ଭୁବନେଶ୍ବର: ବିଡିଏ ପକ୍ଷରୁ ଆଜି ଦୁଇଟି ସ୍ଥାନରେ ଉଚ୍ଛେଦ ହୋଇଛି। ପ୍ରଥମଟି ବିଡିଏ ନିକୋ ପାର୍କ କଡ଼ ଓ ଦ୍ୱିତୀୟଟି ଖାରବେଳ ନଗର ମୌଜାରେ ହୋଇଛି। ବିଡିଏ ନିକୋ ପାର୍କରୁ ଡ୍ରେନ୍ ନଂ ୧୦ ଓ ଲେକ୍‌ ଜୋନ୍-୧ରୁ ଜବରଦଖଲ ଉଚ୍ଛେଦ ହୋଇଛି। ଏଠାରେ ୬ଟି ଛାତଘର, ୨ଟି ଶୌଚାଳୟ ସହିତ ୩୦ ଫୁଟ ଲମ୍ବର ପାଚେରି ଭଙ୍ଗା ଯାଇଛି। ତେବେ ନିକୋ ପାର୍କ ଭିତରେ ଜବରଦଖଲରେ ଏକ ମଦ ଦୋକାନ ହୋଇଛି। ହେଲେ ବିଡିଏର ଟିମ୍‌ ପ୍ରାଇଡ୍‌ ଏହାକୁ ଉଚ୍ଛେଦ କରିପାରି ନାହିଁ। ଯେଉଁଥିପାଇଁ ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ ଜନଅସନ୍ତୋଷ ସୃଷ୍ଟି ହୋଇଛି।

Advertisment

ସାଧାରଣ ଲୋକଙ୍କୁ ନାଲି ଆଖି ଦେଖାଇ ବିଡିଏ ଘର ଭାଙ୍ଗି ଦେଉଥିବା ବେଳେ ବଡ଼ ବଡ଼ିଆଙ୍କ ଜବରଦଖଲରେ ହାତମାରି ପାରୁନାହିଁ। ବିଏମ୍‌ସି ଓ ବିଡିଏର ଅଧିକାରୀମାନଙ୍କୁ ପ୍ରଲୋଭିତ କରି ବହୁ ଦିନ ଧରି ଏହି ମଦ ଦୋକାନ ଚାଲିଥିବା ଅଭିଯୋଗ ହୋଇଛି। ଏହି ଜବରଦଖଲ ଉଚ୍ଛେଦ ହେଉନଥିବାରୁ ବିଏମ୍‌ସି ଏଠାରେ ପାଚେରି କରିପାରୁ ନାହିଁ। ପ୍ରାୟ ୭୧ ଲକ୍ଷ ଟଙ୍କା ବ୍ୟୟରେ ବିଏମ୍‌ସି ଏଠାରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ପାଚେରି କରିବାକୁ ଟେଣ୍ଡର କରିଥିଲେ ମଧ୍ୟ କାମ ଆରମ୍ଭ ହୋଇପାରୁ ନାହିଁ। କିଏ ଏହି ମଦ ଦୋକାନକୁ ସୁରକ୍ଷା ଦେଉଛି? ବିଡିଏର ଜାଗା ହୋଇଥିବାରୁ ଯେତିକି ଜାଗା ଚିହ୍ନଟ ହେବ ସେତିକି ଜାଗାରେ ବିଏମ୍‌ସି ପାଚେରି କରି ଦେବାକୁ ବସିଛି। ମଦ ଦୋକନ ନ ଭାଙ୍ଗି ପାଚେରି କରି ଦେବାକୁ ଭିତିରିଆ ଯୋଜନା ହୋଇଥିବା ଜଣାପଡ଼ିଛି।

ଖାରବେଳ ନଗର ମୌଜାର ପ୍ଲଟ୍ ନଂ ଏସସିଆର୍-୫୩ ପଛରେ ଥିବା ସରକାରୀ ଜାଗାରୁ ଜବରଦଖଲକାରୀଙ୍କୁ ହଟାଇବା ସହ ଘର ଭାଙ୍ଗିବା ପାଇଁ ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ନୟାନ୍ତ ହେବାକୁ ପଡ଼ିଥିଲା। ପୂର୍ବରୁ ଖବର ପାଇ ସେଠାରେ ୨୦ରୁ ଊର୍ଦ୍ଧ୍ବ ମହିଳା ଜଗି ରହିଥିଲେ। ଉଚ୍ଛେଦ ପାଇଁ ଟିମ୍‌ ପହଞ୍ଚିବା ପରେ ମହିଳାମାନେ ଜେସିବି ଉପରେ ବସି ଯିବାରୁ ସେମାନଙ୍କୁ ହଟାଇବା କାଠିକର ପାଠ ହୋଇଥିଲା। ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ତେବେ ମହିଳା ‌ପୁଲିସ୍‌ ଓ ଟିମ୍‌ ପ୍ରାଇଡ୍‌ରେ ଥିବା ମହିଳା କର୍ମଚାରୀ ସମ୍ପୃକ୍ତ ମହିଳାମାନଙ୍କୁ କାବୁ କରି ନେଇଥିଲେ।

ପରେ ଜେସିବି ସମ୍ପୃକ୍ତ ଘରକୁ ମାଟିରେ ମିଶାଇ ଦେଇଥିଲା। ଘର ଭିତରେ ଥିବା ସିଲାଇ ମେସିନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇ ଯାଇଥିବାରୁ ସେମାନେ କ୍ଷତିପୂରଣ ଦାବି କରିବା ସହ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଶ୍ବେତ କୁମାର ଦାସଙ୍କୁ ଘେରି ଯାଇଥିଲେ। ତେବେ ସେମାନଙ୍କୁ ବୁଝାସୁଝା ପରି ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏଥିରେ ଦୁଇଟି ଆଜବେଷ୍ଟସ୍ ଘର ସମେତ ୩୦ ଫୁଟର ପାଚେରି ଭଙ୍ଗାଯାଇଥିଲା। ପ୍ରାୟ ୧ ହଜାର ବର୍ଗଫୁଟ ଅଞ୍ଚଳକୁ ଜବରଦଖଲମୁକ୍ତ କରାଯାଇଛି। ଏହି ସରକାରୀ ଜାଗାରେ ଏକ ମହିଳା ସିମିତି ଘର ତିଆରି ହୋଇଥିଲା। ବିଧାୟକ ପାଣ୍ଠିରୁ ଏହା ନିର୍ମାଣ ହୋଇଥିବା ଏକ ବୋର୍ଡ ରହିଥିଲା। ତେବେ ଏହି ଜବରଦଖଲ ପଛରେ ଜଣେ ନେତ୍ରୀଙ୍କ ହାତ ଥିବା ନେଇ ଚର୍ଚ୍ଚା ହୋଇଥିଲା। ସକାଳେ ଏହି ଉଚ୍ଛେଦ ହେବାକୁ ଯୋଜନା ହୋଇଥିଲେ ମଧ୍ୟ ନେତ୍ରୀଙ୍କ ପ୍ରବଳ ଚାପ ଯୋଗୁଁ ଟିମ୍‌ ଫେରି ଆସିଥିଲା। ହେଲେ ଅପରାହ୍ନରେ ପୁଣି ଥରେ ଉଚ୍ଛେଦ ଯୋଜନା ହୋଇଥିଲା।

ଉଚ୍ଛେଦରେ ବିଡିଏ ଏନ୍‌ଫୋର୍ସମେଣ୍ଟ ଅଫିସର ଶ୍ୱେତ କୁମାର ଦାସଙ୍କ ସହ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଜିଏର ସହକାରୀ ନିର୍ଦ୍ଦେଶକ ଅମିୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।