ଭୁବନେଶ୍ବର: ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ ପକ୍ଷରୁ ଜୟଦେବ ଭବନଠାରେ ୨୨ତମ ବାର୍ଷିକ ଉତ୍ସବ ଓ ପୂଜ୍ୟପୂଜା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଯୋଗ ଦେଇ କହିଲେ, ସାହିତ୍ୟ ବିନା କୌଣସି ସଭ୍ୟତା ଓ ସଂସ୍କୃତିର ଅଭିବୃଦ୍ଧି ପରିକଳ୍ପନା କରାଯାଇ ନପାରେ। ସାଂପ୍ରତିକ ସମୟର ଆହ୍ବାନ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାହିତ୍ୟ ରଚନାର ଆବଶ୍ୟକତା ରହିଛି। ସମାଜର ପରିବର୍ତ୍ତନରେ ସାହିତ୍ୟର ଭୂମିକା ରହିଥିବା ନେଇ ଇତିହାସରେ ପ୍ରମାଣ ରହିଛି। ସାହିତ୍ୟିକମାନେ ସମାଜର ସକାରାତ୍ମକ ପରିବର୍ତ୍ତନ ପାଇଁ ଲେଖା ଜାରି ରଖିବା ଆବଶ୍ୟକ ବୋଲି ଶ୍ରୀ ପାତ୍ର କହିଛନ୍ତି।
ପ୍ରଗତିଶୀଳ ଲେଖକ ମହାସଂଘର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଖଣି ଓ ଇସ୍ପାତ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଜେନା, ଅର୍ଥ ବିଭାଗ ଯୁଗ୍ମ ଶାସନ ସଚିବ ସଂଗ୍ରାମ କେଶରୀ ସାମନ୍ତରାୟ, ରାଧାନାଥ ଶିକ୍ଷା ଶିକ୍ଷକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସ୍ମିତା ମିଶ୍ର ଓ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ, କବି ଓ ଲେଖକମାନେ କଳାତ୍ମକ ଭଙ୍ଗୀରେ ନିଜର ସାଧନା ଅବ୍ୟାହତ ରଖିବା ପାଇଁ କହିଥିଲେ।
ଏହି ଅବସରରେ କବି ରକ୍ଷକ ନାୟକ, ବରିଷ୍ଠ ଆଇନଜୀବୀ ଅଶ୍ବିନୀ କୁମାର ପ୍ରଧାନ, କୃଷ୍ଣଚନ୍ଦ୍ର ବାରିକ, ମମତା ମଞ୍ଜରୀ ଦାସ, ସହଦେବ ଧରୁଆ, ଦୀପ୍ତିରଞ୍ଜନ ପରିଡ଼ା, ଇତିଶ୍ରୀ ପତି, ପ୍ରସନ୍ନ କୁମାର ନାୟକଙ୍କ ସମେତ ୨୪ଜଣ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। କବି ରକ୍ଷକ ନାୟକଙ୍କ ସଭାପତିତ୍ବରେ ଆୟୋଜିତ କବିତା ପାଠୋତ୍ସବରେ ଅଧ୍ୟାପିକା ସୌଦାମିନୀ ବେହେରା, ଗୋଲକ ବିହାରୀ ନାୟକ ଓ ଚମକ ଚାନ୍ଦିନୀ ଦାସଙ୍କ ସଂଯୋଜନାରେ ୫୦ରୁ ଅଧିକ କବି କବିତା ପାଠ କରିଥିଲେ। କାର୍ଯ୍ୟକ୍ରମରେ ମହାସଂଘ ସଂପାଦକ କଣ୍ଡୁରୀ ଚରଣ ଦାସ ସ୍ବାଗତ ଭାଷଣ ଓ ଉପସଭାପତି ଭାଗିରଥୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/33-14.jpg)