ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରେ ଋତୁକାଳୀନ ଫଳର ପସରା ମେଲିଛି। ଏକ ନମ୍ବର ହାଟ, ରାମମନ୍ଦିର ଛକ, ରାଜମହଲରୁ କଳ୍ପନା ଛକ ଆଦି ଅଞ୍ଚଳରେ ଥିବା ଫଳ ବଜାରରେ ଏବେ ଗଦାଗଦା ଲିଚୁ ଦେଖିବାକୁ ମିଳୁଛି। ପଶ୍ଚିମବଙ୍ଗ, ମୁମ୍ବାଇ ଓ ବିହାରରୁ ଲିଚୁ ଓଡ଼ିଶାକୁ ଆସୁଛି। ସେହିପରି ଓଡ଼ିଶାର ବାଲେଶ୍ୱର, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳରୁ ଦେଶୀ ଲିଚୁ ବଜାରକୁ ଆସିଛି ବୋଲି ନୂଆପଲ୍ଲୀ ବ୍ୟବସାୟୀ ଦୁର୍ଯୋଧନ ସାହୁ କହିଛନ୍ତି। ବର୍ତ୍ତମାନ ଲିଚୁର ମୂଲ୍ୟ କିଲୋ ପିଛା ୨୫୦ଟଙ୍କା ରହିଛି।
ସେହିପରି ସିଆରପି, ଶିରିପୁର ଛକ, ୟୁନିଟ୍-୮ ପାୱାର ହାଉସ୍ ଯିବା ରାସ୍ତା, ରାଜମହଲ ଛକ, ରାମ ମନ୍ଦିର ରାସ୍ତା କଡ଼ ଆଦି ସ୍ଥାନରେ ତାଳସଜ ବେପାରୀମାନେ ଧାଡ଼ି ଲମ୍ୱାଇଛନ୍ତି। ରାମ ମନ୍ଦିର ନିକଟସ୍ଥ ବ୍ୟବସାୟୀ କେଶବ ବେହେରାଙ୍କ କହିବା ଅନୁଯାୟୀ ପ୍ରତିବର୍ଷ ଯାଜପୁର, ବାଲେଶ୍ବର, ପୁରୀ, ନୟାଗଡ଼, ଗଞ୍ଜାମ, ବଲାଙ୍ଗୀରରୁ ତାଳସଜ ରାଜଧାନୀକୁ ଆସୁଛି। ତାଳ ଗୋଟାକୁ ୨୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଗୋଟିଏ ପ୍ୟାକେଟ୍ରେ ୬ରୁ ୭ଟି ସଜ ୫୦ଟଙ୍କାରେ ବିକ୍ରି ହେଉଛି। ସେହିପରି ଶରୀରରୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରୁଥିବା ଵାଟର ଆପଲ ବା ଜାମୁରୋଳ ମଧ୍ୟ ବହୁଳ ଭାବରେ ବିକ୍ରି ହେଉଛି। ଏକ ନମ୍ୱର ହାଟ, ରାମ ମନ୍ଦିର ଛକ କଡ଼ ରାସ୍ତା, ସତ୍ୟନଗର ବିଗ୍ବଜାର ଛକ ରାସ୍ତା ଆଦିରେ ଏହାର ବହୁଳ ବିକ୍ରି ହେଉଛି। କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଥିବା ବ୍ୟବସାୟୀ ସତ୍ୟାନନ୍ଦ ଦାସ କହିଛନ୍ତି।