‘ଲିସ୍‌ନିଂ ୱିଣ୍ଡୋ’କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳାର ପ୍ରଥମ ଗ୍ରନ୍ଥାବଳୀ ‘ଲିସନିଂ ୱିଣ୍ଡୋ’ ଉନ୍ମୋଚନ କରିଛନ୍ତିି। ଏଥିରେ ଅର୍ଥନୀତିଠାରୁ ଆରମ୍ଭ କରି ମହାକାଶ ଯାତ୍ରୀ, ସାମାଜିକ କ୍ଷେତ୍ରର କର୍ମୀ, ଶିଳ୍ପ କ୍ଷେତ୍ରର ଅଗ୍ରଣୀ ଉଦ୍ୟୋଗୀଙ୍କ ସମେତ ଦେଶ ବିଦେଶର ୧୮ଜଣ ଖ୍ୟାତନାମା ବକ୍ତାଙ୍କ ବକ୍ତବ୍ୟ ସ୍ଥାନିତ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ନୀତି ନିର୍ଧାରକ, ପ୍ରଶାସକ, ଛାତ୍ରଛାତ୍ରୀ ଓ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଏହି ଉଦ୍ୟମ ନିଶ୍ଚିତ ରୂପେ ପ୍ରେରଣା ଦେବ। ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ୍‌ଙ୍କ କଠିନ ପରିଶ୍ରମ ଯୋଗୁଁ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳା ସଫଳତା ହାସଲ କରିଥିବାରୁ ତାଙ୍କୁ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ବିଭିନ୍ନ ଉତ୍ସରୁ ଉଲ୍ଲେଖଯୋଗ୍ୟ ପ୍ରସଙ୍ଗ ଶ୍ରବଣ କଲେ, ଭାବନା ପ୍ରକ୍ରିୟା ପ୍ରଶସ୍ତ ହୁଏ ବୋଲି କହିଥିଲେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ ଯେ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳା ଏକ ଶ୍ରବଣ ସ୍ଥାନ ସୃଷ୍ଟି କରିଛି। ବୃତ୍ତିଗତ ଭାବେ ଏହା ସହାୟକ ହେଉଥିବା ସେ ପ୍ରକାଶ କରିଥିଲେ। ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ‘ଲିସନିଂ ୱିଣ୍ଡୋ’ ଗ୍ରନ୍ଥାବଳୀ ପ୍ରକାଶ କରାଯାଇଛି। ଏହି ଉତ୍ସବରେ ଗ୍ରନ୍ଥାବଳୀ ଉପରେ ଉପକ୍ରମଣିକା ଦେଇଥିଲେ ବିଭାଗୀୟ ସ୍ବତନ୍ତ୍ର ସଚିବ ଚିତ୍ରା ଅରମୁଗମ୍‌। ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳା ସଂପର୍କିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ସୂଚନାଯୋଗ୍ୟ, ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳାର ବକ୍ତବ୍ୟଗୁଡ଼ିକ http://okh.nic.in/ରେ ଉପଲବ୍ଧ।

ସମ୍ବନ୍ଧିତ ଖବର