୨୦ ମଦ ଭାଟି ଭାଙ୍ଗିଲା, ବନ୍ଧାହେଲେ ୫ ବେପାରୀ

ପୁଲିସ ଓ ସାଲିଆସାହି ବସ୍ତିବାସିନ୍ଦା ମୁହାଁମୁହିଁ, ଲକ୍ଷାଧିକ ଟଙ୍କାର ପୋଚ ଓ ମଦ ନଷ୍ଟ, ଟ୍ରକେ ଡେକ୍‌ଚି ଜବତ

ଭୁବନେଶ୍ବର : ଦୀର୍ଘ ଦିନ ଧରି ଦେଶୀ ମଦ ହବ୍‌ ଭାବେ ପରିଗଣିତ ହେଉଥିବା ସାଲିଆସାହି ଇଡ୍‌କୋ ବସ୍ତିରେ ଶନିବାର ଦିନ କମିସନରେଟ୍‌ ପୁଲିସ ଚଢ଼ଉ କରିଥିଲା। ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧ ସତ୍ତ୍ବେ ପ୍ରାୟ ୨୦ ମଦ ଭାଟିକୁ ଭାଙ୍ଗି ପକାଇଥିଲା ପୁଲିସ। ଭାଟିଗୁଡ଼ିକରେ ଥିବା ଶହଶହ ଡେକ୍‌ଚି ଓ ଜେରିକେନ୍‌ ଡ୍ରମକୁ ବି ପୁଲିସ ଭାଙ୍ଗି ପକାଇବା ସହ ବିପୁଳ ରନ୍ଧା ମଦ ଓ ପୋଚକୁ ପୁଲିସ ନଷ୍ଟ କରିଛି। ଏଥିସହିତ ମଦ କାରବାରରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଇଡ୍‌କୋ ବସ୍ତିର ମୁନିରାମ ସୋରେନ୍‌(୩୫), ଶ୍ୟାମ୍‌ସୁନ୍ଦର ମୁର୍ମୁ(୫୦), ରାମ ଟୁଡ଼ୁ(୧୯), କାହ୍ନୁ ଟୁଡ଼ୁ(୨୦) ଏବଂ ରବୀନ୍ଦ୍ର କୁମାର ମୁର୍ମୁ(୨୦)। କମିସନରେଟ୍‌ ପୁଲିସର ଏହି ବଡ଼ଧରଣର ଚଢ଼ଉ ଯୋଗୁଁ ଆଜି ଖୋଦ୍‌ ରାଜଧାନୀରେ ଥିବା ଏତେ ପରିମାଣର ଦେଶୀ ମଦ ଭାଟି ଲୋକଲୋଚନକୁ ଆସିଥିବା କୁହାଯାଉଛି। ପୂର୍ବରୁ ଉଭୟ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ଉ କରାଯାଇ ମଦ ଭାଟି ନଷ୍ଟ କରାଯାଇଥିଲେ ବି ଆଜିର ଚଢ଼ଉ ଯୋଗୁଁ ଏକ ହବ୍‌ ନଷ୍ଟ କରାଯାଇଛି ବୋଲି କୁହାଯାଉଛି।

ଏହି ସାହିରେ ଥିବା ଭାଟିଗୁଡ଼ିକରେ ବ୍ୟାପକ ଦେଶୀ ମଦ ରନ୍ଧା ହେଉଥିବା ନେଇ ବହୁ ପୂର୍ବରୁ ସୂଚନା ଥିଲା। ତେଣୁ ପୂରା ଅଞ୍ଚଳରେ ଚଢ଼ଉ ପାଇଁ ସପ୍ତାହକ ପୂର୍ବରୁ ନକ୍ସା ପ୍ରସ୍ତୁତ ହୋଇଥିଲା। ଏସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ବରେ ନୂଆପଲ୍ଳୀ, ସହିଦନଗର ଓ ମଞ୍ଚେଶ୍ବର ଥାନାର ଆଇଆଇସି, ଅନ୍ୟ ଅଧିକାରୀ, କର୍ମଚାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଗଣ୍ଡଗୋଳ ଆଶଙ୍କା ଥିବାରୁ ୩ ପ୍ଲାଟୁନ୍‌ ପୁଲିସ ବଳ ବି ଏହି ଟିମ୍‌ରେ ସାମିଲ୍‌ ହୋଇଥିଲେ। ଆଶଙ୍କା ବି ସତ ହୋଇଥିଲା। ଭାଟିରେ ଚଢ଼ଉ ହେଉ ହେଉ ବସ୍ତିଲୋକେ ପୁଲିସକୁ ଢ଼େଲା ମାଡ଼ କରି ବିରୋଧ କରିଥିଲେ। କିନ୍ତୁ ପୁଲିସ ବଳ ତାହାକୁ ଖାତିର ନକରି ପ୍ରଥମେ ମଦ ଭାଟି ଚଳାଉଥିବା ବେପାରୀଙ୍କୁ କାବୁ କରିନେଇଥିଲା। ଫଳରେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ। ଏହା ପରେ ପୁଲିସ ଭାଟି ଭିତରେ ପଶି ପୋଚ ଓ ମଦ ନଷ୍ଟ କରିବା ଆରମ୍ଭ କରିଥିଲା। ଘଟଣାସ୍ଥଳରୁ ପ୍ରାୟ ଗୋଟିଏ ଟ୍ରକ୍‌ ଆଲୁମିନିୟମ୍ ଡେକ୍‌ଚି ଓ ଜେରିକେନ୍ ଡ୍ରମ୍‌ ଜବତ କରାଯାଇଥିଲା। ହଜାର ହଜାର ଲିଟର ମଦ ଓ ପୋଚକୁ ତଳେ ଢାଳି ଦିଆଯାଇଥିଲା। ନଷ୍ଟ କରାଯାଇଥିବା ମଦ ଓ ପୋଚ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ଓ ଜବତ ଡେକ୍‌ଚି ଓ ଡ୍ରମ୍‌ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ସୂଚନାଯୋଗ୍ୟ, ଏଠାରେ ପ୍ରସ୍ତୁତ ହେଉଥିବା ଦେଶୀ ମଦ ରାଜଧାନୀର ବିଭିନ୍ନ ବସ୍ତିକୁ ଚାଲାଣ ହେଉଥିଲା। ଏହି ମଦ କାରବାର ପଛରେ କିଛି ଅସାଧୁ ପୁଲିସ କର୍ମଚାରୀ ଓ ତଥାକଥିତ ନକଲି ସାମାଜିକ କର୍ମୀଙ୍କ ପରୋକ୍ଷ ସମର୍ଥନ ଥିବା କୁହାଯାଉଛି। ହାଣ୍ଡିଆ ରାନ୍ଧିବା ଆଳରେ ପ୍ରକୃତରେ ଏଠାରେ ମଦ କାରବାର ମୁଖ୍ୟ ଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର