୟ ସଂପାନ ଲିପି-ଲିଟରେଚର ୨୦୧୯ର ଉଦ୍‌ଘାଟନ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଶିଷ୍ଟ ଭାଷାତତ୍ତ୍ବବିତ୍‌ ବିଭୁଦେନ୍ଦ୍ର ନାରାୟଣ ପଟ୍ଟନାୟକ, ପ୍ରଫେସର ବସନ୍ତ କୁମାର ପଣ୍ଡା ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ତମସାରାଣୀ ଦାସମହାପାତ୍ର ପ୍ରମୁଖ ଓଡ଼ିଆ ଲିପି, ଭାଷା ଓ ସାହିତ୍ୟର ଅତୀତ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ପାଇଁ ବିଭୁଦେନ୍ଦ୍ର ନାରାୟଣ ପଟ୍ଟନାୟକ, ଗଗନେନ୍ଦ୍ର ନାଥ ଦାଶ ଓ ଲେଖକ ବିଭୂତି ପଟ୍ଟନାୟକଙ୍କୁ ‘ଉଡ୍ରଜା ସମ୍ମାନ’ରେ ସମ୍ମାନିତ କରାଯାଇଛି। ‘ଉଡ୍ରଜା’ର ସଭାପତି ସୁଷମା ନାୟକ, ଉପସଭାପତି ପ୍ରସନ୍ନ କୁମାର ନାୟକ, କ୍ଷୀରୋଦ ଚନ୍ଦ୍ର ବେହେରା, ସମ୍ପାଦକ ଅଜିତ ଦାଶ ସମ୍ମେଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର