ସାହିତ୍ୟ ଗୋଟିଏ ଜାତିର ପ୍ରଗତିର ବଳିଷ୍ଠ ଆଧାର

‘ଉତ୍କର୍ଷର ଉତ୍କଣ୍ଠା’ ଓ ‘ପିଲାଙ୍କ ଜୀବନ ଦର୍ପଣ’ ଲୋକାର୍ପିତ

ଭୁବନେଶ୍ବର: ସାହିତ୍ୟର ପ୍ରଭାବ ସୁଦୂରପ୍ରସାରୀ। ସାହିତ୍ୟ କେବଳ ଗୋଟେ ଜାତିର ଦର୍ପଣ ନୁହେଁ, ଭୂମିର ଭାଗ୍ୟ ନିର୍ଦ୍ଧାରକ ମଧ୍ୟ। ଏହାସହ ଜାତି ପ୍ରଗତିର ବଳିଷ୍ଠ ଆଧାର। ସ୍ତମ୍ଭକାର ଉପେନ୍ଦ୍ର ବିଶ୍ବାଳଙ୍କ ‘ଉତ୍କର୍ଷର ଉତ୍କଣ୍ଠା’ ଓ ‘ପିଲାଙ୍କ ଜୀବନ ଦର୍ପଣ’ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ଏହା କହିଛନ୍ତି। ରବିବାର ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରବଚକ, ବେଦଜ୍ଞ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ବିଭିନ୍ନ ଦୃଷ୍ଟାନ୍ତ ଓ କାହାଣୀ ମାଧ୍ୟମରେ ଭାରତୀୟ ବୈଦିକ ସଂସ୍କୃତିର ମହନୀୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିଶିଷ୍ଟ ଭାଷା ଓ ସଂସ୍କୃତି ଗବେଷକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଯୋଗଦେଇ କହିଲେ ଯେ ବୈଦିକ ସାହିତ୍ୟ ଏବଂ ସଂସ୍କୃତ ସାହିତ୍ୟ ଭିନ୍ନ।

ଆମ ଭାଷା ସାହିତ୍ୟକୁ ବଞ୍ଚାଇବା ପାଇଁ ମାତୃଭାଷାରେ ଗବେଷଣା ନିତାନ୍ତ ଆବଶ୍ୟକ। ଲୋକସେବକ ମଣ୍ଡଳର ଓଡ଼ିଶା ଅଧ୍ୟକ୍ଷ ପଣ୍ଡିତ ନିରଞ୍ଜନ ରଥ, ଆଗ କାଳର ମୁନି-ଋଷି ପ୍ରବର୍ତ୍ତିତ ଚାଲିଚଳନ, ପ୍ରଥା, ପରମ୍ପରା ଓ ଏବେର ପାଶ୍ଚାତ୍ୟ ପ୍ରଭାବିତ ପ୍ରଥା, ପରମ୍ପରା ଭିତରେ ତୁଳନାତ୍ମକ ଚିତ୍ର ରଖିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରୁଥିବା ଅଧ୍ୟାପକ ଗୌରୀପ୍ରସାଦ ରଥ ଶ୍ରୀ ବିଶ୍ବାଳଙ୍କ ବିଭିନ୍ନ ପ୍ରବନ୍ଧଗୁଡ଼ିକର ଅନୁଶୀଳନ ପୂର୍ବକ ସୁସ୍ଥ ଓ ସୁନ୍ଦର ସମାଜଏ ନିର୍ମାଣ ପାଇଁ ଏଭଳି ଲେଖା ଅତ୍ୟନ୍ତ ପ୍ରୟୋଜନ ବୋଲି କହିଥିଲେ।

ଏହି ଅବସରରେ ମାଙ୍ଗଳିକା ମହାପାତ୍ରଙ୍କ କବିତା ସଂକଳନ ‘ଆଖି ପଲକରେ ତୁମେ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। କବୟିତ୍ରୀ ସଂଧ୍ୟାରାଣୀ ପୃଷ୍ଟି ମଞ୍ଚ ଆହ୍ୱାନ କରିଥିଲା ବେଳେ ଉପେନ୍ଦ୍ର ବିଶ୍ୱାଳ ଲେଖକୀୟ ବକ୍ତବ୍ୟ ସହିତ ଅତିଥି ପରିଚୟ ଦେଇଥିଲେ। ପ୍ରକାଶକ ସୁକାନ୍ତ କୁମାର ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର