ଭୁବନେଶ୍ବର : ଲକଡାଉନ୍ ପରେ ସବୁ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବନ୍ଦ ହୋଇଯାଇଛି। କିନ୍ତୁ ଆରମ୍ଭ ହୋଇଯାଇଛି ଚୋରା କାରବାର। ସାରା ରାଜ୍ୟରେ ସକ୍ରିୟ ହୋଇଉଠିଛନ୍ତି ମଦ ମାଫିଆ। ବିପୁଳ ପରିମାଣର ମଦ ବିକ୍ରି ଚାଲିଛି। ରାଜଧାନୀରେ ବି ଅନେକ ଅଞ୍ଚଳରେ ମଦ ବେପାରୀଙ୍କ ରାଜ୍ ଚାଲିଛି। ୨୪ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ହଜାର ଲିଟରରୁ ଅଧିକ ପରିମାଣର ବିଦେଶୀ ମଦ ଜବତ କରିଛି ପୁଲିସ। କଳାହାଣ୍ଡି ଜୁନାଗଡ଼ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ୮୪ ଲିଟର ବିଦେଶୀ ମଦ ଜବତ କରିଛି। ସେହିପରି ଢେଙ୍କାନାଳ ପରଜଙ୍ଗ ଥାନା ପୁଲିସ ଜଣଙ୍କୁ ଗିରଫ କରିବା ସହ ୨୬୯୧ ଲିଟର ବିଦେଶୀ ମଦ ଜବତ କରିଛି। ତେବେ ଏହି ଜବତ ମଦ ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନକୁ ଯୋଗାଯାଉଥିବା ମଦ ବୋଲି ସନ୍ଦେହ ପ୍ରକାଶ ପାଇଛି। ରାଜଧାନୀରେ ଚୋରା ମଦ ବେପାର ଜୋରଦାର ଆରମ୍ଭ ହୋଇଯାଇଥିବା ବେଳେ କ୍ୟାପିଟାଲ ଥାନା ପଛ ପଟ, ଏୟାରପିଲ୍ଡ, ଡୁମୁଡୁମା ଓ ବାଲିଅନ୍ତା ଅଞ୍ଚଳରୁ ମଦ ଜବତ ହୋଇଛି। କିନ୍ତୁ ମଞ୍ଚେଶ୍ବର, ବରମୁଣ୍ଡା, ଖଣ୍ଡଗିରି, ଜାଗମରା-ପୋଖରୀପୁଟ ରାସ୍ତା, ଫାଳିକିଆ ବଜାର, ପୁରୁଣା ଭୁବନେଶ୍ବର, କଟକରୋଡ୍, ପଳାଶୁଣୀ ଅଞ୍ଚଳରେ ଚାଲିଥିବା ଚୋରା ମଦ କାରବାରର ପର୍ଦ୍ଦାଫାସ୍ ହୋଇପାରିନାହିଁ।
ରାଜ୍ୟ ସରକାରଙ୍କ ଲେବଲ ଓ ଲୋଗୋ ଥିବା ପେଟି ପେଟି ମଦ ଆସୁଛି କୁଆଡ଼ୁ? କିଛି ଅସାଧୁ ମଦ ବ୍ୟବସାୟୀଙ୍କ ସହ ଚୋରା ମଦ ବେପାରୀ ହାତ ମିଳାଇଛନ୍ତି କି? ଷ୍ଟକ୍ ମଦକୁ ସେମାନେ ବିକ୍ରି କରି ଦେଉଛନ୍ତି କି? ଛୋଟ ବେପାରୀଙ୍କ ପାଖରେ ମଦ ପହଞ୍ଚାଉଥିବା ଦଲାଲ୍ କୁଆଡ଼େ ଯାଉଛନ୍ତି? ଏଭଳି ପ୍ରଶ୍ନ ଏବେ ଛିଡ଼ା ହୋଇଛି? ଲକ୍ଡାଉନ୍ରେ ପୁଲିସର କାର୍ଯ୍ୟ ଯଥେଷ୍ଟ ବଢ଼ି ଯାଇଛି। ଦିନତମାମ୍ ଯାଞ୍ଚ, ପାଟ୍ରୋଲିଂ ଓ ଅନ୍ୟାନ୍ୟ କାମରେ ପୁଲିସ ବ୍ୟସ୍ତ ରହୁଥିବା ବେଳେ କେତେକ ଜାଗାରେ ମଦ ଜବତ କରୁଛି। କିନ୍ତୁ ଅବକାରୀ ଥାନା କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ? ରାଜଧାନୀରେ ବିପୁଳ ପରିମାଣର ଚୋରା ମଦ କାରବାର ଚାଲୁଥିଲେ ବି କାହିଁକି ଚୁପ୍ ବସିଛି ଅବକାରୀ ଥାନା? କମିସନରେଟ୍ ପୁଲିସ ହାତରେ ଚୋରା ମଦବେପାରୀ ଧରାପଡୁଥିବା ବେଳେ ଅବକାରୀ ବିଭାଗ କାହିଁକି ଟେର୍ ପାଉନି? ଚୋରା ମଦ ବେପାରୀଙ୍କୁ ପରୋକ୍ଷରେ ପ୍ରଶୟ ଦେଉଛି କି ଅବକାରୀ ଥାନା। ଏ ସମ୍ପର୍କରେ ଖୋର୍ଦ୍ଧା ଅବକାରୀ ଅଧୀକ୍ଷକ କହିଛନ୍ତି, ଖୋର୍ଦ୍ଧାରେ ଚଢ଼ଉ କରାଯାଇଛି। ଭୁବନେଶ୍ବରରେ ଖୁବ୍ଶୀଘ୍ର ଚଢ଼ଉ କରାଯିବ।
୧୦ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
ଭୁବନେଶ୍ବର : ଏୟାରଫିଲ୍ଡ ଥାନା ପୁଲିସ ଆଜି ସନ୍ଧ୍ୟାରେ ଗଙ୍ଗନଗର ଛକ ନିକଟରୁ ଜଣେ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ପ୍ରଫୁଲ୍ଲ ସାହୁ। ପ୍ରଫୁଲ୍ଲ ନିକଟରୁ ପୁଲିସ ୧୦ ଲିଟରରୁ ଅଧିକ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ କରିଛି। ପ୍ରଫୁଲ୍ଲ ଅଣ୍ଡା ଦୋକାନ ଖୋଲିବା ସହ ଚୋରାରେ ବିଦେଶୀ ମଦ ବିକ୍ରି କରୁଥିଲା ବୋଲି ପୁଲିସ କହିଛି। ଆଜି ସନ୍ଧ୍ୟାରେ ପୁଲିସ୍ ତାକୁ କୋର୍ଟଚାଲାଣ କରିଛି।