ଭୁବନେଶ୍ବର : ପୁଣି ଧରାପଡ଼ିଲା ଚୋରା ମଦ

ଭୁବନେଶ୍ବର : ଲକ୍‌ଡାଉନ୍ ସମୟରେ ଜାରି କର୍ଫ୍ୟୁକୁ ଫୁ’ କରିଦେଇଛନ୍ତି ବେଆଇନ ନିଶା ବେପାରୀ। ପୁଲିସ କଟକଣା କଡ଼ାକଡ଼ି କରିଥିଲେ ମଧ୍ୟ ଅନାୟାସରେ ଏମାନେ କରୁଛନ୍ତି ବେପାର। ଖୋଲାଖୋଲି ଭାବରେ ୪ ଗୁଣ ଦରରେ ମଦ ବିକି ମାଲାମାଲ ହେଉଛନ୍ତି। ଯେତିକି ତ ଧରା ହେଉଛି, ତା’ଠ‌ାରୁ ଢ଼େର ଅଧିକ ବିକ୍ରି ହେଉଛି। ଦୀର୍ଘ ଦିନ ହେବ କମିସନରେଟ ପୁଲିସକୁ ଚାଲେଞ୍ଜ ଦେଇ ବେପାର ଚଳାଇଥିବା ଏଭଳି ଦୁଇ ମଦ ମାଫିଆଙ୍କୁ କ୍ୟୁଏଟି ସହାୟତାରେ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ।

ଗିରଫ ମାଫିଆ ହେଉଛନ୍ତି ଶୁକଦେବ ଗୌଡ଼ ଓ ଦୀପକ କୁମାର ବାରିକ। ଏମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ନେତାଙ୍କର ସମ୍ପର୍କୀୟ ବୋଲି ଜଣାପଡ଼ିଛି। ନେତା ଚାପ ପକାଇ ଏହି ବେପାରକୁ ପ୍ରୋତ୍ସାହନ ଦେଉଥିବା ଚର୍ଚ୍ଚା ହେଉଛି। ଉଭୟଙ୍କଠାରୁ ପୁଲିସ ୩୨ ଲିଟର ମଦ, ୫ ହଜାର ୭୦ ଟଙ୍କା, ୨ଟି ସ୍କୁଟର ଜବତ କରିଛି। ଜବତ ମଦର ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି। ତେବେ ଏହା ବିକ୍ରି ହୋଇଥିଲେ ୨ ଲକ୍ଷ ଟଙ୍କା ରୋଜଗାର ହୋଇଥାନ୍ତା ବୋଲି ଜଣେ ଚୋରା ବେପାରୀ କହିଛନ୍ତି। ଉଭୟ ବେପାରୀଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସୂଚନାନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଶୁକଦେବ ଓ ଦୀପକ ଦୁଇଟି ବାଇକ୍‌ରେ ୩୨.୭ ଲିଟର ମଦ ଧରି ବିକ୍ରି ପାଇଁ ନେଇ ଯାଉଥିଲେ। ଖବର ପାଇବା ପରେ କ୍ୟୁଏଟି କ୍ୟାପିଟାଲ ଥାନା ପୁଲିସକୁ ଖବର ଦେଇଥିଲା। ପାଟ୍ରୋଲିଂ କରୁଥିବା ଏଏସ୍‌ଆଇ ବାଲୁଙ୍କେଶ୍ୱର ବେହେରା ଓ ଏଏସ୍‌ଆଇ ଏ.କେ ପରିଡ଼ା ଉଭୟଙ୍କୁ କାବୁ କରିଥିଲେ।

ପୂର୍ବରୁ ନୂଆପଲ୍ଲୀ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଦାମୀ ମଦ ଧରା ପଡ଼ିଥିଲା। ଦାମୀ ଗାଡ଼ିରେ ଏହି ମଦ ହୋମ୍‌ ଡେଲିଭରି ହେଉଥିଲା। କେତେକ କର୍ମଚାରୀଙ୍କ ସହାୟତାରେ ଏହି ବେପାର ଚାଲିଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହି ଚୋରା ମଦ ଏବେ ଜଣେ ‌ନେତାଙ୍କର ସମ୍ପର୍କୀୟ ଚଳାଉଥିବା ଜଣାପଡ଼ିବା ପରେ ଏହି ଚୋରା ବେପାର ସମସ୍ତଙ୍କର ଗୋଚରରେ ଚାଲିଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର