ଭୁବନେଶ୍ବର: ଆର୍ଥିକ ବର୍ଷର ଶେଷ ମାସ ଚାଲିଛି। ହେଲେ ବିଏମ୍‌ସି ହୋଲ୍ଡିଂ ଟିକସ ଧାର୍ଯ୍ୟ ଲକ୍ଷ୍ୟର ଅଧା ପହଞ୍ଚିପାରିନି। ବର୍ଷର ୧୧ମାସରେ ୪୫ ପ୍ରତିଶତ ଆଦାୟ ହୋଇଥିବା ବେଳେ ଆଉ ୨୦ ଦିନ ଭିତରେ ଧାର୍ଯ୍ୟ ଲକ୍ଷ୍ୟର ୫୫% ଆଦାୟ ଅସମ୍ଭବ ହୋଇଛି। ଏଣେ ବଡ଼ବଡ଼ିଆ ଲକ୍ଷ ଲକ୍ଷ ଟଙ୍କାର ଟିକସ ବାକି ରଖିଛନ୍ତି। ସେହି ସବୁ ଖିଲାପିଙ୍କ ତାଲିକା ସାର୍ବଜନୀନ ହୋଇଛି। ଏଭଳି କଲେ ସେହି ବଡ଼ବଡ଼ିଆମାନେ ଟିକସ ଦାଖଲ କରିଦେବେ ବୋଲି ବିଏମ୍‌ସି ଆଶା କରିଛି। ସର୍ବସାଧାରଣ ହୋଇଥିବା ତାଲିକାରେ ମୋଟ ୪୫କୋଟି ୨୫ ଲକ୍ଷ ୯୫ ହଜାର ୨୪୫ ଟଙ୍କା ବାକି ରହିଥିବା ଦର୍ଶାଯାଇଛି। ୧କୋଟିରୁ ଊର୍ଦ୍ଧ୍ବ ବାକି ରଖିଥିବା ଖିଲାପିଙ୍କ ସଂଖ୍ୟା ୧୬ ରହିଥିବା ‌ବେଳେ ୫୦ଲକ୍ଷରୁ ଊର୍ଦ୍ଧ୍ବ ବାକି ତାଲିକାରେ ୧୫ ରହିଛନ୍ତି। ତାଲିକାର ଶୀର୍ଷରେ ଦକ୍ଷିଣ-ପଶ୍ଚିମ ଜୋନ୍‌ର ଲାଇଫ୍‌ଲାଇନ୍‌ ମଲ୍ଟିଭେଞ୍ଚର ରହିଛି। ଏହି ସଂସ୍ଥା ୭ କୋଟି ୩୨ ହଜାର ୭୭୬ ଟଙ୍କ‌ା ବାକି ରଖିଛି। ଧାର୍ଯ୍ୟ ସମୟରେ ଟିକସ ଦାଖଲ ନକଲେ ଏହି ସବୁ ଖିଲାପିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। 
ସହରର ବିକାଶ ପାଇଁ ଏହି ଉତ୍ସରୁ ମିଳୁଥିବା ରାଜସ୍ବ ଖର୍ଚ୍ଚ ହୋଇଥାଏ। ଜାଣିଶୁଣି ଏହି ଟିକସ ଫାଙ୍କିବା ନୈରାଶ୍ୟଜନକ ଏବଂ ଅନ୍ୟମାନଙ୍କ ଉପରେ ଏହା କୁପ୍ରଭାବ ପକାଇବ। ଏଣୁ ଏହି ଖିଲାପିମାନେ କାର୍ଯ୍ୟାନୁଷ୍ଠାନର ଶିକାର ନ ହୋଇ ଟିକସ ଦାଖଲ କରନ୍ତୁ ବୋଲି କହିଛନ୍ତି କମିଶନର ରାଜେଶ ପ୍ରଭାକର ପାଟିଲ। 

Advertisment

ରାଜସ୍ବ ଦାୟିତ୍ବରେ ଥିବା ଡେପୁଟି କମିସନର ଅଜୟ ମହାନ୍ତି କହିଛନ୍ତି, ଚଳିତ ଆର୍ଥିକ ବର୍ଷ ପାଇଁ ୧୩୨ କୋଟିର ଟାର୍ଗେଟ୍‌ ରହିଥିଲା। କିନ୍ତୁ ଅଦ୍ୟାବଧି ୬୦କୋଟି ଆଦାୟ ହୋଇଛି। ବାସ୍ତବରେ ଡିମାଣ୍ଡ ୯୦ କୋଟି ରହିଛି। କିନ୍ତୁ ହୋଲ୍ଡିଂ ନୂଆ ବା ସଂଶୋଧିତ ହେଲେ ପରିମାଣ ବଢ଼ିବା ସମ୍ଭାବନା ଥିବାରୁ ଟାର୍ଗେଟ୍‌ ଅଧିକ ରଖାଯାଇଛି। ବାରମ୍ବାର ବୁଝାଇବା ଓ କହିବା ସତ୍ତ୍ୱେ କିଛି ଘର ମାଲିକ ଟିକସ ଦେବାରେ ଖିଲାପ କରୁଛନ୍ତି। ଏବେ ନୋଟିସ୍ ଦିଆଯିବା ସହ ସ୍ବତନ୍ତ୍ର ଟିମ୍ ସେମାନଙ୍କ ପାଖକୁ ଯାଉଛନ୍ତି। ନିକଟ ଅତୀତରେ କିଛି ବ୍ୟାବସାୟିକ ଅନୁଷ୍ଠାନ ସିଲ୍ କରିବା ପରେ ଖିଲାପିଙ୍କ ଆଚରଣରେ ପରିବର୍ତନ ହୋଇଛି। ସୂଚନାଯୋଗ୍ୟ, ୧ କୋଟିରୁ ଉର୍ଦ୍ଧ୍ୱ ବକେୟା ରାଶିରେ ଦକ୍ଷିଣପୂର୍ବ ଜୋନ୍‌ରେ ୫ଜଣ, ଉତ୍ତର ଜୋନ୍‌ରେ ୬ ଜଣ ଓ ଦକ୍ଷିଣପଶ୍ଚିମ ଜୋନ୍‌ରେ ୫ ଜଣ ରହିଛନ୍ତି। ୫୦ ଲକ୍ଷରୁ ୧ କୋଟି ବକେୟା ବର୍ଗରେ ଦକ୍ଷିଣପୂର୍ବ ଜୋନରେ ୩ ଜଣ, ଉତ୍ତର ଜୋନ୍‌ରେ ୭ ଜଣ ଓ ଦକ୍ଷିଣପଶ୍ଚିମ ଜୋନ୍‌ରେ ୫ ଜଣ ଅଛନ୍ତି।