ଥମୁନି ଚୋରା ମଦ କାରବାର : କାର୍‌ ସହ ବିପୁଳ ବିଦେଶୀ ମଦ, ଟଙ୍କା ଓ ମୋବାଇଲ ଜବତ, ଢାବା ମାଲିକ ଅଟକ, ଦୁଇ ଦିନରେ ଗିରଫ ହେଲେଣି ୩

ଭୁବନେଶ୍ବର : ଲକ୍‌ଡାଉନ୍ ପରଠାରୁ ରାଜଧାନୀ ଚୋରା ମଦ କାରବାର ପେଣ୍ଠସ୍ଥଳୀ ପାଲଟିଯାଇଛି। ଚୋରା ବେପାରୀଙ୍କ ହାତରେ ରହିଛି ନାମୀଦାମୀ ବ୍ରାଣ୍ଡର ମଦ। କେତେବେଳେ ଲାଇସେନ୍ସପ୍ରାପ୍ତ ଦୋକାନରୁ ମଦ ଚାଲାଣ ହେଉଛି ତ ଆଉ କେତେବେଳେ ଅସଲି ବ୍ରାଣ୍ଡରେ ଆସୁଛି ନକଲି ମଦ। ଦୁଇ ଦିନ ଭିତରେ କୁଇକ୍ ଆକ୍ସନ ଟିମ୍ (କ୍ୟୁଏଟି) ଚଢଉ କରି ୩ ଜଣଙ୍କୁ ଗିରଫ କରିବା ସହ ୫୦ ଲିଟରରୁ ଅଧିକ ବିଦେଶୀ ମଦ ଜବତ କରିଛି। ଗତକାଲି ବିଳମ୍ବିତ ରାତିରେ କୁଇକ୍ ଆକ୍ସନ ଟିମ୍ ଓ ତମାଣ୍ଡୋ ଥାନା ପୁଲିସ ରାଜଧାନୀ ଉପକଣ୍ଠ ଗୋହିରା ଛକ ନିକଟରେ ଚଢାଉ କରି କାର୍‌ରେ ମଦ ଚୋରା ଚାଲାଣର ପର୍ଦ୍ଦାଫାସ୍ କରିଛନ୍ତି। କ୍ରେଟା କାରରେ ଖୋର୍ଦ୍ଧାରୁ ରାଜଧାନୀକୁ ଆସୁଥିବା ୩୬ ଲିଟରରୁ ଅଧିକ ପରିମାଣର ମଦ ଜବତ କରିଛି ପୁଲିସ। ମଦ ଚୋରା ଚାଲାଣ କରୁଥିବା ପ୍ରକାଶ କୁମାର ପରିଡ଼ା(୩୫)କୁ ପୁଲିସ ଗିରଫ କରିଛି।

ଚାଲାଣରେ ବ୍ୟବହୃତ କ୍ରେଟା କାର(ଓଡି୦୨ଏକ୍ୟୁ-୦୯୯୩) ସହ ନଗଦ ୫୪୨୦ ଟଙ୍କା, ମୋବାଇଲ ଫୋନ୍ ଜବତ କରାଯାଇ ପାରିଛି। ପ୍ରକାଶର ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା ବଡ଼ବାରମୂଳ ଅଞ୍ଚଳରେ। ସେ ବରମୁଣ୍ଡାରେ ରହୁଥିବା ପୁଲିସ ଜାଣିବାକୁ ପାଇଛି। ପ୍ରକାଶର ଖୋର୍ଦ୍ଧା ଜଙ୍କିଆରେ ଏକ ଢାବା ରହିଛି। ସେହି ଢାବାରେ ସେ ମଦ କାରବାର କରୁଥିବା ପୁଲିସ କହିଛି। ପୂର୍ବରୁ ମଦ କାରବାର କରୁଥିବା ପ୍ରକାଶ ଲକ୍‌ଡାଉନ୍ ପର ଠାରୁ ଚୋରା ମଦ କାରବାରରେ ବେଶ୍ ସକ୍ରିୟ ହୋଇ ଯାଇଥିଲା। ଜଙ୍କିଆ ମଦ କାରବାରର ଆଡା ହୋଇଥିବା ବେଳେ ସେଠାରେ ଅସଲି ଓ ନକଲି ମଦ ଉଭୟ ମିଳିଥାଏ। ସେଠାରୁ ଚୋରା ବେପାରୀ ମଦ ନେଇ ବିଭିନ୍ନ ଅଞ୍ଚଳରେ ବିକ୍ରି କରିଥାନ୍ତି। ଏବେ ଲକ୍‌ଡାଉନ୍ ଥିବାରୁ ୧୫୦ ଟଙ୍କାର ମଦ ୪୦୦ରୁ ସାଢେ ୪ ଶହ ଟଙ୍କାରେ ବିକ୍ରି ହେଉଛି। ତମ‌ାଣ୍ଡୋ ପୁଲିସ ପ୍ରକାଶକୁ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି। ଆସନ୍ତାକାଲି ପ୍ରକାଶକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର