ସାହିତ୍ୟ ମୋ ପାଇଁ ଚିରକାଳ ରାଜନୀତି: କବି ପ୍ରସନ୍ନ ପାଟ୍ଟଶାଣୀ

କେନ୍ଦ୍ର ସାହିତ୍ୟ ଅକାଦେମିର ‘କବିସନ୍ଧି’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜନୀତି ମୋ ପାଇଁ ଯେପରି ସ୍ବଳ୍ପକାଳୀନ ସାହିତ୍ୟ, ସେହିପରି ସାହିତ୍ୟ ମୋ ପାଇଁ ଚିରକାଳ ରାଜନୀତି। ସାହିତ୍ୟକୁ ନେଇ ଜୀବନ ବଞ୍ଚିଛି। ସାହିତ୍ୟ ମୋ ପ୍ରାଣର ଅପୂର୍ବ ଉଲ୍ଲାସ। ଜୀବନର ନାନା ଘଟଣା, ଅଘଟଣରେ ସାହିତ୍ୟ ମୋତେ ପଥପ୍ରଦର୍ଶନ କରିଛି ବୋଲି ବିଶିଷ୍ଟ କବି ପ୍ରସନ୍ନ ପାଟ୍ଟଶାଣୀ ଗୀତଗୋବିନ୍ଦ ସଦନଠାରେ କେନ୍ଦ୍ର ସାହିତ୍ୟ ଅକାଦେମିର ‘କବିସନ୍ଧି’ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।

କବି ପାଟ୍ଟଶାଣୀ କହିଲେ ଯେ, ସାହିତ୍ୟ ଭିତରେ ମଣିଷର ଅନ୍ତରକୁ ଦେଖିହୁଏ। ମଣିଷର ଦୁଃଖ, ଯନ୍ତ୍ରଣା ଓ ନୈରାଶ୍ୟବୋଧକୁ ମୁଁ ବିଭିନ୍ନ ଦିଗରୁ ଅନୁଭବ କରିଛି ଓ ଏହାକୁ ଶବ୍ଦରୂପ ଦେବାକୁ ଚେଷ୍ଟା କରିଛି। ମୋର ପ୍ରତ୍ୟକ୍ଷ ଅନୁଭବ ହିଁ ମୋ ସାହିତ୍ୟ ବୋଲି କବି ପାଟ୍ଟଶାଣୀ କହିଥିଲେ। ସ୍ଵାଭାବିକ ଓ ସହଜ ଢଙ୍ଗରେ ସ୍ବରଚିତ କବିତା ପାଠ ସହ ସାକ୍ଷାତକାର ପ୍ରସଙ୍ଗରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ ସଭାପତିତ୍ବ କରିଥିଲେ। ସାହିତ୍ୟ ଏକାଡେମିର କାର୍ଯ୍ୟକ୍ରମ ଅଧିକାରୀ ମିହିର କୁମାର ସାହୁ ପ୍ରାରମ୍ଭିକ ସୂଚନା ଓ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପ୍ରଦୀପ୍ତ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର