ଭୁବନେଶ୍ବର: ଆଜି ଭୋର୍ ସମୟରେ ଦାରୁଠେଙ୍ଗ ଅଞ୍ଚଳରେ ଥିବା ଏକ ପାଣିବୋତଲ ପ୍ଲାଣ୍ଟ୍ରେ ଚଢ଼ଉ କରି ଅବକାରୀ ବିଭାଗ ବିପୁଳ ପରିମାଣର ରନ୍ଧା ଦେଶୀମଦ ଜବତ କରିଛି। ୯ହଜାର ୫୧୦ ଲିଟର ଦେଶୀ ମଦ ସହିତ ଖାଲି ପ୍ଲାଷ୍ଟିକ୍ ବୋତଲ, ଖାଲି ପଲିଥିନ୍ ପାଉଚ୍, ମଦ ଭର୍ତ୍ତି ବ୍ୟାରେଲ୍, ବୋତଲ ସିଲିଂ ମେସିନ୍, ୩ଟି ଚାରିଚକିଆ ଓ ଗୋଟିଏ ବାଇକ୍ ଜବତ କରିଛି। ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ଅନ୍ଧାରର ସୁଯୋଗ ନେଇ ଜଣେ ଚମ୍ପଟ ମାରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ତିଗିରିଆର ସୁକାନ୍ତ ସାହୁ, ସୁନୀଲ ସ୍ବାଇଁ, ଭରତ ସାହୁ ଓ ଚନ୍ଦକା ଅନ୍ଧାରୁଆର ପଙ୍କଜ ମାନସିଂହ। ଫେରାର ଅଭିଯୁକ୍ତକୁ ଧରିବା ଲାଗି ବିଭାଗ ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ଆରମ୍ଭ କରିଛି। ଜବତ ମଦର ଆନୁମାନିକ ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ। ଏଥିସହ ଏହି ଜାଗାର ମାଲିକ କିଏ ସେ ନେଇ ବିଭାଗ ପଚରାଉଚରା କରୁଛି। ଏହି ମଦ ସବୁ ଆଠଗଡ଼ ଅଞ୍ଚଳରୁ ଆସିବା ପରେ ଦାରୁଠେଙ୍ଗରେ ଏହାକୁ ପ୍ୟାକେଜିଂ ହେଉଥିବା ସୂଚନା ମିଳିଛି।
ପାହାନ୍ତିଆରେ ମାଡ଼ିବସିଲା ଅବକାରୀ ବିଭାଗ, ୪ ଗିରଫ
ସିଲିଂ ମେସିନ୍ ସହିତ ସାଢ଼େ ୯ ହଜାର ଲିଟର ମଦ ଜବତ
ସୂଚନା ଅନୁଯାୟୀ, ଦାରୁଠେଙ୍ଗ ଅଞ୍ଚଳରେ ଏକ ପାଣିବୋତଲ ପ୍ରସ୍ତୁତକାରୀ ପ୍ଲାଣ୍ଟରେ ଚୋରାମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗ ଖବର ପାଇଥିଲା। ଚନ୍ଦକା-ବାରଙ୍ଗ ରାସ୍ତାର ଦାରୁଠେଙ୍ଗ ଅଞ୍ଚଳରେ ଏକ ନିଛାଟିଆ ପାଚେରି ଘେରା ଦୁଇବଖରା ଘରେ ଏହି ପ୍ଲାଣ୍ଟ୍ ଚାଲିଥିଲା। ଅବକାରୀ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା କ୍ଷଣି ମଦବେପାରୀମାନେ ମଦ ଲୋଡ୍ ହୋଇଥିବା ଏକ ୱାଗନର୍ ଓ ଏକ ସ୍କର୍ପିଓ ଗାଡ଼ିନେଇ ପଳାଇଯାଉଥିଲେ। ପୁଲିସ ପିଛା କରି ଗାଡ଼ି ଦୁଇଟିକୁ ଜବତ କରିବାରେ ସକ୍ଷମ ହୋଇଥିଲା। ପ୍ଲାଣ୍ଟ୍କୁ ଯାଞ୍ଚ କରିବାରେ ଏଠାରୁ ଏକ ବୋତଲ ସିଲିଂ ମେସିନ୍, ମହିନ୍ଦ୍ରା ପିକ୍ଅପ୍ ଭ୍ୟାନ୍ ସହିତ ବିପୁଳ ପରିମାଣର ଖାଲି ପ୍ଲାଷ୍ଟିକ୍ ବୋତଲ, ଠିପି ଓ ପଲିଥିନ୍ ପାଉଚ୍ ଜବତ କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ମଦ ସବୁ ମିନେରାଲ ୱାଟର ବଟଲରେ ଚାଲାଣ କରାଯାଉଥିଲା। ଖରାଦିନ ହୋଇଥିବାରୁ କାହାରି ସନ୍ଦେହରେ ନଆସିବା ଲାଗି ପାଣି ବୋତଲକୁ ସୁରକ୍ଷିତ ମାଧ୍ୟମ ରୂପେ ବାଛିଛନ୍ତି ଅପରାଧୀମାନେ। ମାସେ ତଳେ ବରମୁଣ୍ଡା ଅଞ୍ଚଳରୁ ଥଣ୍ଡାପାନୀୟ ବୋତଲରେ ମଦ ଚାଲାଣ ଖବର ଆସିଥିବା ବେଳେ ଛୋଟ ପାଣିବୋତଲରେ ମଦ ଚାଲାଣ ବିଭାଗର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି।