ମଦ ଦୋକାନ ଲଟେରି ପ୍ରସଙ୍ଗ : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

ରାୟ ଆସିବା ପରେ ଦାବି କରିପାରିବେନି ଲଟେରି ବିଜେତା

ଭୁବନେଶ୍ୱର : ରାଜ୍ୟରେ ମଦ ବ୍ୟବସାୟକୁ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ହୋଇଥିବା ଲଟେରି ବ୍ୟବସ୍ଥାକୁ ଝଟ୍‌କା ଲାଗିଛି। ସରକାର ଲଟେରି ବ୍ୟବସ୍ଥାରେ ନୂଆ ବ୍ୟବସାୟୀଙ୍କୁ ଚିହ୍ନଟ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ ମଦ ବ୍ୟବସାୟୀ ସଂଘ ସୁପ୍ରିମକୋର୍ଟ ଯାଇଥିଲା। ଆବେଦନର ବିଚାର କରି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି କି ଏହି ଆବେଦନର ରାୟ ଆବେଦନକାରୀଙ୍କ ସପକ୍ଷରେ ଗଲେ ଲଟେରି ପାଇଥିବା ବ୍ୟକ୍ତିର କୌଣସି ଦାବି ବୈଧ ହେବ ନାହିଁ। ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ବିଜ୍ଞପ୍ତି କରନ୍ତୁ। ଏହି ମାମଲାର ଶୁଣାଣି ଆସନ୍ତା ଏପ୍ରିଲ ୮ ତାରିଖରେ ହେବ। ଶୁଣାଣି ପୂର୍ବରୁ ସରକାର ଏନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ଆଦେଶ ହୋଇଛି।

୧୫ ବର୍ଷରୁ ଊର୍ଧ୍ବ କାଳ ଧରି ମଦ ଦୋକାନଗୁଡ଼ିକର ଲାଇସନେ୍ସକୁ ୧୦ ପ୍ରତିଶତ ବର୍ଦ୍ଧିତ ଦରରେ ନବୀକରଣ କରାଯାଉଥିବା ବେଳେ ସରକାର ଚଳିତ ବର୍ଷ ନୂଆ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଚାହିଥିଲେ। ରାଜ୍ୟରେ ଥିବା ସମସ୍ତ ବିଦେଶୀ ଠିପି ବନ୍ଦ ଓ ଦେଶୀ ମଦ ଦୋକାନଗୁଡ଼ିକର ଲାଇସନେ୍ସକୁ ଲଟେରି କରି ନବୀକରଣ କରିବାକୁ ସରକାର ନିଷ୍ପତ୍ତି ନେବା ପରେ ଜିଲ୍ଲାପାଳଙ୍କ ଜରିଆରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଫଳରେ ମଦ ବ୍ୟବସାୟରେ ରହିଥିବା ବଂଶାନୁକ୍ରମିକ ପରମ୍ପରା ଭଙ୍ଗ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଥିଲା। ହେଲେ ମଦ ବ୍ୟବସାୟୀ ସଂଘ ସୁପ୍ରିମକୋର୍ଟ ଯିବା ପରେ ଏହି ସମ୍ଭାବନା ଏବେ ମଉଳି ଯାଇଛି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୧୧୫୯ଟି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଓ ୨୪୨ଟି ଦେଶୀ ମଦ ଦୋକାନ ରହିଛି। ଏହି ସବୁ ମଦ ଦୋକାନଗୁଡ଼ିକର ଲାଇସନେ୍ସ ନବୀକରଣ ଲଟେରି ଜରିଆରେ କରିବାକୁ ଯୋଜନା କରିଥିଲେ।

ସମ୍ବନ୍ଧିତ ଖବର